ମହାନଦୀ ସ୍ଥିତି ଅନୁଧ୍ୟାନ କଲେ ଟ୍ରିବ୍ୟୁନାଲ୍‌

ବିଶେଷଜ୍ଞଙ୍କ ସହ ଆଲୋଚନା କଲେ, ଆଜି ଚିଲିକା ମୁହାଣ ପରିଦର୍ଶନ କରିବେ

କଟକ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ସଦସ୍ୟମାନେ ୧୦ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଦିନ କଟକରେ ପହଞ୍ଚିଛନ୍ତି। ମହାନଦୀର ସ୍ଥିତି ଅନୁଧ୍ୟାନ କରିବା ସହିତ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି।

ପୂର୍ବାହ୍ନ ସାଢ଼େ ୧୧ଟାରେ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ବିଚାରପତି ଜ‌ଷ୍ଟିସ୍ ଏ.ଏମ୍‌. ଖାନ୍‌ୱଲିକର୍‌ଙ୍କ ସମେତ ଅନ୍ୟ ବିଚାରପତିମାନେ ସପତ୍ନୀକ ମହାନଦୀର ମୁଣ୍ଡଳୀରେ ପହଞ୍ଚିଥିଲେ। ଏହିଅବସରରେ ସଦସ୍ୟମାନେ ମୁଣ୍ଡଳୀ ବ୍ୟାରେଜ୍‌ରେ ମହାନଦୀର ଜଳସ୍ତର ଅନୁଧ୍ୟାନ କରିବା ସହିତ ଓଡ଼ିଶାର ବିଶେଷଜ୍ଞମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ସେଠାରେ ସଦସ୍ୟମାନେ ମହାନଦୀରୁ ବାହାରିଥିବା ପୁରୀ ମୁଖ୍ୟ କେନାଲ୍‌ ଦେଖି ଏହା ବିଷୟରେ ପଚାରି ବୁଝିଥିଲେ। ପରେ ଟ୍ରିବ୍ୟୁନାଲ୍ ଟିମ୍‌ ସାପୁଆ ନଦୀ ଓ ମହାନଦୀର ସଂଯୋଗସ୍ଥଳ ବୁଲି ଦେଖିଥିଲେ। ସେଠାରୁ ନରାଜ ହିଲ୍‌ଟପ୍‌ ବଙ୍ଗଳ‌ାରେ କିଛି ସମୟ ଅତିବାହିତ କରି ସଦସ୍ୟମାନେ ନରାଜ୍‌ ବ୍ୟାରେଜ୍‌ ପରିଦର୍ଶନ କରିବା ସହ ମହାନଦୀ ଓ କାଠଯୋଡ଼ିର ମିଳନସ୍ଥଳ ବୁଲି ଦେଖିଥିଲେ। ବ‌ର୍ଷର ବିଭିନ୍ନ ସମୟରେ ଏଠାରେ ଜଳସ୍ତର ବିଷୟରେ ସେମାନେ ଉପସ୍ଥିତ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ପଚାରି ବୁଝିଥିଲେ।


ଅପରାହ୍ନରେ ସଦସ୍ୟମାନେ ମହାନଦୀ ତଳମୁଣ୍ଡ ପରିଦର୍ଶନରେ ବାହାରିଥିଲେ। ଅପରାହ୍ନ ସାଢ଼େ ୩ଟାରେ ଟ୍ରିବ୍ୟୁଟାଲ୍ ସଦସ୍ୟମାନେ ରିଂବନ୍ଧ, ଯୋବ୍ରା ବ୍ୟ‌ାରେଜ୍ ଛକ, ଯୋବ୍ରା ଆନିକଟ ଦେଇ ଜଗତପୁରସ୍ଥିତ ଯୋବ୍ରା ବ୍ୟ‌ାରେଜ୍‌ ଛକରେ ମହାନଦୀ ଓ ବିରୂପା ନଦୀର ସ୍ଥିତି ଦେଖିଥିଲେ। ‌ଜଗତପୁର ବ୍ୟାରେଜ୍‌ ଛକରେ ପାଖାପାଖି ୩୦ମିନିଟ୍ କାଳ ବିଭିନ୍ନ ବିଭାଗର ଅଧିକାରୀ ଓ ଉପସ୍ଥିତ ବିଶେଷଜ୍ଞଙ୍କ ସହ ସେମାନେ ଆଲୋଚନା କରିଥିଲେ। ସଦସ୍ୟମାନେ ଯୋବ୍ରା ବ୍ୟାରେଜ୍‌ ଦୁଇ ପାର୍ଶ୍ବରେ ମହାନଦୀରୁ ବାହାରିଥିବା କେନ୍ଦ୍ରାପଡ଼ା କେନାଲ ଓ ତାଳଦଣ୍ଡା କେନାଲ ବିଷୟରେ ବୁଝିଥିଲେ। ସେଠାରୁ ବିରୂପା ବ୍ୟାରେଜ୍ ଯାଇ ବିରୂପା ନଦୀ ଓ ବିରୂପା କେନାଲ ପରିଦର୍ଶନ କରିବା ସହ ଯୋବ୍ରା ବ୍ୟାରେଜ୍‌ ଦେଇ ନୌବାଣିଜ୍ୟ ସଂଗ୍ରହାଳୟରେ ପହଞ୍ଚିଥିଲେ। ଏହାପରେ ଟ୍ରିବ୍ୟୁଟାଲ୍‌ ସଦସ୍ୟମାନେ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ନୌବାଣିଜ୍ୟ ସଂଗ୍ରହାଳୟରୁ ଟ୍ରିବ୍ୟୁନାଲ୍‌ ସଦସ୍ୟମାନେ ଭୁବନେଶ୍ବର ଫେରିଯାଇଥିଲେ। ଆଜି ଟ୍ରିବ୍ୟୁନାଲ ଟିମ୍‌ ଚିଲିକା ବୁଲିବା ସହ ଚିଲିକା ମୁହାଣ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଟ୍ରିବ୍ୟୁନାଲ ଟିମ୍‌ରେ ଅଧ୍ୟକ୍ଷ ଜଷ୍ଟିସ୍ ଖାନ୍‌ୱଲିକରଙ୍କ ସମେତ ବିଚାରପତି ଡକ୍ଟର ଜଷ୍ଟିସ୍ ରବିରଞ୍ଜନ, ଜଷ୍ଟିସ୍ ଏ.କେ. ପାଠକ, ଜଷ୍ଟିସ୍ ଇନ୍ଦିରମିତ୍‌ କୌର୍ କୋଚର୍‌, ଓଡ଼ିଶା ଓ ଛତିଶଗଡ଼ର ବିଶେଷଜ୍ଞ ଦଳ ଏବଂ ଉଭୟ ରାଜ୍ୟର ପ୍ରତିନିଧି ଦଳ ଉପସ୍ଥିତ ଥିଲେ। ଏହି ପ୍ରତିନିଧି ଦଳକୁ ଜିଲ୍ଲାପାଳ ଡକ୍ଟର ଭାବନୀଶଙ୍କର ଚୟନୀ, ଉପଜିଲ୍ଲାପାଳ କମଳଜିତ୍‌ ଦାସ, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର