ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସାକୁ ପ୍ରାଧାନ୍ୟ ଦିଆଯାଉ

ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପ ପାଇଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ଜନିତ ସଙ୍କଟକୁ ଦୂରେଇ ରଖିବାରେ ଓଡ଼ିଶା ସଫଳ ହୋଇଛି। କିନ୍ତୁ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର କୋଭିଡ୍‌ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବାରୁ ଅଣକୋଭିଡ୍‌ ରୋଗୀମାନେ ପ୍ରକୃତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରି ସ୍ପର୍ଶକାତର ପ୍ରସଙ୍ଗକୁ ହୃଦ୍‌ବୋଧ କରି ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଶ୍ରୀ ନାଏକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସାଧାରଣ ରୋଗୀ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ଗଲେ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରଥମେ କୋଭିଡ୍‌ ହସ୍ପିଟାଲ ଯାଇ କୋଭିଡ୍‌ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆସୁଛି। ବିଶେଷକରି ହୃଦ୍‌ରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ବର ଥିବା ରୋଗୀମାନେ ଘରୋଇ ଓ ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସୁବିଧା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଚିକିତ୍ସା ଅଭାବରୁ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ କରୋନା ଭୂତାଣୁ ପରୀକ୍ଷାଗାର ନ ଥିବାରୁ ବହୁ ସମସ୍ୟା ପରିଲକ୍ଷିତ ହେଉଛି। କଟକ ଏସ୍‌ସିବି ମେଡିକାଲ କଲେଜର ହୃଦ୍‌ରୋଗ ବିଭାଗର ଡାକ୍ତରମାନଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥିବା କାରଣରୁ ଉକ୍ତ ବିଭାଗଟି ସମ୍ପୂର୍ଣ୍ଣ ଅଚଳ ହୋଇଡ଼ିଛି। ଫଳରେ ହୃଦ୍‌ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ଅଚଳାବସ୍ଥା କାରଣରୁ ଏହି ବିଭାଗ ଉପରେ ନିର୍ଭରଶୀଳ ଗରିବ ସାଧାରଣ ରୋଗୀ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର