କାଗଜପତ୍ରରେ ଚାଲିଛି ସରକାରୀ ଟ୍ରମା ସେଣ୍ଟର; ସରକାରୀରେ ସୁବିଧା ମିଳୁନି, ଘରୋଇଙ୍କୁ ପୋଷା ଚାଲିଛି

ଭୁବନେଶ୍ବର : ଭିମ୍‌ସାର, ବୁର୍ଲା ହେଉଛି ରାଜ୍ୟ ସରକାରଙ୍କ ଲେବଲ-୧ ଟ୍ରମା ସେଣ୍ଟର। ଏହି ଟ୍ରମା ସେଣ୍ଟର ପରିଚାଳନା ପାଇଁ ୩୬ଜଣ ଷ୍ଟାଫ ନର୍ସଙ୍କ ଆବଶ୍ୟକତା ରହିଛି। ହେଲେ ଅଛନ୍ତି ୨୬। ୩୦ଟି ଶଯ୍ୟା ସହିତ ଅସ୍ତ୍ରୋପଚାର ଗୃହ ଓ ୧୦ଟି ଶଯ୍ୟା ବିଶିଷ୍ଟ ଆଇସିୟୁର ଆବଶ୍ୟକତା ରହିଛି। ମାତ୍ର ଏସବୁ ସୁବିଧା ନାହିଁ। କେବେ ହେବ ତାହା ମଧ୍ୟ ଅସ୍ପଷ୍ଟ। ଆବଶ୍ୟକ ପଡ଼ିଲେ ସଂପୃକ୍ତ ରୋଗୀଙ୍କୁ ଟ୍ରମା ସେଣ୍ଟରରୁ ସଂପୃକ୍ତ ବିଭାଗକୁ ନିଆଯାଇ ଚିକିତ୍ସା ଦିଆଯାଉଛି। କହିବାକୁ ଗଲେ ଅସ୍ଥିଶଲ୍ୟ ବିଭାଗର ଏକ ସଂପ୍ରସାରଣ ୟୁନିଟ୍‌ ଭାବେ କାର୍ଯ୍ୟ କରୁଛି ଏହି ଟ୍ରମା ସେଣ୍ଟର।

ସେହିପରି ବାଲେଶ୍ବର ବଡ଼ ଡାକ୍ତରଖାନାରେ ୨୦୧୫ ମସିହାରୁ ଟ୍ରମା ସେଣ୍ଟର କାର୍ଯ୍ୟକ୍ଷମ ହେଉଛି। ଏହା ଏକ ଲେବଲ-୨ ଟ୍ରମା ସେଣ୍ଟର ହୋଇଥିବା ବେଳେ ବର୍ତମାନସୁଦ୍ଧା ନ୍ୟୁରୋସର୍ଜରି ହୋଇପାରୁନାହିଁ। ଡାକ୍ତରଖାନାରେ ନ୍ୟୁରୋସର୍ଜନ ନ ଥିବାରୁ ରୋଗୀଙ୍କୁ ସରକାରୀ ଅନୁମୋଦିତ ଟ୍ରମା ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ୁଛି। ମୁଣ୍ଡରେ ଆଘାତ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ୩୩ଟି ସରକାରୀ ଟ୍ରମା ସେଣ୍ଟର ମଧ୍ୟରୁ ଏହା ହେଉଛି କେତୋଟି ଉଦାହରଣ ମାତ୍ର।

share.upmc.com

ସରକାରଙ୍କ ୩୩ଟି ଟ୍ରମା ସେଣ୍ଟର ମଧ୍ୟରୁ ୩ଟି ପୁରାତନ ମେଡିକାଲ କଲେଜ ଲେବଲ-୧, ୪ଟି ଲେବଲ-୨ ଓ ୨୬ଟି ଲେବଲ-୩ ଶ୍ରେଣୀର। ମାତ୍ର ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଡାକ୍ତରଙ୍କ ଅଭାବ ପାଇଁ ଏସବୁ ଟ୍ରମା ସେଣ୍ଟର ଠିକ୍‌ଭାବେ କାର୍ଯ୍ୟ କରିପାରୁନାହିଁ। ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ସରକାରୀ ଟ୍ରମା ସେଣ୍ଟର ଠିକ୍‌ରେ କାର୍ଯ୍ୟ ନ କରିବା ଚିନ୍ତା ବଢ଼ାଇଛି। କେବଳ ମେଡିକାଲ କଲେଜ ନୁହେଁ, ଜିଲ୍ଲାସ୍ତରରେ ଥିବା ଟ୍ରମା ସେଣ୍ଟରର ସ୍ଥିତି ଆହୁରି ଖରାପ। ଏସବୁ ଟ୍ରମା ସେଣ୍ଟରରସ୍ଥିତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ବିଶେଷ ଉଦ୍ୟମ ହେଉ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଯାହାଫଳରେ ସରକାରୀ ଅନୁମୋଦିତ ଘରୋଇ ଟ୍ରମା ସେଣ୍ଟରକୁ ରୋଗୀ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସଂଖ୍ୟା ଏବେ ୧୮କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ‌ଘରୋଇ ହସ୍ପିଟାଲକୁ ଟ୍ରମା ଚିକିତ୍ସା ବାବଦରେ କୋଟି କୋଟି ଟଙ୍କା ଗଣୁଥିବା ବେଳେ ଭିତ୍ତିଭୂମି ଥିବା ସରକାରୀ ବ୍ୟବସ୍ଥାକୁ ପରିଚାଳନାରେ ବିଫଳ ହୋଇଛନ୍ତି। ସେହିପରି କିଛିଦିନ ‌ତଳେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ମାତ୍ର କ’ଣ ରିପୋର୍ଟ ଦେଇଛନ୍ତି ତାହା ସଂପର୍କରେ ଅଧିକାରୀମାନେ ମୁହଁ ଖୋଲିବାକୁ ନାରାଜ।

ଜଣେ ଅଧକାରୀ କହିଛନ୍ତି, ସୁପ୍ରିମକୋର୍ଟ କମିଟି ପ୍ରତି ୫୦ କି.ମି ବ୍ୟବଧାନରେ ଗୋଟିଏ ଟ୍ରମା ସେଣ୍ଟର ଖୋଲିବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାର ମଧ୍ୟ ଏହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଉ ୨୩ଟି ଟ୍ରମା ସେଣ୍ଟର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଯଦି ଅନୁମୋଦନ ଲାଭ କରେ ତାହାଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ସମୁଦାୟ ଟ୍ରମା ସେଣ୍ଟର ସଂଖ୍ୟା ୫୬କୁ ବୃଦ୍ଧି ପାଇବ। ତେବେ ପ୍ରସ୍ତାବିତ ଟ୍ରମା କେନ୍ଦ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ ଡାକ୍ତରଖାନା ପରିସରରେ ଚାଲିବ। ଟ୍ରମା ସେଣ୍ଟରରେ ଆନ୍ତଃ ହସ୍ପିଟାଲ ସଂଯୋଗୀକରଣ ପାଇଁ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ରହିବ। ଯାହାଫଳରେ ରେଫର କରୁଥିବା ଡାକ୍ତରଖାନା ଓ ରୋଗୀଙ୍କୁ ପଠାଯାଉଥିବା ଡାକ୍ତରଖାନା ଭିତରେ ସୂଚନା ଆଦାନପ୍ରଦାନ ଠିକ୍ ଭାବେ ହୋଇପାରିବ। ଏସବୁ ଟ୍ରମା ସେଣ୍ଟର ପରିଚାଳନା ପାଇଁ ରାଜ୍ୟରେ ୬ଶହ ସିନିଅର ରେସିଡେଣ୍ଟ ଡାକ୍ତର ପଦ ସୃଷ୍ଟି କରାଯିବ। ପିଜି ଉତ୍ତୀର୍ଣ୍ଣ ଡାକ୍ତର ଏସବୁ ପଦରେ ନିୟୋଜିତ ହେବେ। ନୂତନ କାଜୁଆଲ୍‌ଟି ଓ ଟ୍ରମା ଚିକିତ୍ସା ପାଇଁ ୧୩୩ କୋଟିର ଇଏଫ୍‌ସି ଅନୁମୋଦନ କରାଯାଇଛି।

ସମ୍ବନ୍ଧିତ ଖବର