କଞ୍ଚାମାଲ୍‌ ଦର କମାଉନି ଓଏମ୍‌ସି: ବନ୍ଦ ଆଶଙ୍କାରେ କଳିଙ୍ଗନଗର ଶିଳ୍ପସଂସ୍ଥା

ଯାଜପୁର : ଇସ୍ପାତ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ‌ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ କମ୍ପାନି ସହିତ ଚୁକ୍ତିନାମା କରିବାରେ ବ୍ୟସ୍ତ। ଅଥଚ ଶିଳ୍ପାନୁଷ୍ଠାନର ସମସ୍ୟା ସମାଧାନ ପ୍ରତି ସେପରି ଆନ୍ତରିକ ଉଦ୍ୟମ ନାହିଁ। କଞ୍ଚାମାଲର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଇସ୍ପାତ ରାଜଧାନୀ କଳିଙ୍ଗନଗରର ଶିଳ୍ପଗୁଡ଼ିକରେ ସଙ୍ଗୀନ ସ୍ଥିତି ସୃଷ୍ଟି କଲାଣି।  ଲଗାତାର କ୍ଷତି ଦୃଷ୍ଟିରୁ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି। କେତେକ ଶିଳ୍ପ ଉତ୍ପାଦନ ହ୍ରାସ କରିଛନ୍ତି। ନିଜସ୍ୱ ଖଣି ନଥିବା ଲୁହାପଥର ଓ କ୍ରୋମାଇଟ ପାଇଁ ଓଡ଼ିଶା ଖଣି ନିଗମ (ଓଏମସି) ଉପରେ ନିର୍ଭରଶୀଳ। ଉଚିତ ମୂଲ୍ୟରେ କଞ୍ଚାମାଲ ପାଇବା ପାଇଁ ଶିଳ୍ପସଂସ୍ଥା ଗୁଡ଼ିକ ଓଏମସିର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କିଛି ସୁଫଳ ହେଉନାହିଁ। ଫଳରେ କାରଖାନାଗୁଡ଼ିକ ସ୍ଥିତି ଅସ୍ଥିରତା ଦେଇ ଗତି କରୁଅଛନ୍ତି।

ସୂଚନା ଅନୁସାରେ ଓଏମ୍‌ସି ଇ-ନିଲାମ ପ୍ରକ୍ରିୟାରେ ଲୁହାପଥର ଓ କ୍ରୋମାଇଟ ଯୋଗାଇ ଦେଉଛି। ଗତ ୪ ମାସର ଇ-ନିଲାମ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମେ, ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ବିକ୍ରି ପାଇଁ ରଖାଯାଇଥିବା ଲୁହାପଥର ପରିମାଣରୁ ଯଥାକ୍ରମେ ଶତକଡା  ୬୧, ୬, ୪୧ ଓ ୫୭ ପ୍ରତିଶତ ବିକ୍ରି ହୋଇପାରିଛି। ମେ, ଜୁନ, ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ନିଲାମରେ ବିକ୍ରି ପାଇଁ ରଖାଯାଇଥିବା କ୍ରୋମାଇଟ ପରିମାଣରୁ ଯଥାକ୍ରମେ ଶତକଡ଼ା ୨୦, ୩୨, ୨୫ ଓ ୧୮ ପ୍ରତିଶତ ବିକ୍ରି ହୋଇପାରିଛି। ବଳକା ଲୁହାପଥର ଓ କ୍ରୋମାଇଟ ଓଏମସିରେ ବିକ୍ରି ନହୋଇ ପଡିରହିଛି। ଅତ୍ୟଧିକ ପ୍ରାରମ୍ଭିକ ମୂଲ୍ୟ ଓ ଭୁଲ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ ଶିଳ୍ପସଂସ୍ଥାଗୁଡିକ ନିଲାମ ପ୍ରକ୍ରିୟାରେ ଭାଗନେଲେ ମଧ୍ୟ ଧାର୍ଯ୍ୟ ଦରରେ କଞ୍ଚାମାଲ କ୍ରୟ କରି କାରଖାନା ଚଳାଇବା କ୍ଷତିକାରୀ ବୋଲି କୁହାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ରିଭର୍ସ ବିଡିଂ ପ୍ରକ୍ରିୟା ଆପଣାଇବାକୁ କାରଖାନାଗୁଡ଼ିକ ଦାବି କରିଛନ୍ତି। ଏହି ପରିସ୍ଥିତିରେ ସୁଧାର ପାଇଁ କଳିଙ୍ଗନଗର ଶିଳ୍ପ ସଂଘ ଓ ଅନ୍ୟ ଶିଳ୍ପ ସମୂହ ଓ ବୁଦ୍ଧିଜୀବୀ ତୁରନ୍ତ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର