ରାଷ୍ଟ୍ରପତି ପଦକ ଘୋଷଣା ହେଲା, ଅଳଙ୍କୃତ କରିବାକୁ ଭୁଲିଗଲେ

ଅପେକ୍ଷାରେ ଅଛନ୍ତି ଦୁଇବର୍ଷର ୬୯ ପୁଲିସ ଅଧିକାରୀ, ବିଶିଷ୍ଟ ସାମରିକ ପରମ୍ପରାର ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ବର : ୨୦୨୨ ଜାନୁଆରି ୨୬ ତାରିଖରେ ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା କରାଯାଇଥିଲା। ଅଗଷ୍ଟ ୧୫ ତାରିଖ, ସ୍ବାଧୀନତା ଦିବସ ଅବସରରେ ଏକ ସ୍ବତନ୍ତ୍ର ଅଳଙ୍କାରୀକରଣ ଉତ୍ସବ ଆୟୋଜନ କରି ରାଜ୍ୟ ସରକାର ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପିନ୍ଧାଇଲେ। ପୁଲିସ ବ୍ୟବସ୍ଥାରେ ଏହି ପଦକର ବିଶେଷ ମହତ୍ତ୍ବ ରହିଛି।

ହେଲେ ବିଡ଼ମ୍ବନାର ବିଷୟ ହେଲା, ୨୦୨୦ ଓ ୨୦୨୧ ମସିହାରେ ଯେଉଁ ୬୯ ଜଣ ଅଧିକାରୀଙ୍କୁ ସ୍ବୀକୃତି ଦେଇ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା, ସେମାନଙ୍କୁ ସମ୍ମାନିତ କରି ପଦକ ଅଳଙ୍କୃତ କରିବାକୁ ସମ୍ଭବତଃ ରାଜ୍ୟ ସରକାର ଭୁଲିଯାଇଛନ୍ତି। ପାଖାପାଖି ବର୍ଷେ ହେଲାଣି, ଜନଜୀବନ ସ୍ବାଭାବିକ ହେଲାଣି। ରାଜ୍ୟ ସରକାର ସବୁ ଦିନ କିଛି ନା କିଛି ଛୋଟ ବଡ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି। ଅଥଚ ଏହି ସ୍ବତନ୍ତ୍ର ସାମରିକ ପରମ୍ପରା ପାଳନ ଲାଗି ଉତ୍ସବଟିଏ ଆୟୋଜନ କରିବାକୁ ଗୃହ ବିଭାଗ ଦିନଟିଏ ପାଉନାହିଁ। ଏହି ଖବରଟି ପୁଲିସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ନିକଟ ଅତୀତରେ ନୁହେଁ, ୧୯୫୧ ମସିହାରୁ ଭାରତବର୍ଷରେ ରାଷ୍ଟ୍ରପତି ପୁଲିସ ପଦକ ବ୍ୟବସ୍ଥା ରହିଛି। ଅଗଷ୍ଟ ୧୫ ଓ ଜାନୁଆରି ୨୬ ତାରିଖ ଅବ୍ୟବହିତ ପୂର୍ବରୁ ପଦକ ପାଇବାକୁ ଥିବା ପୁଲିସ ଅଧିକାରୀମାନଙ୍କର ନାମ ଘୋଷଣା ହୋଇଥାଏ। ଜୀବନ ବା ସମ୍ପତ୍ତି ବଞ୍ଚାଇବା ଅଥବା ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ ସାହସିକତା ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥାନ୍ତି। ଜଣେ ପୁଲିସ ଅଧିକାରୀ ଚାକିରି କାଳମଧ୍ୟରେ ଯେ କୌଣସି ସମୟରେ ଏହି ପଦକ ପାଇପାରନ୍ତି। ଏହାବ୍ୟତୀତ ପୁଲିସ ଅଧିକାରୀଙ୍କ ଚାକିରି କାଳର ଉଲ୍ଲେଖନୀୟ ପ୍ରଦର୍ଶନ, ସାଧନା, ନିଷ୍ଠା, ସଚ୍ଚୋଟତା, ପ୍ରତିବଦ୍ଧତାକୁ ସ୍ବୀକୃତି ଦେବାକୁ ଯାଇ ଅନ୍ୟସବୁ ସେବା ପଦକ ପ୍ରଦାନ କରାଯାଇଥାଏ।

kannadaprabha.com

ଗତ ୨୦୨୦ ଜାନୁଆରି ୨୫, ସେହିବର୍ଷ ଅଗଷ୍ଟ ୧୪ ଏବଂ ୨୦୨୧ ଜାନୁଆରି ୨୫ ଏବଂ ସେହିବର୍ଷ ଅଗଷ୍ଟ୧୪ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଯେଉଁମାନଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ନାମ ଘୋଷଣା କରିଥିଲା, ସେମାନଙ୍କ ଛାତିରେ ଏଯାଏ ଏହି ପଦକ ଶୋଭା ପାଉନାହିଁ।

୨୦୨୦ରେ ୪୩ ଜଣ ଓ ୨୦୨୧ ଜଣ ୨୬ ଜଣ ପୁଲିସ ଅଧିକାରୀଙ୍କୁ ସରକାର ଏଥିରୁ ବଞ୍ଚିତ କରିଛନ୍ତି। ନିୟମ ଅନୁସାରେ, ଭାରତର ମୁଦ୍ରା ଯେଉଁଠାରେ ଛପାଯାଇଥାଏ, ସେହିଠାରେ ହିଁ ଏସବୁ ପଦକ ପ୍ରସ୍ତୁତ ହୁଏ। ନାମ ଘୋଷଣା ପୂର୍ବରୁ ଏସବୁ ପ୍ରସ୍ତୁତ ହୋଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଆସେ ଏବଂ ଯେ କୌଣସି ଗୋଟିଏ ଵିଙ୍ଗ୍ ମାଧ୍ୟମରେ କେନ୍ଦ୍ର ସରକାର ଏହାକୁ ରାଜ୍ୟର ଗୃହ ବିଭାଗକୁ ପ୍ରଦାନ କରିଥାନ୍ତି। ଗୃହ ବିଭାଗ ଏହାକୁ ଗୋଟିଏ ସ୍ବତନ୍ତ୍ର ଅଳଙ୍କାରୀକରଣ ଉତ୍ସବ ଆୟୋଜନ କରି ଅତିଥିଙ୍କ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ସାର୍ଟରେ ଲଗାଇବାର ବ୍ୟବସ୍ଥା ରହିଛି।

ହେଲେ ଏଭଳି ଗୋଟିଏ ସାମରିକ ପରମ୍ପରା କେମିତି ଅଟକିଯିବ? ଏ ନିଷ୍ପତ୍ତିଟି କିଏ ନେଲେ? ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ତାଙ୍କ ପଦକ ପ୍ରଦାନ କରିବାରୁ ବଞ୍ଚିତ ଅଧିକାର ରାଜ୍ୟ ସରକାରଙ୍କର ଅଛି କି? କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହାକୁ ଡାକ ଯୋଗେ ପଠାଯାଇପାରିବ ନାହିଁ କିମ୍ବା ଯେ କୌଣସି ଉତ୍ସବରେ ଦିଆଯାଇପାରିବ ନାହିଁ। ଏହା ଅନ୍ୟ ଯେ କୌଣସି ପଦକ ବା ପୁରସ୍କାର ଭଳି ଆଦୌ ନୁହେଁ। ଏହାକୁ କୌଣସି ପରିସ୍ଥିତିରେ କେହି ଏଡ଼ାଇପାରିବା କଥା ନୁହେଁ। ଏମିତି କେମିତି ହେଲା, ତାହା ଆଚମ୍ବିତ କଲାଭଳି ଗୋଟିଏ ପ୍ରସଙ୍ଗ।

ଅନ୍ୟ ଗୋଟିଏ ମହଲରୁ କୁହାଯାଉଛି ଯେ ସରକାର ଏହି ଉତ୍ସବକୁ କରୋନା ଆଳରେ ସ୍ଥଗିତ ରଖିଥିଲେ। ହେଲେ ଯେବେ ଏବର୍ଷ ପଦକ ଦିିଆଗଲା, ତା’ସହ ପୂର୍ବ ଦୁଇବର୍ଷର ଏହି ପଦକ ସଂପୃକ୍ତ ଅଧିକାରୀଙ୍କୁ ପିନ୍ଧାଇବାରେ ଅସୁବିଧା କେଉଁଠି ଥିଲା?

The Statesman

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ପୁଲିସ ସାରା ରାଜ୍ୟକୁ ସୁରକ୍ଷା ଦେଉଛି। ଦିନରାତି ଖରାବର୍ଷାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଏମିତିକି ମହାମାରି କୋଭିଡ୍‌ ସମୟରେ ଲୋକ ଭୟରେ ଘରୁ ବାହାରୁ ନଥିବା ବେଳେ ସେହି ପୁଲିସ ପ୍ରବାସୀ ଓଡ଼ିଆଙ୍କ ଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କୁ ସୁରକ୍ଷା ଦେଇଛି। କୋଭିଡ ସମୟରେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କୁ କୋଭିଡ୍‌ ଯୋଦ୍ଧା ବୋଲି ଘୋଷଣା କରାଯାଇଛି। ହେଲେ ସେମାନଙ୍କୁ ଯେତେବେଳେ ଜୀବନର ଶ୍ରେଷ୍ଠ ସ୍ବୀକୃତି ମିଳିବା କଥା, ତାହା ପ୍ରଦାନ କ୍ଷେତ୍ରରେ ଉଦାସୀନତା ଆଦୌ ଗ୍ରହଣୀୟ ନୁହେଁ। କାହିଁକି ଗୃହ ବିଭାଗ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଭୁଲିଗଲେ। ଏହା କ’ଣ ଆମ ପୁଲିସକୁ ସମ୍ମାନ?

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ପଦକ ପ୍ରଦାନ ଉତ୍ସବରେ ସରକାରଙ୍କ ପକ୍ଷରୁ ଗୃହ ସଚିବ ଏହି ପୁରସ୍କାର ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଏହା ମଧ୍ୟ ଗୋଟିଏ ଗ୍ରହଣଯୋଗ୍ୟ ଯୁକ୍ତି ନୁହେଁ ବୋଲି ଆଉ କିଛି ଅଧିକାରୀ ମତ ରଖୁଛନ୍ତି।

ଉଲ୍ଲେଖଥାଉକି, ରାଷ୍ଟ୍ରପତି ପୁଲିସ ପଦକ ପାଇଁ ପୁଲିସ ଡିଜି ନିଜ ରାଜ୍ୟର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ନାମ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥାନ୍ତି। ରାଜ୍ୟ ସରକାରଙ୍କ ସମ୍ମତି ଆଧାରରେ ଏହି ତାଲିକା କେନ୍ଦ୍ର ନିକଟକୁ ଯାଇଥାଏ। ଏବଂ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ହିଁ ଏସବୁକୁ ବିଚାରକୁ ନେଇ କେଉଁମାନେ ପଦକ ପାଇବେ, ତାହା ଘୋଷଣା କରିଥାନ୍ତି।

ସମ୍ବନ୍ଧିତ ଖବର