ପୁଣି ୧୧୨ କଇଁଛ ଶାବକଙ୍କୁ ସମୁଦ୍ରରେ ଛାଡ଼ିଲା ବନ ବିଭାଗ, ଚୌମୁଖ ବେଳାଭୂମିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବାକୁ ଦାବି

ବାଲିଆପାଳ: ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିରୁ ଆଜି ପୁଣି ୧୧୨ଟି ଅଲିଭ୍‌ ରିଡ୍‌ଲେ କଇଁଛ ଶାବକଙ୍କୁ ସମୁଦ୍ରରେ ଛଡ଼ାଯାଇଛି। ଗତ ୨୬ ତାରିଖରେ ଅଣ୍ଡାରୁ ଫୁଟି ବାହାରିଥିବା ୯୫ଟି କଇଁଛ ଶାବକଙ୍କୁ ବନ ବିଭାଗ କର୍ମଚାରୀ ସମୁଦ୍ରରେ ଛାଡ଼ିଥିଲେ। ପ୍ରକାଶଥାଉକି, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ବିରଳ ପ୍ରଜାତିର କଇଁଛ ବିଲୁପ୍ତ ହେବାକୁ ବସିଥିବାବେଳେ ସେମାନଙ୍କ ବଂଶରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବାଲିଆପାଳ ବ୍ଳକ ଚୌମୁଖ ବେଳାଭୂମିର ପ୍ରାକୃତିକ ପରିବେଶ ଓ ଜଳବାୟୁ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ବେଶ ସୁହାଇଛି।

ଗତ ଫେବ୍ରୁଆରି ମାସରେ ଏହି ବେଳାଭୂମିକୁ ଅଣ୍ତା ଦେବାକୁ ଆସିଥିବା କଇଁଛମାନଙ୍କୁ ବନ ବିଭାଗ ଠାବ କରିବା ପରେ ଉକ୍ତ ଅଞ୍ଚଳକୁ ଆବଦ୍ଧ କରି ବେଆଇନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଅଣ୍ଡା ଦେବାର ୫୨ ଦିନ ପରେ ଏପ୍ରିଲ ୨୬ ତାରିଖରେ ୯୫ଟି ଓ ଆଜି ୧୧୨ଟି ଅଲିଭ୍‌ ରିଡ୍‌ଲେ କଇଁଛ ଶାବକ ବାହାରିଥିଲେ। ବେଣୁଧର ରଣଜିତ, ହରିହର ଜେନା, ରଣିକାନ୍ତ ମଣ୍ତଳ, ସୁଧାକର ଦାସ, ଜନ୍ମେଜୟ ପାତ୍ର, ବେଣୁଧର ବାଗ, ଶ୍ରବଣ ମଣ୍ତଳ ଓ ବନ କର୍ମଚାରୀଙ୍କ ଉପସ୍ଥିତିରେ କଇଁଛ ଶାବକମାନଙ୍କୁ ସମୁଦ୍ର ଭିତରେ ଛଡ଼ାଯାଇଛି। ସୁରକ୍ଷିତ ପ୍ରଜନନ ନିମନ୍ତେ ବନ ବିଭାଗ ଆହୁରି ଶତାଧିକ ଅଣ୍ଡା ରଖିଥିବା ଜଣାଯାଇଛି। ଏହି ବେଳାଭୂମିକୁ ବହୁସଂଖ୍ୟାରେ କଇଁଛ ଅଣ୍ତା ଦେବାକୁ ଆସୁଥିବାରୁ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ପରିବେଶବିତ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର