ଶାସକ ଦଳର ନିୟମ ଉଲ୍ଲଂଘନକୁ ଦୃଷ୍ଟି ଦିଅନ୍ତୁ ନିର୍ବାଚନ ଆୟୋଗ: ନିରଞ୍ଜନ

ଭୁବନେଶ୍ବର: କରୋନା ପାଇଁ ନିର୍ବାଚନ ଆୟୋଗ ୫ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ପାଇଁ ନିୟମ କରିଥିଲେ। ମାତ୍ର ଶାସକ ଦଳ ଶତାଧିକ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି। ସେମାନେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ କରୁଥିବା ନେଇ ନିର୍ବାଚନ ଆୟୋଗ ନିରବଦ୍ରଷ୍ଟା ସାଜିଛନ୍ତି। ଗଣତନ୍ତ୍ରର ସୁରକ୍ଷା, ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖିବା ସହିତ ଶାସକ ଦଳ ପ୍ରତି ଦୃଷ୍ଟି ଦେବାକୁ ଆୟୋଗକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପ୍ରଚାର ‌କଟକଣା କୋହଳ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଦଳ ସ୍ବାଗତ କରୁଛି। ମାତ୍ର ଶାସକ ଦଳ ଦ୍ବାରା ନିୟମ ଉଲ୍ଲଂଘନ ପ୍ରତି ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ସତର୍କ ନ ରହିବା ଏକ ଦୁଃଖଦାୟକ ଓ ପରିତାପର ବିଷୟ। କେନ୍ଦ୍ରରେ ଥିବା ବିଜେପି ଓ ରାଜ୍ୟ ଶାସନରେ ଥିବା ବିଜେଡି ବ୍ୟାପକ ପରିମାଣରେ ଅର୍ଥ ବଳ ପ୍ର‌ୟୋଗ କରିବା ସହ ବହୁବଳ ଓ ଶାସନ କଳର ଅପବ୍ୟବହାର କରିବା ଫଳରେ ନିର୍ବାଚନ ମୁକ୍ତ ଓ ଅବାଧ ରହିପାରୁନାହିଁ। ତେଣୁ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ପଟ୍ଟନାୟକ ଆୟୋଗଙ୍କୁ ଅନୁରୋଧ କରିଥିବା ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର