‘ସୁଗାର ଫ୍ରି ନୁହେଁ, କମ୍ କ୍ୟାଲୋରି’ ମିଠା ବୋଲି ଲେଖିବେ ଦୋକାନୀ

ମିଠା ଦୋକାନୀଙ୍କୁ ନେଇ ଆୟୋଜିତ ହେବ ‌ସଚେତନତା ବୈଠକ, ଖୁବ୍‌ଶୀଘ୍ର ଜାରି ହେବ ଉପଦେଶାବଳୀ

ଭୁବନେଶ୍ବର : ଏଣିକି କୌଣସି ମିଠା ଦୋକାନୀ ନିଜ ଦୋକାନରେ ପ୍ରସ୍ତୁତ ମିଠାକୁ ସୁଗାର୍‌ ଫ୍ରି’ ବୋଲି ଲେଖି ପାରିବେନି। ସୁଗାର୍‌ ଫ୍ରି’ ବଦଳ‌ରେ କମ୍‌ କ୍ୟାଲୋରିଯୁକ୍ତ ମିଠା ବୋଲି ଉଲ୍ଲେଖ କରିବେ। ସୁଗାର ଫ୍ରି’ ମିଠାକୁ ନେଇ ବିବାଦ ଦେଖାଦେବା ପରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛି ରାଜ୍ୟ ଖାଦ୍ୟ ନିରାପତ୍ତା ଆୟୁକ୍ତ। ଦୋକାନୀମାନଙ୍କୁ ସଚେତନ କରିବା ଲାଗି ଖୁବ୍‌ଶୀଘ୍ର ବୈଠକ ଆୟୋଜିତ ହେବ ବୋଲି ସୂଚନା ମିଳିଛି।

ମିଠା ଦୋକାନୀମାନେ ମଧୁମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ କରୁଥିବା ମିଠା ସୁଗାର୍‌ ଫ୍ରି’ ବୋଲି ଉଲ୍ଲେଖ କରୁଛନ୍ତି। ମାତ୍ର ପରୀକ୍ଷାଗାରରେ ପରୀକ୍ଷା ପରେ ଏଥିରେ ସୁଗାର ବା ଚିନି ଉପାଦାନ ରହିଥିବା ନଜରକୁ ଆସିଥିଲା। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏସବୁ ମିଠା ଉପାଦେୟ କି ନୁହେଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷ ବର୍ଷ ଧରି ମିଠା ଦୋକାନୀମାନେ ଲୋକଙ୍କୁ ସୁଗାର୍‌ ଫ୍ରି’ ମିଠା ନାଁରେ ଭଣ୍ଡେଇ ଚାଲିଥିବା ଅଭିଯୋଗ ହେଉଛି। ତେବେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇର ଗାଇଡଲାଇନ୍‌ରେ ସୁଗାର୍‌ ଫ୍ରି’କୁ ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ନାହିଁ। ଏଭଳି ପରିସ୍ଥିତିରେ ସୁଗାର୍‌ ଫ୍ରି’ ନାଁରେ ବିକ୍ରି ହେଉଥିବା ମିଠାକୁ କିଭଳି ଢଙ୍ଗରେ ଯାଞ୍ଚ କରାଯିବ, ତାହାକୁ ନେଇ ଖାଦ୍ୟ ନିରାପତ୍ତା ଅଧିକାରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ସୁଗାର ଫ୍ରି’ ପାଇଁ ଦୋକାନୀମାନେ କୃତ୍ରିମ ତରଳ ମିଠା ସାମଗ୍ରୀ(ଇଏଚ୍‌୦୧) ବ୍ୟବହାର କରୁଛନ୍ତି। ଏଥିରେ ଫ୍ରୁକ୍ଟୋ-ଓଲିଗୋସାକାରାଇଡ୍‌ ଓ ସୁକ୍ରାଲୋଜ୍ ରହିଛି। ତେଣୁ ଏହାକୁ ପରୀକ୍ଷାଗାରରେ ପରୀକ୍ଷା କଲେ ଏଥିରେ ସୁଗାର ବା ଚିନିର ଉପସ୍ଥିତିକୁ ବାଦ୍ ଦେଇହେବ ନାହିଁ। ଯାହାକି ସାଧାରଣରେ ସୁଗାର ଫ୍ରି ମିଠାରେ ଚିନି ରହିଥିବାର ଭ୍ରମ ସୃଷ୍ଟି କରୁଛି।

YouTube

ତେଣୁ ଏଭଳି ଦ୍ବନ୍ଦ୍ବାତ୍ମକ ପରିସ୍ଥିତିକୁ ଏଡ଼ାଇବା ଲାଗି ରାଜ୍ୟ ନିରାପତ୍ତା କାର୍ଯ୍ୟାଳୟ ପକ୍ଷରୁ ଏକ ଉପଦେଶାବଳୀ ଜାରି କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ମିଠା ପ୍ରସ୍ତୁତି ପାଇଁ ଦୋକାନୀମାନଙ୍କ ପାଇଁ ସେଭଳି କୌଣସି ଗାଇଡ୍‌ଲାଇନ୍‌ ନାହିଁ। ସେମାନେ ନିଜ ନିଜ ଅନୁସାରେ ମିଠା ତିଆରି କରିଥା’ନ୍ତି। ତେଣୁ ବିଭିନ୍ନ ଅଞ୍ଚଳରେ ଏହି ଖାଦ୍ୟ ପ୍ରସ୍ତୁତିର ଭିନ୍ନଭିନ୍ନ ଭାଗମାପ ରହିଛି। ଏସବୁ ଖାଦ୍ୟ ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ମାନଦଣ୍ଡ ଧାର୍ଯ୍ୟ କରାଯାଇ ନାହିଁ। ସୁଗାର ଫ୍ରି’ ପାଇଁ ଦୋକାନୀମାନେ ବ୍ୟବହାର କରୁଥିବା କୃତ୍ରିମ ତରଳ ମିଠା ସାମଗ୍ରୀରେ ଯଦିଓ ଚିନିର ଉପସ୍ଥିତି ରହିବ, ମାତ୍ର ତାହାର ପରିମାଣ କମ୍। ଏସବୁ ଦୃଷ୍ଟିରୁ ଦୋକାନୀମା‌ନଙ୍କ ବି‌ରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ନୁହେଁ। ମାତ୍ର ଦୋକାନୀମାନେ ସୁଗାର୍‌ ଫ୍ରି’ ପାଇଁ ଉପଲବ୍ଧ ମିଠା ସାମଗ୍ରୀ ବ୍ୟବହାର କରୁଛନ୍ତି କି ନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ। ଯଦି ସଂପୂର୍ଣ୍ଣ ଭାବେ ଚିନିର ଉପସ୍ଥିତିକୁ ବାଦ୍ ଦେଇ ମିଠା ପ୍ରସ୍ତୁତ କରାଯାଏ, ତାହାଲେ ଏହାର କେଜି ୨୫୦୦/୩୦୦୦ ଟଙ୍କାକୁ ବୃଦ୍ଧି ପାଇବ। ତେଣୁ ଦୋକାନୀମାନଙ୍କୁ ଏ ବାବଦରେ ସଚେତନ କରାଯିବ। ସେମାନେ ନିଜ ଦୋକାନରେ ସାଧାରଣ ଚିନିରେ ପ୍ରସ୍ତୁତ ହେଉଥିବା ମିଠାରେ କେତେ କ୍ୟାଲୋରି ରହୁଛି ଓ ସୁଗାର୍‌ ଫ୍ରି’ ମିଠାରେ କେତେ କ୍ୟାଲୋରି ରହିଛି, ତାହା ଉଲ୍ଲେଖ କରିବେ। ଫଳରେ ଲୋକମା‌ନଙ୍କୁ କୌଣସି ପ୍ରକାର ଦ୍ବନ୍ଦ୍ବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ହେଲେ ଏହାକୁ ଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ, ମଝିରେ ମଝିରେ ଏହାର ଯାଞ୍ଚ କରାଯିବ।

ସେହିପରି ଦୋକାନରେ ଉପଲବ୍ଧ ହେଉଥିବା ଖାଦ୍ୟ ପଦାର୍ଥ ପ୍ୟାକେଜିଂ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯିବ। ଅଧିକାଂଶ କ୍ଷେତ୍ରରେ ଦୋକାନୀଙ୍କ ଦ୍ବାରା ପ୍ରସ୍ତୁତ ମିଠା କିମ୍ବା ଅନ୍ୟାନ୍ୟ ସାମଗ୍ରୀରେ ଏହାର ଉତ୍ପାଦନ ଓ ବୈଧ ତାରିଖ ସଂପର୍କରେ କୌଣସି ଉଲ୍ଲେଖ ରହୁନାହିଁ। ତେଣୁ ଏହାକୁ କିଭଳି ପାଳନ କରାଯିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଆସନ୍ତା ବର୍ଷ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ୍ ଆୟୋଜିତ ହେବ। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଏସବୁ କିଭଳି ଠିକଣା ଢଙ୍ଗରେ ପାଳନ ହେବ, ତାହା ଉପରେ ଯୋଜନା କରାଯାଉଛି। ନିୟମିତ ଭାବେ ଦୋକାନୀମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟର ଯାଞ୍ଚ ହେବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର