ଟିକାକରଣ ଲକ୍ଷେ ଟପିଲା: ସୋମବାର ୧ଲକ୍ଷ ୧୫ହଜାର ୯୯୭ଜଣଙ୍କୁ ଟିକା ଦିଆଯାଇଛି

ଜଗତସିଂହପୁର, କେନ୍ଦ୍ରାପଡ଼ାରେ ହେବନି ଟିକାକରଣ, ଟିକା ଉତ୍ପାଦନକାରୀ ତାଲିକାରେ ରାଜ୍ୟର ୩ ହସ୍ପିଟାଲ

ଭୁବନେଶ୍ବର: ୮ଦିନର ବ୍ୟବଧାନ ପରେ ରାଜ୍ୟରେ ଆଜି ପୁଣିଥରେ କରୋନା ଟିକାକରଣ ୧ଲକ୍ଷ ସଂଖ୍ୟା ଟପିଛି। ଆଜି ୧ଲକ୍ଷ ୧୫ହଜାର ୯୯୭ଜଣଙ୍କୁ ଟିକା ଦିଆଯାଇଛି। ଏଥିପାଇଁ ସମୁଦାୟ ୭୧୫ଟି ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିଲା। ରାଜ୍ୟରେ ଟିକାର ଉତ୍କଟ ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଦୈନିକ ୨ଲକ୍ଷ ଟିକାକରଣ ସମ୍ଭବ ହୋଇପାରୁ ନାହିଁ। ଅପରପକ୍ଷରେ ଆସନ୍ତାକାଲି ଜଗତସିଂହପୁର ଓ କେନ୍ଦ୍ରାପଡ଼ା‌ରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟର ୨୮ଟି ଜିଲ୍ଲାରେ ସମୁଦାୟ ୫୬୪ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ଆଜି ୪୫ବର୍ଷରୁ ଅଧିକ ୬୪,୮୨୧ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ୬୭୪୨ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୧୮-୪୪ବର୍ଷର ୨୮,୮୧୩ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୭ଲକ୍ଷ ୩୫ହଜାର ୬୪୦ଜଣ କରୋନା ଟିକା ନେଇ ସାରିଲେଣି। ‌ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ ଓ ୮୭ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୧୩ ପ୍ରତିଶତ ପ୍ରଥମ, ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତୃତୀୟ ପର୍ଯ୍ୟାୟ ଟିକାକରଣ‌ରେ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲମାନଙ୍କୁ ସିଧାସଳଖ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ ଟିକା ଆଣି ଲୋକଙ୍କୁ ଦେବା ଲାଗି ଅନୁମତି ଦେଇଛନ୍ତି।

ଏଥିରେ ରାଜ୍ୟର ୩ଟି ଘରୋଇ ହସ୍ପିଟାଲ ସାମିଲ ରହିଥିବା ସୂଚନା ମିଳିଛି। ଭୁବନେଶ୍ବର ସମ୍ ହସ୍ପିଟାଲ, ବ୍ରହ୍ମପୁରରେ ଖ୍ରୀଷ୍ଟିୟାନ ହସ୍ପିଟାଲ ଓ ବରଗଡ଼ରେ ଈଶ୍ମର ହସ୍ପିଟାଲ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ତେବେ ଏହି ୩ ହସ୍ପିଟାଲକୁ ପ୍ରସ୍ତୁତକାରୀ କମ୍ପାନି ଏ ଯାଏ ଟିକା ଦେଇ ନାହାନ୍ତି। ଯଦି ହସ୍ପିଟାଲମାନଙ୍କ ପାଖରେ ଟିକା ପହଞ୍ଚେ ତାହେଲେ ସେମାନେ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ସୂଚନା ଦେବେ। ସେହିପରି ରାଜ୍ୟ ସରକାର ମଧ୍ୟ ୧୮-୪୪ବର୍ଗର ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲରେ ଟିକା ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି। ମାତ୍ର ଅଧିକ ଟିକା ଉପଲବ୍ଧ ହେଲେ ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର