ଔଷଧ ଦୋକାନରେ ଚଢ଼ଉ କରିବେ କେନ୍ଦ୍ରୀୟ, ରାଜ୍ୟ ଟିମ୍

ସରକାରୀ ହସ୍ପିଟାଲ, ଖୁଚୁରା, ହୋଲସେଲ୍‌ ଦୋକାନରୁ ନମୁନା ସଂଗ୍ରହ ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ବ୍ୟବହୃତ ହେଉଥିବା ଔଷଧର ମାନ ପରୀକ୍ଷା ପାଇଁ ରାଜ୍ୟବ୍ୟାପୀ ଚଢ଼ଉ ହେବ। ସରକାରୀ ହସ୍ପିଟାଲ, ଖୁଚୁରା ଓ ହୋଲସେଲ୍ ଦୋକାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଏଥିରେ ରାଜ୍ୟ ଟିମ୍ ସହିତ କେନ୍ଦ୍ରୀୟ ଟିମ୍ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି। ନିକଟରେ ରାଜଧାନୀର ଏକ ଔଷଧ ଦୋକାନରୁ ନକଲି କର୍କଟ ରୋଗ ଇଞ୍ଜେକସନ୍ ଜବତ ହୋଇଥିଲା। ଏହାର ଚେର ଦିଲ୍ଲୀ, ତୁର୍କୀ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଏହା ଉପରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ଅଧିକ ଅନୁସନ୍ଧାନ ଜାରି ରଖିଛି। ତେବେ ଆଗକୁ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ନଜରରେ ଭିଟାମିନ୍, ଆଣ୍ଟାସିଡ୍‌ ଓ ଆଣ୍ଟି ହେମିନିଟିକ୍ସ ଔଷଧର ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ନମୁନାର ପରୀକ୍ଷା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ଏଭଳି ଚଢ଼ାଉ କରାଯିବ। ଏଥିପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ସାମିଲ ହୋଇପାରନ୍ତି। ବଜାରରେ ଏକାଧିକ ବ୍ରାଣ୍ଡର ଏସବୁ ଔଷଧ ଉପଲବ୍ଧ ହେଉଥିବା ବେଳେ ନମୁନାର ପରୀକ୍ଷା କରାଗଲେ ଔଷଧ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।

ସମ୍ବନ୍ଧିତ ଖବର