ବଢ଼ୁଛି ବନାଗ୍ନି: ୭ଦିନରେ ୫୩୩ ସ୍ଥାନରେ ନିଆଁ

କୋରାପୁଟ ସର୍କଲରେ ସର୍ବାଧିକ ଚିହ୍ନଟ, ହାତ ଟେକିଦେଲାଣି ବନ ବିଭାଗ

ଭୁବନେଶ୍ବର : କମୁନି ଜଙ୍ଗଲ ନିଆଁ। ଏବେ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ଜା‌ନୁଆରି ୨୪ରେ ଚଳିତ ବର୍ଷର ସର୍ବାଧିକ ବନାଗ୍ନି ଚିହ୍ନଟ କରାଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବନ ବିଭାଗ ଅଧିକାରୀଙ୍କ ନିଦ ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଯେଉଁଥିପାଇଁ ଏବେ କେଉଁଠି ୭ ଦିନ ହେଲା ଜଙ୍ଗଲ ଜଳୁଛି ତ ଆଉ କେଉଁଠି ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଆଉ କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥିବା ଦୃଷ୍ଟିକୁ ଆସିଛି। ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇ ନଥିବା ବନ ବିଭାଗ କହୁଥିଲେ ମଧ୍ୟ ଏହି ଦାବିରେ କେତେ ସତ୍ୟତା‌ ରହିଛି, ତାହା ନିଆଁ ଲିଭିବା ପରେ ଜଣାପଡ଼ିବ। ତେବେ ଜଙ୍ଗଲ ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁମାତ୍ରାରେ ପ୍ରଭାବିତ ହେଉଛି। ସେମାନେ ଏବେ ଜନବସତିମୁହାଁ ହେବା ସହ ଶିକାରୀଙ୍କ ପଞ୍ଝାରେ ପଡ଼ୁଥିବା ଖବର ସାମ୍ନାକୁ ଆସିଲାଣି।

Image Courtesy of News.18

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଦେବୀଦତ୍ତ ବିଶ୍ବାଳ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଜାନୁଆରି ଚତୁର୍ଥ ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇଲାଣି। ଯଦି ଏଭଳି ଗରମ ଜାରି ରୁହେ, ମଝିରେ ମଝିରେ ବର୍ଷା ନ ହୁଏ ତା’ହେଲେ ଜଙ୍ଗଲ ନିଆଁ ବଢ଼ିବ। ଆଜି ୯୫ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି। ଆଗାମୀ ଦିନରେ ଏହା ଏକ ହଜାର ବି ହୋଇପାରେ। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଆମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ। ବନ ବିଭାଗ କର୍ମଚାରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସାମଗ୍ରୀ ଧରି ନିଆଁ ଲିଭାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତ କରି ରଖିଛୁ। ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛୁ। ଜଙ୍ଗଲରେ ଯେପରି ମନୁଷ୍ୟକୃତ ନିଆଁ ନ ଲାଗେ ସେଥିପ୍ରତି ଗୁରୁତ୍ବ ଦେବାକୁ କହୁଛୁ। ବାଲିଗୁଡ଼ା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ଥିବାରୁ ଏହି ଜଙ୍ଗଲଗୁଡ଼ିକ ଉପରେ ଉପରେ ନଜର ରଖିଛୁ।

ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଇ)ର ଆଜି ମଧ୍ୟାହ୍ନ ରିପୋର୍ଟ ଅନୁଯାୟୀ, ରାଜ୍ୟର ୭୭ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି। ଗୋଟିଏ ପଟେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଡିଗ୍ରି ଟପିଥିବା ବେଳେ ଅନ୍ୟପଟେ ବନାଗ୍ନି ବୃଦ୍ଧି ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି କରିଛି। ହେଲେ ଜଙ୍ଗଲ ବିଭାଗ ବାବୁମାନେ ଚୁପ୍। ଜଙ୍ଗଲ ବାହାରେ ନିଆଁ ଲାଗିଥିବା ଦର୍ଶାଇ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନାହାନ୍ତି। ବାବୁମାନେ ଯଦି ଏବେ ନ ଚେତିବେ, ତେବେ ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରି ବନାଗ୍ନି ଅଣାୟତ୍ତ ହେବ ବୋଲି ପରିବେଶ୍‌ବିତ୍‌ ସୁଦାମ ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ୨୦୨୧ରେ ଶିମିଳିପାଳରେ ଭୟଙ୍କର ନିଆଁ ବ୍ୟାପକ ହେବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ପିସିସିଏଫ୍‌ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ବନାଗ୍ନି ରୋକିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭବିଷ୍ୟତରେ ଯେପରି ଭୟଙ୍କର ପରିସ୍ଥିତି ନ ହୁଏ, ତାହାକୁ ଦୃଷ୍ଟିରେ ରଖି କମିଟିଠାରୁ ପ୍ରସ୍ତାବମାନ ଗ୍ରହଣ କରିଥିଲେ। ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଏବର୍ଷ ଏବେଠାରୁ ଯେଉଁ ସ୍ଥିତି ହେଲାଣି ଆଗକୁ ପରିସ୍ଥିତି କ’ଣ ହେବ, ତାହା ସ୍ପଷ୍ଟ ଅନୁମେୟ।

ଗତ ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ଜଙ୍ଗଲ ନିଆଁ ମଧ୍ୟରେ କର୍ଣ୍ଣାଟକ ସବୁଠାରୁ ଆଗରେ ରହିଛି। ମାତ୍ର ଗତ ଦୁଇ ସପ୍ତାହ ହେଲା, ଓଡ଼ିଶାରେ ଯେଉଁଭଳି ନିଆଁ ଲାଗୁଛି, ଖୁବ୍‌ଶୀଘ୍ର କର୍ଣ୍ଣାଟକକୁ ଟପିଯିବ। ଜାନୁଆରି ୨୪ ସୁଦ୍ଧା ଓଡ଼ିଶାରେ ୬୯୫ଟି ନିଆଁ ଚିହ୍ନଟ ହୋଇଥିଲା‌। ଆଜି ତାହା ୧୬୯୫ରେ ପହଞ୍ଚିଛି। ଯେତେବେଳେ କି କର୍ଣ୍ଣାଟକରେ ୧୮୯୯ଟି ଚିହ୍ନଟ ହୋଇଛି। ଗତ ୭ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ ଓଡ଼ିଶା ଶୀର୍ଷରେ ରହିଛି। ଏଠାରେ ସର୍ବାଧିକ ୫୩୩ଟି ବନାଗ୍ନି ସୃଷ୍ଟି ହୋଇଥିବା ବେଳେ ମଣିପୁରରେ ୪୫୯, କର୍ଣ୍ଣାଟକରେ ୪୪୧, ମଧ୍ୟପ୍ର‌ଦେଶରେ ୪୧୫, ପଶ୍ଚିମବଙ୍ଗରେ ୩୨୭ଟି ସ୍ଥାନରେ ନିଆଁ ଲାଗିଥିବାର ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶାର କୋରାପୁଟ ସର୍କଲରେ ସର୍ବାଧିକ ବନାଗ୍ନି ହୋଇଥିବା ଏଫ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ନଭେମ୍ବରରୁ ଏବେ ସୁଦ୍ଧା ବଡ଼ଧରଣର ବନାଗ୍ନି କଥା ଦେଖିବା, ତେବେ ଦେଶର ‌ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। ହେଲେ ଗତ ୭ଦିନ ମଧ୍ୟରେ ଓଡ଼ିଶାରେ ୨୩ଟି ନିଆଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କର୍ଣ୍ଣାଟକ ଓ ମଣିପୁରରେ ସର୍ବାଧିକ ୩୧ଟି ନିଆଁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୨୯ଟି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର