ଅବଧି ସରିଲା ପରେ ଟୋକନ୍‌କୁ ଆଉ ବୈଧ କରାଯିବ ନାହିଁ

ବିଧାନସଭାରେ ରୋକ୍‌ଠୋକ୍ ଶୁଣାଇ ଦେଲେ ମନ୍ତ୍ରୀ

ଧାନକିଣା ଅବ୍ୟବସ୍ଥା ଉପରେ ହେଲା ସ୍ବତନ୍ତ୍ର ଆଲୋଚନା
ଅସନ୍ତୁଷ୍ଟ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ବର : ପଞ୍ଜୀକୃତ ଚାଷୀଙ୍କୁ ବଳକା ଧାନ ବିକିବା ପାଇଁ ଟୋକନ୍ ଦିଆଯାଉଛି। ନିର୍ଦ୍ଦିଷ୍ଟ ତାରିଖରେ ସେମାନେ ମଣ୍ଡିକୁ ଧାନ ଆଣି ନ ପାରିଲେ ଏକ ମାସ ମଧ୍ୟରେ ଧାନ ବିକିବାର ସୁଯୋଗ ପ୍ରଦାନ କରାଯାଇଛି। ତେଣୁ ଟୋକନ୍‌ର ଅବଧି ଶେଷ ହେଲା ପରେ ତାହାକୁ ଆଉ ବୈଧ କରାଯିବ ନାହିଁ। ଆଜି ବିଧାନସଭାରେ ଧାନ କିଣା ନେଇ ବିରୋଧୀଙ୍କ ଉଦ୍‌ବେଗର ଏମିତି ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମନ୍ତ୍ରୀ ଯୁକ୍ତି କରିଛନ୍ତି ଯେ ଗୋଟିଏ ପକ୍ଷରେ ଦାବି କରାଯାଉଛି ଯେ ଚାଷୀର ନିଜର ଶସ୍ୟକୁ ନିଜେ ସୁରକ୍ଷିତ ଭାବେ ରଖିବାର ସୁବିଧା ନାହିଁ। ତେଣୁ ତା’କୁ ଅତିଶୀଘ୍ର ବିକ୍ରୟ କରିବା ପାଇଁ ସୁଯୋଗ ଦିଆଯାଉ। ଅଥଚ ଶୀଘ୍ର ବିକ୍ରୟ ପାଇଁ ସୁଯୋଗ ପ୍ରଦାନ କରାଗଲେ ସେହି ସୁଯୋଗର ସଦ୍‌ବ୍ୟବହାର ହେଉ ନାହିଁ। ସେ ପାଲଟା ଆରୋପ ଲଗାଇଛନ୍ତି ଯେ ବାହାରୁ ଧାନ ଆଣି ବିକିବା ପାଇଁ ସାନି ଟୋକନ୍‌ ଦେବାକୁ ଦାବି ହେଉଛି। ସରକାର ଏହା ଜାଣିଛନ୍ତି। ଏପରି କରିବାକୁ ଦିଆଯିବ ନାହିଁ।

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଧାନସଭା ଦୁଇ ଦିନ ଅଚଳ ହେଲା। ସର୍ବଦଳୀୟ ବୈଠକରେ ନିଷ୍କର୍ସ ବାହାରିଲା ପରେ ଆଜି ପ୍ରଥମାର୍ଦ୍ଧରେ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ହେଲା। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ, କ୍ରିୟାଶୀଳ ଓ ଚାଷୀ ଅନୁକୂଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଫଳରେ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହ ଓଡ଼ିଶାକୁ ଏକ ଚାଉଳ ବଳକା ରାଜ୍ୟରେ ପରିଣତ କରାଯାଇଛି। ରାଜ୍ୟ ସରକାର ଅନ୍‌ଲାଇନ୍ ଟୋକନ୍‌ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ପ୍ରଦାନ କରିଛନ୍ତି। କେଏମ୍‌ଏସ୍‌ ୨୦୨୦-୨୧ରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ଆଗୁଆ ଟୋକନ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସ୍‌ଏମ୍‌ଏସ୍‌ ଜରିଆରେ ପଞ୍ଜୀକୃତ ଚାଷୀଙ୍କ ମୋବାଇଲ୍‌କୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି। ତୃଣମୂଳ ସ୍ତରରେ ଟୋକନ୍‌ ପ୍ରଦାନରେ ଅନିୟମିତତା ଓ ସ୍ବେଚ୍ଛାଚାରିତାକୁ ଏହି ନୂଆ ଟୋକନ୍ ବ୍ୟବସ୍ଥା ପ୍ରତିହତ କରିଛି। ୨୦୨-୨୧ରେ ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୫୪ ଲକ୍ଷ ଓ ୧୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଏହା ଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସେମାନଙ୍କ ବଳକା ଧାନ ସଂଗ୍ରହ କରାଯାଉଛି। ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଅନ୍‌ଲାଇନ୍ ପ୍ରକ୍ରିୟାରେ ସିଧାସଳଖ ପଠାଯାଉଛି। ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ/ସଂଗ୍ରହକାରୀ ସଂସ୍ଥା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଧାନ ସଂଗ୍ରହରେ ଆର୍ଥିକ ସଙ୍କଟ ସମ୍ପର୍କରେ ଦର୍ଶାଇ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଯୋଗାଣ ନିଗମ ବାଣିଜ୍ୟିକ ବ୍ୟାଙ୍କରୁ ଋଣ ଆଣି ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିଥାଏ ଏବଂ ଚାଉଳ ପ୍ରକ୍ରିୟାକରଣ କାର୍ଯ୍ୟ ସମ୍ପାଦନ କରିଥାଏ। ପରେ ଭାରତ ସରକାର ଏହି ଖର୍ଚ୍ଚ ଭରଣା କରନ୍ତି। ଏହି ଋଣ ବାଣିଜ୍ୟିକ ସୁଧ ହାରରେ ହାସଲ କରାଯାଏ। ବିଳମ୍ବିତ ପ୍ରାପ୍ୟ ଭରଣା ହେତୁ ନିଗମ ପ୍ରାୟ ୧୨୦୦ କୋଟି ଟଙ୍କାର ସୁଧ ଭାର ବହନ କରୁଛି, ଯାହା ଭରଣା ହୋଇପାରୁ ନାହିଁ। କେନ୍ଦ୍ର ସରକାର ପ୍ରତି ତ୍ରୈମାସିକ ଅଗ୍ରୀମ ସବ୍‌ସିଡି ନିୟମିତ ଭାବେ ପ୍ରଦାନ କରୁ ନାହାନ୍ତି। ଯୋଗାଣ ନିଗମ ୭୩୪୮ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଅଗ୍ରୀମ ଓ ପ୍ରୋଭିଜ୍‌ନାଲ୍‌ ସବ୍‌ସିଡି ବାବଦରେ ପାଇବାକୁ ଅଛି। ସବ୍‌ସିଡି ଅର୍ଥରାଶି ପ୍ରସଙ୍ଗକୁ ସାଂସଦମାନେ ସଂସଦରେ ଉତ୍‌ଥାପନ କରିଛନ୍ତି। ଏଥିରେ ଚାଷୀଙ୍କ ସ୍ବାର୍ଥ ନିହିତ ଥିବାରୁ ସବୁ ଦଳ ସ୍ବର ଉଠାଇବା ଉଚିତ। ଧାନ କିଣା ପ୍ରସଙ୍ଗରେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ପ୍ରସଙ୍ଗରେ ସଭ୍ୟମାନଙ୍କ ଉଦ୍‌ବେଗକୁ ଆମେ ଲେଖି ରଖିଛୁ। ଯଦି ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ ଅଛି, ତାହା ଜଣାନ୍ତୁ।

କଂଗ୍ରେସ ବିଧା‌ୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଜଳସେଚିତ ଜମି ପାଇଁ ୧୯ କ୍ବିଣ୍ଟାଲ ଓ ଅଣ‌ଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ ଧାନ କିଣାଯିବ ପାଇଁ ସରକାର ନିର୍ଦ୍ଧାରଣ କରିଥିଲେ। ସମସ୍ତଙ୍କ ଠାରୁ ଏହା କିଣାଯିବ କି ନାହିଁ ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ।

ମନ୍ତ୍ରୀ କହିଥିଲେ ଯେ ଯେଉଁମାନଙ୍କୁ ଟୋକନ୍‌ ଦିଆଯାଇଛି ଓ ସେମାନେ ମାସକ ଭିତରେ ଧାନ ବିକି ନାହାନ୍ତି, ସେମାନଙ୍କୁ ଆଉ ଟୋକନ୍ ଦିଆଯିବ ନାହିଁ। ମାସକ ଭିତରେ ସେମାନେ କାହିଁକି ବିକିଲେନି ବୋଲି ମନ୍ତ୍ରୀ ପାଲଟା ପ୍ରଶ୍ନ କରିଥିଲେ।

ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହା ପରେ ବିଜେପି ସଭ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ବିଜେପି ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଯେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା କରି ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ଏସ୍‌ପିକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ବିଜେପି ସଭ୍ୟମାନେ କେନ୍ଦ୍ର ଉପରେ ଚାପ ପକାଇ ଧାନ କିଣା ବାବଦକୁ ବକେୟା ପାଉଣା ଆଣିବାର ବ୍ୟବସ୍ଥା କରନ୍ତୁ। ବିଜେପିର ଏମିତି ଦୋହରା ନୀତି ଚଳିବ ନାହିଁ।

ବାଚସ୍ପତି ରୁଲିଂ ଦେଇଥିଲେ ଯେ ମୁଁ ଗତ ୧୯ ତାରିଖରେ ଧାନ କିଣା ଉପରେ ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ମନ୍ତ୍ରୀଙ୍କୁ ବିବୃତି ଦେବାକୁ କହିଥିଲି। ଆବଶ୍ୟକ ପଡ଼ିଲେ ସାତ ଦିନ ଭିତରେ ଆଉ ଥରେ ମଧ୍ୟ ବିବୃତି ଦେବାକୁ କହିଥିଲି। କିନ୍ତୁ ୨୦ ତାରିଖରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜିର ସ୍ବତନ୍ତ୍ର ଆଲୋଚନା ହୋଇଛି। ସଭ୍ୟମାନଙ୍କ ଉଦ୍‌ବେଗର ଉତ୍ତର ମନ୍ତ୍ରୀ ରଖିଛନ୍ତି। ତେଣୁ ଆଉ ସାତ ଦିନ ଭିତରେ ସାନି ବିବୃତି ଦେବାର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର