ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ଢାଞ୍ଚା ବଦଳିବ। ବର୍ଷକୁ ଦୁଇଟି ଟର୍ମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଏଥିସହ ଇଣ୍ଟରନାଲ ଆସେସ୍‌ମେଣ୍ଟ ମଧ୍ୟ କରାଯିବ। ଏହାଦ୍ବାରା କରୋନା ଭଳି ମହାମାରୀ ସମୟରେ ପରୀକ୍ଷା ହୋଇ ନ ପାରିଲେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇବାକୁ ସହଜ ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ), ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ସି) ଢାଞ୍ଚା ଅନୁକରଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଯୋଜନା ପ୍ରସ୍ତୁତ କରିଛି। ଏନେଇ ଆସନ୍ତା ୨୬ ତାରିଖରେ ସିଏଚ୍‌ଏସ୍‌ଇ ଏକାଡେମିକ୍‌ କମିଟି ବୈଠକ ଡକାଯାଇଛି। ଯେଉଁଥିରେ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ଏସ୍‌ସିଇଆରଟି ନିର୍ଦେଶକ, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ସିଲାବସ୍‌ କମିଟିର ଅଧ୍ୟକ୍ଷମାନେ ଯୋଗଦେବେ। ଅପରାହ୍ଣରେ ବସିବାକୁ ଥିବା ଏହି ବୈଠକରେ ପ୍ରାଥମିକ ରୂପରେଖ ପ୍ରସ୍ତୁତ ହେବ। ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଲାବସ୍‌ର ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ। ସମ୍ପୂର୍ଣ୍ଣ ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ନା ଗତବର୍ଷ ପରି ଏଥର ମଧ୍ୟ ୭୦% ସିଲାବସ୍‌ ଆଧାରରେ ପାଠପଢ଼ା ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ସଦସ୍ୟମାନଙ୍କ ମତାମତ ଗ୍ରହଣ କରିବା ପରେ ସିଲାବସ୍‌ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର