ଆସିଲା ପର୍ଯ୍ୟଟନ ଋତୁ, ପର୍ଯ୍ୟଟନସ୍ଥଳୀରେ ଭୋଜିଭାତର ଆସର

ଜୟପୁର: ବର୍ଷର ଶେଷ ମାସ ହୋଇଥିବାରୁ  ଆରମ୍ଭ ହୋଇଛି ପିକନିକ୍।  ଗୋଟିଏ ପଟେ ଶୀତ ଏବଂ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ। ସହରର ଚତୁଃପାର୍ଶ୍ବରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

Local Guides Connect

ମାଳିଗୁଡା ‌ରେଳ ବ୍ରିଜ୍ , ଟନେଲ ଓ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ: ସହର ଠାରୁ ୧୦ରୁ ୧୨କିଲୋମିଟର ଦୁରତା ମଧ୍ୟରେ ରହିଛି ମାଳିଗୁଡା ଝୁଲା ରେଳ ବ୍ରିଜ୍ ଓ ତେଲଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ। ଉଭୟ ପର୍ଯ୍ୟଟନସ୍ଥଳୀକୁ ଜୟପୁର ଓ କୋରାପୁଟ, ବୋରିଗୁମ୍ମା ପଟରୁ ବି ଯିବା ପାଇଁ ରାସ୍ତା ରହିଛି।  ପାହାଡ, ପର୍ବତ ମଧ୍ୟରେ ତେଳିଙ୍ଗିରୀ ଜଳସେଚନ ପ୍ରକଳ୍ପ ଅତ୍ୟନ୍ତ ମନୋହର। ଏହା ପାର୍ଶ୍ବ ଦେଇ ବି ରେଳ ଲାଇନ୍ ଯାଇଛି।

ଗଡ଼ପଦର: ଜୟପୁର ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଗଡ଼ପଦର। ସବୁଜ ବନାନୀ, ପାହାଡ଼ିଆ ଝରଣା, ଗୋଟିଏ ପାର୍ଶ୍ବରେ କୋଲାବ ମୁଖ୍ୟକେନାଲ ଓ ଏହା ସାଙ୍ଗକୁ ରେଳଲାଇନ୍  ଏବଂ ଏହାର ତଳଭାଗକୁ ହଜାର ହଜାର ହେକ୍ଟରର ଧାନ ଜମି ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରିଥାଏ।

ପାତ୍ରପୁଟ: ଜୟପୁର ସହରଠାରୁ ୧୫ କିଲୋମିଟର ଦୂରରେ ଡଙ୍ଗରଛିଞ୍ଚି ପାହାଡ ନିକଟରେ ରହିଛି ପାତ୍ରପୁଟ। ଏହିଠାରେ ରହିଛି ବ୍ରିଟୀଶ ସରକାର ଅମଳର ଏକ ପୁରାତନ ଲୁହା ବ୍ରିଜ୍। ଏହି ବ୍ରିଜଟି ଦେଇ ଯାଇଛି ବିଜୟୱାଡା-ରାଂଚି କରିଡ଼ର ୩୨୬। ଜୟପୁର ସହ ମାଲକାନଗିରିକୁ ଯୋଡୁଛି। ଏହି ବ୍ରିଜର ନିମ୍ନ ଦେଶରେ ଓ ଏହାର ପାଖରେ ରହିଛି ଏକ ୨ଟି ସୁଦୀର୍ଘ ପିକନିକ ସ୍ପଟ। ବ୍ରିଜ୍ ତଳେ କୋଲାବ ନଦୀର ପାଣି ଗୋଟିଏ ସ୍ଥାନ ଖୋଲା ରହିଥିବା ବେଳେ ଅନ୍ୟଟିରେ ଆକାଶୀ ବଣ ମଧୢରେ ବୋହି ଯାଉଛି।

Fine Art America

କୋଲାବ: ଜୟପୁର ସହରରୁ  କୋରାପୁଟ ଆଡକୁ ଯାଇ ଦେଓଘାଟି ଛକରୁ ବୁଲି ପଡ଼ିଲେ ପ୍ରାୟ ୧୩କିଲୋମିଟର ଗଲେ ପଡିବ ଉପର କୋଲାବ ଓ ତଳ କୋଲାବ। ଏହା ସମୁଦ୍ରପୃଷ୍ଠରୁ ୩୦୦୦ଫୁଟ ଉଚ୍ଚରେ ଥିବାରୁ ଏହାର ପରିବେଶ ଅତି ମନୋରମ। ଏହିଠାରେ ଜଳରୁ ବିଦ୍ୟୁତ ଉତ୍ପଦନ କିପରି କରାଯାଉଛି କର୍ତ୍ତୃପକ୍ଷଙ୍କ ଅନୁମତି  ନେଇ ଦେଖିବି ପାରିବେ । ଏଠାରେ ଥିବା ଜଳଭଣ୍ଡାରକୁ ଦେଖିବା ସହ ବୋଟିଂ କରି ପାରିବେ ପର୍ଯ୍ୟଟକ। ଏଠାକୁ ଯିବାକୁ  ଜୟପୁର ବସଷ୍ଟାଣ୍ତରୁ କିମ୍ବା କୋରାପୁଟ ବସଷ୍ଟାଣ୍ତରୁ ଟ୍ୟାକ୍ସି, କାର, ଅଟୋ କିମ୍ବା ବାଇକରେ ଯାଇ ପାରିବେ। ସେଭଳି ବଗେଇପଦର ପାର୍ଶ୍ବରୁ ସହର ଏବଂ ପ୍ରକଳ୍ପର ତଳଭାଗ ଦେଖିବାକୁ ୱାଚ୍ ଟାୱର ବି ରହିଛି। ଏଠାରୁ ଅତ୍ୟନ୍ତ ମନୋହର ଦୃଶ୍ୟ ବି ଦେଖି ପାରିବେ।

ଏସ୍-ୱାଟରଫଲ: ବାରିଣିପୁଟ ପଞ୍ଚାୟତ ଅଧୀନରେ ରହିଛି ଏହି ଏସ-ୱାଟରଫଲ। ଏହିଠାରେ ପାହାଡରୁ ୫୦ ଫୁଟ ଉପରୁ ତଳକୁ ପାଣି ପ୍ରପାତ ଭଳି ଖସୁଛି।

ଶୀତଳାଗୁଡି: ଜୟପୁର ଆଇନ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ କିଛି ଦୂର ଗଲେ ପଡିବ ଶୀତଳୀ ମା’ଙ୍କ ମନ୍ଦିର। ବର୍ଷ ତମାମ ଏଠାରେ ପିକନିକ୍ ହୋଇଥାଏ।

ହାତୀଶାଳ: ସହରର ଅତି ନିକଟରେ ମାତ୍ର ୨କିଲୋ ମିଟର ମଧ୍ୟରେ ରହିଛି ହାତୀଶାଳ। ଜୟପୁର ରାଜାଙ୍କ ହାତୀ ସବୁ ଏଠାରୁ ରହୁଥିବା ଜନଶ୍ରୁତି। ସହରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିଲେ ମଧୢ ଏହା ଏବେ  ଏକ ପିକନିକ୍ ସ୍ପଟ ପାଲଟିଗଲାଣି। ଏହି ସ୍ଥାନରେ ଏବେ ୪୦୦ ବର୍ଷର ତଳର ପୁରାତନ କପିଳେଶ୍ବର ମନ୍ଦିର ରହିଛି।

ୟେଲୋ ବ୍ରିଜ୍: ସତୀ ନଦୀ କୂଳରେ ରହିଛି ୟେଲୋ ବ୍ରିଜ। ଏଠାକୁ ମର୍ଣ୍ଣିଂ ଓ ଇଭିନିଂ ୱାକରେ ସହରବାସୀ ଆସୁଥିଲେ ହେଁ ଡିସେମ୍ବର ମାସରେ ଏହା ପିକନିକ୍ ସ୍ପଟ ପାଲଟିଥାଏ।

ଏହା ସାଙ୍ଗକୁ ସହର ପାର୍ଶ୍ବରେ ଥିବା ନାକଟି ଡଙ୍ଗର ,ଗଡ଼ପଦର ,ରାମଗଡ଼ ଏବଂ ମାଳିକରଚି  ପରି ସୁଉଚ୍ଚ ପର୍ବତ ଓ ଏହାରି ମଧ୍ୟରେ ପାହାଡି ଝରଣା ତଥ‌ା ସୁନ୍ଦର ଆକାଶ ଓ  ଘନ କୁହୁଡି , ସୂର୍ଯ୍ୟ ଏସବୁକୁ ଅତିକ୍ରମ କରି ଯିବା ସମୟରେ ଦେଖାଯାଏ  ପ୍ରକୃତିର ଅତି ମନୋରମ ଶୋଭାରାଜି।  ସହରର ଚାରି ପାର୍ଶ୍ବରେ ଥିବା କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବୁଲିବା ପାଇଁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପିକନିକ୍ ସ୍ପଟ ବୁଲା ଏବଂ ତା ସାଙ୍ଗକୁ ଜୋର ଧରିଛି ଭୋଜିଭାତ।

ସମ୍ବନ୍ଧିତ ଖବର