ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସତ୍ୟପାଠ: କାହାର ପାହୁଲାଟିଏ ନାହିଁ ତ କିଏ ‌ଲକ୍ଷପତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍‌ କୁବେରପୁରୀ ଭାବେ ଜଣାଶୁଣା। ତେଣୁ ଏହି ବ୍ଲକ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସାଧାରଣତଃ କୋଟିପତି ହୋଇଥିବେ ବୋଲି ସମସ୍ତଙ୍କ ଧାରଣା ରହିଛି। ଖାସ୍‌ ଏଇଥିପାଇଁ ଏହି ବ୍ଲକ୍‌ର ଏକାଧିକ ଜିଲ୍ଲାପରିଷଦ ପ‌୍ରାର୍ଥୀଙ୍କ ସତ୍ୟପାଠ ଆମେ ପରଖିଥିଲୁ। ଏମାନଙ୍କ ମଧ୍ୟରୁ କିଛି ଲକ୍ଷପତି ଥିବା ବେଳେ କିଛି ପ୍ରାର୍ଥୀଙ୍କ ପାହୁଲାଟିଏ ବି ନାହିଁ। ଯୋଡ଼ା ବ୍ଲକ୍‌ ୨୬ ନମ୍ବର ଜୋନ୍‌ର ପ୍ରାର୍ଥୀ ହେଉଛନ୍ତି ଶଶିକାନ୍ତ ଖିଲାର। ବିଜେଡି ଟିକଟରେ ସେ ନିର୍ବାଚନ ଲଢ଼ୁଛନ୍ତି। ଶଶିକାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଡିପ୍ଲୋମା ଇଞ୍ଜିନିୟରିଂ। ଶଶିକାନ୍ତଙ୍କ ନାମରେ କୌଣସି ଜମିଜମା ନଥିବା ବେଳେ ଗୋଟିଏ ମୋଟରସାଇକଲ ଅଛି। ଯାହାର ମୂଲ୍ୟ ୪୫ ହଜାର ଟଙ୍କା। ସେହିପରି ତାଙ୍କ ପାଖରେ ୧୦ ଗ୍ରାମ ରୁପା ଅଳଙ୍କାର ରହିଛି। ଯାହାର ମୂଲ୍ୟ ମାତ୍ର ୮୦୦ ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ଗୋଟିଏ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବାବେଳେ ସେଥିରେ ମାତ୍ର ୧୦ ହଜାର ଟଙ୍କା ଜମା ରହିଛି।

ସେହିପରି ଅନ୍ୟଟି ଆନ୍ଧ୍ର ବ୍ୟାଙ୍କରେ ଥିବାବେଳ ଏଥିରେ ୫ ହଜାର ଟଙ୍କା ଜମା ରହିଛି। ୨୮ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ହେଉଛନ୍ତି ଦିଲ୍ଲୀପ କୁମାର ନାଏକ। ଦିଲ୍ଲୀପ କୁମାର ନାଏକ ରିମୁଳି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିଛନ୍ତି। ତାଙ୍କ ନାମରେ ୩୦ଲକ୍ଷ ଟଙ୍କା ଋଣ ରହିଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସ ଜମାଖାତାରେ ତାଙ୍କର ମୋଟ ଦେଢ଼ଲକ୍ଷ ଟଙ୍କା ଜମା ରହିଛି। ଦିଲ୍ଲୀପଙ୍କ ନାମରେ ଗୋଟିଏ ଟ୍ରକ୍‌ ଏବଂ ଗୋଟିଏ ଟିପର ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର ସୁନାରୁପା ଗହଣା ନଥିବା ବେଳେ ଏକ ଜମି ରହିଛି। ଯାହାର ମୂଲ୍ୟ ୭ ଲକ୍ଷ ୨୦ ହଜାର ଟଙ୍କା ବୋଲ ଦିଲୀପ ସତ୍ୟପାଠରେ ଦର୍ଶାଇଛନ୍ତି। ୨୬ ନମ୍ବର ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବଳୁ ଦଳବେହେରା। ମାଟ୍ରିକ ପାସ୍‌ କରିଥିବା ବଳୁଙ୍କ ନାମରେ ଗୋଟିଏ ବି ମାମଲା ନାହିଁ। ତାଙ୍କ ନାମରେ କୌଣସି ଯାନବାହନ ନଥିବା ବେଳେ ସୁନାରୁପା ଗହଣା ବି ନାହିଁ। ସବୁଠୁ ବଡ଼ କଥା ‌ହେଉଛି ତାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ବୋଲି ବଳୁ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି। ୨୭ ନମ୍ବର ଜୋନ୍‌ରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବନ୍ଦିତା ହାଁସଦା। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନରେ ଡିପ୍ଲୋମା କରିଥିବା ବନ୍ଦିତାଙ୍କ ନାମରେ ଗୋଟିଏ ବି ମାମଲା ନାହିଁ।

ସେ କୌଣସି ବ୍ୟାଙ୍କରୁ ଋଣ କରି ନଥିବା ବେଳେ ଯୋଡ଼ାସ୍ଥିତ ଏସ୍‌ବିଆଇରେ ତାଙ୍କର ଏକ ଜମାଖତା ଅଛି। ଏଥିରେ ମାତ୍ର ୫୦୦ ଟଙ୍କା ଜମା ଅଛି। ସେହିପରି ତାଙ୍କ ନାମରେ କୌଣସି ଯାନବାହନ ନାହିଁ ବନ୍ଦିତା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ତାଙ୍କ ପାଖରେ ସୁନା ୧୦ ଗ୍ରାମ ଅଛି। ଯାହାର ମୂଲ୍ୟ ୪୦ ହଜାର ଟଙ୍କା। ରୁପା ୧୦ ଗ୍ରାମ ଅଛି। ଯାହାର ମୂଲ୍ୟ ୫ ହଜାର ଟଙ୍କା। ବନ୍ଦିତାଙ୍କ ନାମରେ କୌଣସି ଜମିବାଡ଼ି ନାହିଁ ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ଜୋନ୍‌ ନମ୍ବର ୨୬ରୁ ଆମ ଆଦ୍‌ମୀ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଦୀପୁ କୁମାର ମହାନ୍ତ। ଦୀପୁଙ୍କ ନାମରେ କୌଣସି ଜମିଜମା ନଥିବା ବେଳେ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ମଧ୍ୟ ନାହିଁ। ତାଙ୍କର ଏକ ଟ୍ରକ୍‌ ରହିଛି। ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା। ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବନ୍ଧନ ବ୍ୟାଙ୍କ ଏବଂ  ଏସ୍‌ବିଆଇରେ ତାଙ୍କର ଜମାଖାତା ଅଛି। ଯେଉଁଥିରେ ମୋଟ ୨୭୦୦ ଟଙ୍କା ଜମା ଅଛି। ଦୀପୁଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ।

ସମ୍ବନ୍ଧିତ ଖବର