ହୃଦ୍‌ଘାତରେ ଆଖି ବୁଜିଲେ ଡ୍ରାଇଭର, ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ

ବାଲେଶ୍ବର: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀଠାରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ‘ଖୁସି’ ନାମକ ଏକ ବସ୍‌ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଦିନ ପ୍ରାୟ ୩ଟା ବେଳେ ହଠାତ୍‌ ଭଣ୍ଡାରିପୋଖରୀ ନିକଟରେ ବସ୍‌ର ଡ୍ରାଇଭର ପ୍ରଶାନ୍ତ ଆଚାର୍ଯ୍ୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଡ୍ରାଇଭର ସଂଗେ ସଂଗେ ବସ୍‌କୁ ରାସ୍ତାକଡ଼ରେ ଅଟକାଇଥିଲେ। ପରେ ତାଙ୍କୁ ବସ୍‌ର କର୍ମଚାରୀ ଓ ଯାତ୍ରୀମାନେ ସ୍ଥାନୀୟ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକଥା ପ୍ରଚାର ହେବା ପରେ ଲୋକେ ଡ୍ରାଇଭର ପ୍ରଶାନ୍ତଙ୍କୁ ପ୍ରଶଂସା କରିବା ସହ ଶୋକ ବ୍ୟକ୍ତ କରିଛନ୍ତି। କହିଛନ୍ତି, ପ୍ରଶାନ୍ତ ସିନା ଆଖି ବୁଜିଦେଲେ, ବସ୍‌ରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଗଲେ।

ସମ୍ବନ୍ଧିତ ଖବର