ପାଗ ବିଗିଡ଼ିଗଲା: ଗଣ ଅଣ୍ତାଦାନ ବ୍ୟାହତ, କୂଳରେ ଥାଇ ବି ଅଣ୍ତା ଦେଉନାହାନ୍ତି

ଭିଜା ବେଳାଭୂମି ବାଧକ

ରାଜନଗର: ମାର୍ଚ୍ଚ ମାସ ସରିବାକୁ ବସିଲାଣି କିନ୍ତୁ ଏ ଯାଏ ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇପାରୁନି। କୂଳରୁ ୫ ଶହ ମିଟର୍‌ ମଧ୍ୟରେ ଲକ୍ଷାଧିକ ମା’ କଇଁଛ ଠୁଳ ହୋଇଥିଲେ ବି ଗଣ ଅଣ୍ତାଦାନ ପାଇଁ ବାଲୁକା ଶଯ୍ୟା ଉପରକୁ ଆସୁନାହାନ୍ତି। ଜଳବାୟୁ ପରିବର୍ତ୍ତନ ସହ ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ମାର୍ଚ୍ଚ ୩ୟ ସପ୍ତାହରେ ଲଗାଣ ବର୍ଷା ହେଉଛି। ପାଗ ଅନୁକୂଳ ହେଉ ନଥିବାରୁ ଅଲିଭରିଡଲେ କୂଳରେ ଭିଡ଼ ଜମାଇଥିଲେ ମଧ୍ୟ ଅଣ୍ତାଦାନ ପାଇଁ ବାଲୁକା ଶଯ୍ୟାକୁ ଆସୁନଥିବା ଜଣାପଡ଼ିଛି। ଯେଉଁ ସମୟରେ ଗୋଟିଏ ଗୋଟିଏ ଦିନରେ ଲକ୍ଷାଧିକ କଇଁଛ ଅଣ୍ତା ଦେବାକଥା, ସେ ସମୟରେ ହାତ ଗଣତି କଇଁଛ ଅଣ୍ତା ଦେବାପାଇଁ ବାଲି ପଠାକୁ ଆସୁଛନ୍ତି। ଗଲା ଏକ ମାସ ମଧ୍ୟରେ ନାସୀ-୧, ନାସୀ-୨, ମାଦଳୀ, ସାତଭାୟା, ହବାଳିଖଟି, ଚିଂଚିରି ଓ ଦୋବନ୍ଧିରେ ମାତ୍ର ୬୦ଟି ଅଲିଭରିଡଲେ କଇଁଛ ବିକ୍ଷୀପ୍ତ ଭାବେ ଅଣ୍ତାଦାନ କରିଛନ୍ତି। ଏହି ଅଣ୍ତାକୁ ସଂଗ୍ରହ କରି ହାଚେରିରେ ରଖାଯାଇଛି। ଅନ୍ୟପଟେ ଚଳିତ କଇଁଛ ଋତୁରେ ଅଲିଭରିଡଲେଙ୍କୁ ସୁରକ୍ଷା ଯୋଗାଇବାରେ ବନବିଭାଗ ଏକ ପ୍ରକାର ବିଫଳ ହୋଇଥିଲା।

୧୯୭୫ ମସିହାରେ ଗହୀରମଥା ଉପକୂଳରେ ୧୦ କିମି ବାଲୁକା ଶଯ୍ୟାରେ ଅଲିଭ ରିଡଲେଙ୍କ ଗଣ ଅଣ୍ତାଦାନ ପକ୍ରିୟା ସାମନାକୁ ଆସିଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛଧରା ଓ ଟ୍ରଲର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପ୍ରତିବର୍ଷ ନଭେମ୍ବର ୧ ରୁ ମଇ ୩୧ ତାରିଖ ଯାଏଁ କଇଁଛ ଋତୁ ପାଇଁ ଗହୀରମଥା ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ କୂଳ ଠାରୁ ୨୦ କିମି ଯାଏଁ ଟ୍ରଲର ଚଳାଚଳ ଓ ମାଛଧରା କଟକଣା ଜାରି କରାଯାଉଛି। ଫେବ୍ରୁଆରିରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ବିରଳ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଅନୁଷ୍ଠିତ ହୋଇଥାଏ। ସମଗ୍ର ବିଶ୍ବରେ ଉପଲବ୍ଧ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି। ପୂର୍ବରୁ ବିଭିନ୍ନ କାରଣରୁ ୨୦୦୮ ଓ ୨୦୧୪ରେ ଗଣଅଣ୍ତାଦାନ ପକ୍ରିୟା ହୋଇପାରି ନଥିଲା। ୨୦୦୮ରେ ୩୧୨୧ କଇଁଛ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୧୪ରେ ମାତ୍ର ୫୨୫ କଇଁଛ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିଲେ। ଏହି ଦୁଇବର୍ଷ କୂଳରେ ଲକ୍ଷାଧିକ କଇଁଛ ଥାଇ ମଧ୍ୟ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ନହୋଇ ଫେରିଯାଇଥିଲେ। ଗହୀରମଥାକୁ କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ବେଳେ ଗତବର୍ଷ ଋଷିକୂଲ୍ୟାରେ ପ୍ରଥମେ ଗଣ ଅଣ୍ତାଦାନ ପକ୍ରିୟା ହୋଇଥିଲା। ଗହୀରମଥା ଠାରୁ ୧ ଲକ୍ଷ ଅଧିକ କଇଁଛ ଋଷିକୂଲ୍ୟାରେ ଅଣ୍ତା ଦେଇଥିଲେ। ଅପରପକ୍ଷରେ ବନବିଭାଗର ସୂଚନା ମୁତାବକ ବାଲି ଗରମ ଥିଲେ, ଗରମ ପବନ ସହିତ ଦକ୍ଷିଣା ପବନ ବହିଲେ କଇଁଛମାନେ ଗଣ ଅଣ୍ତାଦାନରେ ସାମିଲ ହୋଇଥାନ୍ତି। ମାତ୍ର ଗତ କିଛିଦିନ ହେଲା ମେଘୁଆ ପାଗ ସହିତ ବର୍ଷା ଓ ଥଣ୍ତା ପବନ ବୋହୁଥିବାରୁ କଇଁଛମାନେ କୂଳରେ ଥାଇ ମଧ୍ୟ ଅଣ୍ତାଦାନ ପକ୍ରିୟାରେ ସାମିଲ ହେଉନାହାନ୍ତି।

ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଓ ପ୍ରତିକୂଳ ପାଗ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ପ୍ରାୟ ଏକମାସ ବିଳମ୍ବ ହେଲାଣି। ଏବେ ଗତ ଦୁଇଦିନ ଧରି ଲାଗି ରହିଥିବା କୋହଲା ପାଗ ଓ ଅଦିନିଆ ବର୍ଷା ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ପୁଣି ବିପଦ ଆଣିଛି। ଗଞ୍ଜାମ ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ଗତ ମଙ୍ଗଳବାରରୁ ତୁହାକୁତୁହା ବର୍ଷା ଯୋଗୁ ପାଗ ପୂରା ଥଣ୍ଡା ପଡ଼ିଯାଇଛି। କଇଁଛଙ୍କ ଅଣ୍ଡାଦାନ ପାଇଁ ରହିଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ବର୍ଷାରେ ଭିଜିଛି। ବର୍ତ୍ତମାନ ବାଲିରେ ଜଳୀୟ ଅଂଶ ରହିଛି। ଏଣୁ ଦିନେ ଦୁଇଦିନ ମଧ୍ୟରେ ଯଦି କଇଁଛ ଗଣଅଣ୍ଡାଦାନ କରିବେ ତେବେ ବାଲି ଖୋଳିବାରେ ସମସ୍ୟା ହୋଇପାରେ। ଏହାଛଡ଼ା ଅଣ୍ଡାଦାନ ପାଇଁ ବାଲୁକାଶଯ୍ୟାର ଉତ୍ତାପ ବର୍ତ୍ତମାନ ଅନୁକୂଳ ନୁହେଁ। ଏଣୁ ଚଳିତ ବର୍ଷ ଗଣଅଣ୍ଡାଦାନ ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି।

ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ବ୍ଲକ୍‌ର ଋଷିକୁଲ୍ୟା ମୁହାଣକୁ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ଭାବେ ଗଲା କିଛିବର୍ଷ ହେବ ବାଛିଛନ୍ତି। ପ୍ରତିବର୍ଷ ମୁହାଣର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରିଥାନ୍ତି। ଗତ ପ୍ରାୟ କିଛି ବର୍ଷ ହେଲା ଫେବ୍ରୁଆରି ଶେଷ ସପ୍ତାହ ନ‌ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହ ସରିବାକୁ ବସିଥିବା ବେଳେ ଗଣଅଣ୍ଡାଦାନ ଆରମ୍ଭ ହୋଇ ନାହିଁ। ପୋଡ଼ମପେଟା ବେଳାଭୂମିରେ ବିଭିନ୍ନ ସମୟରେ ପ୍ରାୟ ୧୦/୧୨ କଇଁଛ ଆସି ଅଣ୍ଡାଦାନ (ସ୍ପୋରାଡିକ୍‌ ନେଷ୍ଟିଂ) କରୁଛନ୍ତି। ବର୍ତ୍ତମାନ ବର୍ଷା ହେବା ଯୋଗୁଁ ପାଗ ଥଣ୍ଡା ପଡ଼ିଛି। ଦକ୍ଷିଣାପବନ ପ୍ରଭାବିତ ହେଉଥିଲେ ସୁଦ୍ଧା ଅଣ୍ଡାଦାନ ପାଇଁ କଇଁଛଙ୍କ ନିମନ୍ତେ ବାଲୁକାଶଯ୍ୟାର ଆବଶ୍ୟକ ତାପମାତ୍ରା ଉପଲବ୍ଧ ହୋଇପାରୁ ନାହିଁ। ବର୍ଷା ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ରହୁଛି। ଏଭଳି ସ୍ଥିତିରେ ସୁରକ୍ଷିତ ଗଣଅଣ୍ଡାଦାନ ପ୍ରକ୍ରିୟା ହେବା ନେଇ ଆଶଙ୍କା ଦେଖା ଦେଇଛି। ଜଳବାୟୁ ପରିବର୍ତ୍ତନ ଏ ସବୁ ସମସ୍ୟାର ମୁଖ୍ୟ କାରଣ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଗଣଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ଚଳିତ ବର୍ଷ ଅଣ୍ଡାଦାନରେ ପ୍ରାୟ ୧ମାସ ବିଳମ୍ବ ହେଲେ ମଧ୍ୟ କଇଁଛ ସମୁଦ୍ର ଭିତରେ ରହିଛନ୍ତି। ଆଉ କିଛିଦିନ ପରେ ପୂର୍ଣ୍ଣମୀ ରହିଥିବାରୁ ଏହି ସମୟରେ ଗଣଅଣ୍ଡାଦାନ ହେବ ନାହିଁ। ଏଣୁ ଆସନ୍ତା ୨୮ତାରିଖ ବେଳକୁ ଅଣ୍ଡାଦାନ ହେବା ନେଇ ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର