ଓଡ଼ିଶାରେ ଘାତକ ହେବନି ତୃତୀୟ ଲହର! ୮୮୭ ପଜିଟିଭ୍, ୬୯ ମୃତ

୨୭ରୁ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ବର: କ‌ରୋନାର ସମ୍ଭାବ୍ୟ ତୃତୀୟ ଲହର ଦ୍ବିତୀୟ ଲହର ଭଳି ଘାତକ ନ ହୋଇପାରେ। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି, ଦେଶରେ ଦିନକୁ ୪/୫ଲକ୍ଷ ପଜିଟଭ୍ ଚିହ୍ନଟ ହେବେ ତ ଅନ୍ୟ ମଡେଲ କହୁଛି ଏତେଟା ପ୍ରଭାବ ପଡ଼ିବ ନାହିଁ। ଆଇଆଇଟି କାନପୁରର ‘ସୂତ୍ର’ ମଡେଲ ମଧ୍ୟ ଓଡ଼ିଶାର ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। ହେଲେ ଯେଉଁ ମଡେଲ ଯାହା ପୂର୍ବାନୁମାନ କରନ୍ତୁ, ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକା‌ଲରେ ଏକ୍‌ମୋ ଚିକିତ୍ସା ନେଇ ସେ କହିଛନ୍ତି ଯେ ଆସନ୍ତା ୨୭ ତାରିଖରେ ଏହା ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀସ୍ତରରେ ଏହା ସବୁଠାରୁ ବଡ଼ ୟୁନିଟ୍‌। ଗତକାଲି ଏନେଇ ‌ଏସ୍‌ସିବିରେ ସମୀକ୍ଷା କରାଯାଇଛି। ସମୁଦାୟ ୯ଟି ଏକ୍‌ମୋ ମେସିନ୍ କାର୍ଯ୍ୟକ୍ଷମ ବୋଲି ପ୍ରଫେସର୍‌ ମହାନ୍ତି ସୂଚନା ଦେଇଛନ୍ତି।

ଅପରପକ୍ଷରେ ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ଆଗକୁ କରୋନା ସିଜିନାଲ-ଫ୍ଲୁ ଭଳି ରହିବ। ବର୍ଷ ଶେଷ ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ଆଗାମୀ ବର୍ଷ ବେଳକୁ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଥିବ। ତେବେ ସମ୍ବେଦନଶୀଳ ବର୍ଗକୁ ବୁଷ୍ଟର ଡୋଜ୍ ଟିକା ଦେବାକୁ ପଡ଼ିପାରେ। ରାଜ୍ୟରେ ଗତ ୧୮ ତାରିଖ ପରଠାରୁ ଲଗାତାର ଭାବେ ଦୈନିକ ସଂକ୍ରମଣ ଶହେ ତଳେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩୧ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ସଂକ୍ରମଣ ହାର ୧.୨୯ପ୍ରତିଶତକୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୩୨୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଶହେ ତଳକୁ ଖସି ଆସିଥିବା କଟକରେ ସଂକ୍ରମଣ ପୁଣିଥରେ ଶହେ ପାର କରିଛି। ଜିଲ୍ଲାରେ ୧୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବାଲେଶ୍ବର ୫୬, ଯାଜପୁର ୪୩, ପୁରୀ ୩୯, ଜଗତସିଂହପୁର ୩୭, ମୟୂରଭଞ୍ଜ ୩୧, ସମ୍ବଲପୁର ୨୧, କେନ୍ଦୁଝର ୧୯, କେନ୍ଦ୍ରାପଡ଼ା ୧୫ ଓ ଷ୍ଟେଟ୍‌ ପୁଲରୁ ୬୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩ହଜାର ୨୧୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା କରାଯାଇଛି। କଟକରୁ ସର୍ବାଧିକ ୨୫, ଜଗତସିଂହପୁର ୨୧, ଢେଙ୍କାନାଳ ୯, ବାଲେଶ୍ବର, ଖୋର୍ଧାରେ ୩ ଲେଖାଏଁ, ପୁରୀ, ଗଞ୍ଜାମ, ଅନୁଗୁଳ ୨ ଲେଖାଏଁ, ଭଦ୍ରକ, କେନ୍ଦୁଝରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର