ବିଡିଓଙ୍କୁ ପିଟିଲେ ବିଧାୟକ! ପାଲଟା ଅଭିଯୋଗ ଆଣିଲେ ଦେବଗଡ଼ ବିଧାୟକ

ଜବରଦସ୍ତି ଗାଡ଼ିରେ ପୂରାଇ ମାରିଲେ: ବିଡିଓ, କଲର ଟାଣି ଦୁର୍ବ୍ୟବହାର କଲେ, ହତ୍ୟା ଧମକ ଦେଲେ: ବିଧାୟକ

ଦେବଗଡ଼: ‘ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କୁ ମାଡ଼ ମାରିଛନ୍ତି! ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ତାଙ୍କର ସମର୍ଥକମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି!!’ ଏହିଭଳି ଗୁରୁତର ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ୍‌ ବିଡିଓ କୃଷ୍ଣଚନ୍ଦ୍ର ଦଳପତି। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାକୁ ଏକ ମନଗଢ଼ା କାହାଣୀ କହିବା ସହିତ ଦେବଗଡ଼ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ବିଡିଓ ଶ୍ରୀ ଦଳପତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା, ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପରସ୍ପରର ଏହି ଆରୋପ ଓ ପ୍ରତ୍ୟାରୋପ ଭିତରେ ପ୍ରଶାସନିକ ଅଧିକାରୀ- ରାଜନୈତିକ ନେତା ବିବାଦ ଭଳି ଏକ ଘଟଣା ସାମ୍‌ନାକୁ ଆସିଛି।

ତିଲେଇବଣି ବିଡିଓ ଶ୍ରୀ ଦଳପତିଙ୍କ ଅଭିଯୋଗ ଅନୁଯାୟୀ, ସେ ଆଜି ପୂର୍ବାହ୍ନରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଳିଆଗୁଡ଼ି ଗ୍ରାମକୁ ଯୁଗ୍ମ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୩ଟି ଅଲଗା ଅଲଗା ନମ୍ବରରୁ ତାଙ୍କୁ ଲଗାତାର ଫୋନ ଆସିଥିଲା। ଫୋନ୍‌ କରୁଥିବା ବ୍ୟକ୍ତିମାନେ ବିଧାୟକଙ୍କୁ ଦେଖାକରିବାକୁ ଚାହୁଥିବା କହିଥିଲେ। କିନ୍ତୁ ସେ ବ୍ୟସ୍ତ ଥିବାରୁ ପରେ ଦେଖା କରିବେ ବୋଲି ବିଡିଓ ଶ୍ରୀ ଦଳପତି କହିଥିଲେ। ଏହାର କିଛି ସମୟ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ୧୦ରୁ ଅଧିକ କର୍ମୀ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଅଶାଳୀନ ବ୍ୟବହାର କରିବା ସହିତ ସହିତ ଜାତିଆଣ ଆକ୍ଷେପ କରିଥିଲେ। ଏପରିକି ବଳପୂର୍ବକ ଉଠାଇ ନେବାକୁ ଉଦ୍ୟମ କରଥିଲେ ବୋଲି ଶ୍ରୀ ଦଳପତି ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ଡାଏରି ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସହଯୋଗୀମାନେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ଏହାପରେ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ଅବଗତ କରିବା ପରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଶ୍ରୀ ଦଳପତି କହିଛନ୍ତି।

ଘଟଣା ସଂପର୍କରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଯୋଗାଯୋଗ କରିବାରୁ ମାଡ଼ ମାରିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏହା ଏକ ମନଗଢ଼ା କାହାଣୀ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଓଲଟା ବିଡିଓ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବ‌ା ସହିତ ଦୁର୍ବ୍ୟବହାର କରିଥିଲେ। ‌ସେ ଏ ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ବିଡିଓ ଶ୍ରୀ ଦଳପତିଙ୍କୁ ଏକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସାକ୍ଷାତ କରିବାକୁ ଫୋନ କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଦେଖା କରିବାକୁ ବିଡିଓ ଶ୍ରୀ ଦଳପତି କହିଥିଲେ। ବ୍ଲକ୍‌ରେ ପହଞ୍ଚିବା ପରେ ବିଡିଓ ସେଠାରେ ନଥିବା ଜାଣିବାକୁ ପାଇଥିଲେ। ପରେ ଛେପଲିପାଲି ପଞ୍ଚାୟତ ଭାଲିଆଗୁଡ଼ି ଗ୍ରାମକୁ ବିଡିଓ ଦେଖା କରିବାକୁ କହିବାପରେ ଶ୍ରୀ ପାଣିଗ୍ରାହୀ ଉକ୍ତ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ବିଡିଓ ଶ୍ରୀ ଦଳପତି ଉତ୍ତ୍ୟକ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସାର୍ଟ କଲର ଟାଣି ଦୁର୍ବ୍ୟବହାର କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଦେବଗଡ଼ ଥାନା ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର