ଜାମକାନି ଖଣିକୁ ବିରୋଧ ପ୍ରସଙ୍ଗ: ବିସ୍ଥାପିତ-ବେଦାନ୍ତ-ଜିଲ୍ଲା ପ୍ରଶାସନ ଆଲୋଚନା ଅଧାରେ

ଫଇସଲା ନହେବା ଯାଏ ଖନନ ବନ୍ଦ ଦାବିକୁ ଅଗ୍ରାହ୍ୟ, ଜାରି ରହିବ ଧାରଣା

ସୁନ୍ଦରଗଡ : ହେମଗିର ବ୍ଲକ ଜାମକାନି କୋଇଲା ଖଣି ଖନନ ବିରୋଧରେ ବିସ୍ଥାପିତଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି। ଲୋକେ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବି କରି ଆସୁଛନ୍ତି। ଏସ୍ଥିତିରେ ବୁଧବାର ପୂର୍ବ ନିର୍ଦ୍ଧାରିତ ସୂଚୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ବିସ୍ଥାପିତ ପ୍ରତିନିଧି, ବେଦାନ୍ତ ଓ ପ୍ରଶାସନ ମଧ୍ୟରେ ବିସ୍ଥାପିତଙ୍କ ଦାବି ସମ୍ପର୍କରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଅମୀମାଂସିତ ବା ଅଧାରେ ଅଟକି ଯାଇଥିବା ସୂଚନା ମିଳିଛି।

ବିସ୍ଥାପିତ ପ୍ରତିନିଧି ଭୂଷଣ ପାଇଁ ଜମି ଅଧିଗ୍ରହଣ ପରେ ୧୩ ବର୍ଷ ଭୋଗିଥିବା ଦୁର୍ଦ୍ଦଶା ସମ୍ପର୍କରେ କହିବା ସହ ସେମାନଙ୍କ ଉପସ୍ଥାପନ କରିଥିଲେ। ବେଦାନ୍ତ ମଧ୍ୟ ତାର ପକ୍ଷ ରଖିଥିଲା। ପୂର୍ବରୁ ଭୂଷଣର ଜମି ଅଧିଗ୍ରହଣ ସମୟରେ କ୍ଷତିପୂରଣ ଦିଆଯାଇଥିବାରୁ ଏବେ ବିସ୍ଥାପିତଙ୍କୁ ଏକର ପ୍ରତି ୬ ଲକ୍ଷ ଅତିରିକ୍ତ କ୍ଷତିପୂରଣ ରାଶି, ବିସ୍ଥାପିତ ପରିବାରର ୧୮ ବର୍ଷ ପୂରଣ କରିଥିବା ବା ତଦୁର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି, ପୁନର୍ବାସ କଲୋନିର ପୁନଃନିର୍ମାଣ, ବିସ୍ଥାପିତଙ୍କ ପୁରୁଣା ସହ ନୂଆ ଘରକୁ ମଧ୍ୟ କ୍ଷତିପୂରଣ ଓ ସମସ୍ତ ପରିବାରକୁ ବିସ୍ଥାପିତ ପ୍ରମାଣପତ୍ର ଓ ପଟ୍ଟା ଦିଆଯିବ ବୋଲି କମ୍ପାନି ତରଫରୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅତିରିକ୍ତ କ୍ଷତିପୂରଣ ୫୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦେବା ସହ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏ ଖଣି ଖନନ ବନ୍ଦ ରଖିବାକୁ ବିସ୍ଥାପିତ ଦାବି ଜଣାଇଥିଲେ। ଯାହାକୁ ପ୍ରଶାସନ ଅଗ୍ରାହ୍ୟ କରି ଦେଇଥିଲା।

ଅନ୍ୟପଟେ ବୈଠକରେ ଉପସ୍ଥିତ ବେଦାନ୍ତ ଅଧିକାରୀ ବିସ୍ଥାପିତଙ୍କ ଦାବି ସମ୍ପର୍କରେ କମ୍ପାନି ପରିଚାଳନା କମିଟିକୁ ଅବଗତ କରାଯିବ ଓ କମିଟି ନିଷ୍ପତ୍ତିକ୍ରମେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବି ଉପରେ ପ୍ରଶାସନ ଓ କମ୍ପାନିର ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ଯାଏ ଧାରଣା ଜାରି ରହିବ ବୋଲି ବିସ୍ଥାପିତ ପ୍ରକାଶ କରିଥିଲେ। ଜାମକାନି ଖଣି ବିସ୍ଥାପିତ ୪ ଗାଁ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରାର ଲୋକଙ୍କୁ ନିୟମ ଅନୁସାରେ କ୍ଷତିପୂରଣ, ପୁନର୍ବାସ, ଥଇଥାନ ନକରି ଖଣି ଖନନ ଚାଲିଥିବା ଅଭିଯୋଗ କରି ୫ ଦିନ ହେଲା ପିଲାଛୁଆ ସହ ଶହଶହ ମହିଳା, ପୁରୁଷ ଅହୋରାତ୍ର ଧାରଣା ଜାରି ରଖିଛନ୍ତି। ସେପଟେ ପ୍ରଶାସନ ପୁଲିସର ବିଶାଳ ଘେରାବନ୍ଦୀରେ ଖଣି ଖନନ ଚଲାଇଛି। ପ୍ରଶାସନର ଏପ୍ରକାର ଜୋରଜୁଲୁମକୁ ନେଇ ଜାମକାନିରେ ଉତ୍ତେଜନା ଲାଗି ରହିଛି। ତେଣୁ ବିସ୍ଥାପିତଙ୍କ ବଡ଼ ଧରଣର ବିରୋଧ ହେବା ପୂର୍ବରୁ ଖନନ ବନ୍ଦ କରି ପ୍ରଥମେ ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ କରାଯିବାକୁ ଦାବି ହୋଇଆସୁଛି।

ବୈଠକରେ ବିସ୍ଥାପିତ ପ୍ରତିନିଧି ଭାବେ ୪ ଗାଁର ତୁଲାରାମ କାୱାର, ଉତ୍ତର ସିଂ କାୱାର, ଶିବରାମ ପରେକ, ଭୂମିସୂତା ପଧାନ, ଗୋପାଳ ପଧାନ, ନିରଞ୍ଜନ ଭୋଏ, ଦୁର୍ଯୋଧନ ପଧାନ, ସାଗରଚନ୍ଦ୍ର ମାଝୀ, ଯୋଗେଶ ପଧାନ, ବିନୋଦିନୀ ପଧାନ, ପଦ୍ମଲୋଚନ ଦେହେରୀ, ସୀତାରାମ ଖମାରୀ, ନରେଶ ମେହେର, ଉମାଶଙ୍କର ପଧାନ, ଡିଲେଶ୍ବର କିଷାନ ଓ ଏସପି ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ଯୁ ବେହେରା, ବେଦାନ୍ତ ଅଧିକାରୀ ନବଲ କିଶୋର ଶର୍ମା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର