କୋଭିଡ୍‌ ପରୀକ୍ଷା କେଳେଙ୍କାରୀ ଘଟଣା: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଖୋଳତାଡ଼ ଆରମ୍ଭ

କଟକ: କୋଭିଡ୍ ପରୀକ୍ଷାକୁ ନେଇ ଚାଲିଥିବା ସାଂଘାତିକ କେଳେଙ୍କାରୀ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଖୋଳତାଡ଼ ଆରମ୍ଭ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଘଟଣା ସଂପର୍କରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ବିଭାଗ ପକ୍ଷରୁ କଟକ ସିଡିଏମ୍‌ଓଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍‌ କୁମାର ନାଏକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଅନ୍ୟପଟେ ତିଗିରିଆରେ ମିଛ ଠିକଣା, ମିଛ ମୋବାଇଲ୍‌ ନମ୍ବର ଦେଇ କରାଯାଇଥିବା କୋଭିଡ୍‌ ପରୀକ୍ଷା ନାଁରେ ହୋଇଥିବା ସାଂଘାତିକ କେଳେଙ୍କାରୀ ଘଟଣାରେ କଟକ ସିଡିଏମ୍‌ଓ ୩ଜଣ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସିଡିଏମ୍‌ଓ ଜିଲ୍ଲା କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ କୋଭିଡ୍‌ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତିଗିରିଆ ଅଞ୍ଚଳରେ କୋଭିଡ୍‌ ପରୀକ୍ଷାକୁ ନେଇ ଦୁର୍ନୀତି ସାମ୍‌ନାକୁ ଆସିଥିବା‌ ବେଳ କଟକ ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ମଧ୍ୟ ମିଛ ଠିକଣା ଦେଇ କୋଭିଡ୍‌ ପରୀକ୍ଷା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏହାର ଏହାର ଯାଞ୍ଚ ଆରମ୍ଭ କରିଥିବା କଟକ ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି। ବିଭିନ୍ନ ବ୍ଲକ୍‌ର ମେଡିକାଲ ପକ୍ଷରୁ କରାଯାଉଥିବା କୋଭିଡ୍‌ ଟେଷ୍ଟିଂ ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ତେବେ, ତିଗିରିଆ ଭଳି ମାହାଙ୍ଗା, ସାଲେପୁରରେ ମଧ୍ୟ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଯେଉଁ ୧୭ଜଣ ସଂକ୍ରମିତଙ୍କ ତଥ୍ୟ ଦର୍ଶାଯାଇଛି, ସେଭଳି କୌଣସି ବ୍ୟକ୍ତି ନଥିବା ସ୍ପଷ୍ଟ ହୋଇଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସ୍ଥାନୀୟ ମେଡିକାଲ ଅଫିସର ଲିଖିତ ଭାବେ ରିପୋର୍ଟ ଦେଇ ନଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। କ’ଣ ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଲିଖିତ ରିପୋର୍ଟ ଦେଉନାହାନ୍ତି ଓ ସିଡିଏମ୍‌ଓ ମଧ୍ୟ ସେମାନଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି, ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚନାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ତିଗିରିଆରେ ମିଛ ଠିକଣା ଦେଇ ୧୭ଜଣ ସଂକମିତ ଚିହ୍ନଟ ହେବା ଘଟଣାରେ ତୁରନ୍ତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ଅଭୟ ବାରିକ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କଟକ ସିଡିଏମ୍‌ଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜଣେ ତିଗିରିଆର ବାସିନ୍ଦା ହୋଇଥିବା ଜଣେ କନିଷ୍ଠ ଡାକ୍ତରଙ୍କୁ କିଭଳି ତିଗିରିଆ, ବିନ୍ଧାଣିମା ଓ ବିପିଏଚ୍‌ଓ ଭଳି ତିନୋଟି ଦାୟିତ୍ବ ଦିଆଯାଇଛି ବୋଲି ପ୍ରଶ୍ନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର