ଅତ୍ୟାଚାରରେ ଅତିଷ୍ଠରୁ ବୀଭତ୍ସ ହତ୍ୟାକାଣ୍ଡ: ଦୁଇପୁଅ ସହ ମିଶି ସ୍ବାମୀଙ୍କୁ ମାରିଲେ ମହିଳା

ଶ୍ମଶାନ ଦାହ ପାଇଁ ନେଉଥିବା ବେଳେ ଶବ ଜବତ, ବନ୍ଧାହେଲେ ୩ ଅଭିଯୁକ୍ତ, କାତି ଜବତ

ଖଲ୍ଲିକୋଟ : ମଦ୍ୟପ ଓ ଖଳ ପ୍ରକୃତିର ସ୍ବାମୀଙ୍କ ଅତ୍ୟାଚାର ସୀମା ଟପିଗଲା। ଶେଷରେ ଦୁଇପୁଅ ସହ ମିଶି ସ୍ବାମୀଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ତାଙ୍କ ପତ୍ନୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ନିକଟ ତୋଟାଗାଁରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ସୂର୍ଯ୍ୟ ପାହାନ (୫୪)।

ମିଳିଥିବା ସୂଚନାନୁସାରେ, ମୃତକ ସୂର୍ଯ୍ୟ ଦିନମଜୁରିଆ ଭାବେ କାମ କରୁଥିଲେ। କିନ୍ତୁ ପ୍ରତିଦିନ ମଦ ପିଇ ଘରକୁ ଆସି ସେ ପତ୍ନୀ ସୁଜ୍ଞାନୀ (୫୦) ଓ ଦୁଇପୁଅ ରତ୍ନାକର (୨୫) ଏବଂ ବିଷ୍ଣୁ (୨୨)ଙ୍କୁ ବିନା କାରଣରେ ନିର୍ଧୁମ୍ ମାଡ଼ ମାରୁଥିଲେ। ଏପରିକି ୧୦ ବର୍ଷ ତଳେ ସେ ସୁଜ୍ଞାନୀଙ୍କୁ ପିଟି ପିଟି ତାଙ୍କ ଗୋଡ଼ ଭାଙ୍ଗି ଦେଇଥି‌ଲେ। ବର୍ଷ ବର୍ଷ ଧରି ସୂର୍ଯ୍ୟ ନିଜ ପରିବାର ପ୍ରତି ଏଭଳି ଅତ୍ୟାଚାର ଜାରି ରଖିଥିବା ବେଳେ ଏହାମଧ୍ୟରେ ଦୁଇଝିଅଙ୍କ ବାହାଘର ସରିଥିଲା। କିନ୍ତୁ, ସୂର୍ଯ୍ୟଙ୍କ ଆଚରଣରେ କିଛି ବି ପରିବର୍ତ୍ତନ ଆସି ନଥିଲା। ସୁଜ୍ଞାନୀ ଓ ତାଙ୍କର ଦୁଇପୁଅ ଏହାକୁ ସହି ଆସୁଥିଲେ। ସାହିବାସିନ୍ଦା ବି ଏହାକୁ ପ୍ରତିହତ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଗତକାଲି ରାତିରେ ସୂର୍ଯ୍ୟ କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା ଦେଖିବା ଲାଗି ନିକଟ ବାଲୁକେଶ୍ବରପୁର ଗ୍ରାମକୁ ଯାଇଥିଲେ। ସେଠାରେ ହଠାତ୍ ପୁଅ ବିଷ୍ଣୁଙ୍କ ଉପରେ ସେ ଉତ୍‌କ୍ଷିପ୍ତ ହୋଇ ଉଠିବା ସହ ପାଖକୁ ଡାକି ମାଡ଼ ମାରିଥିଲେ। ବିଷ୍ଣୁ ଘରକୁ ଫେରି ମାଆ ସୁଜ୍ଞାନୀଙ୍କୁ ସବୁ କଥା କହିଥିଲେ। ଅତ୍ୟାଚାରରୁ ସବୁଦିନ ପାଇଁ ମୁକ୍ତି ପାଇବା ଲାଗି ସୁଜ୍ଞାନୀ ତାଙ୍କ ଦୁଇପୁଅ ସହ ମିଶି ସୂର୍ଯ୍ୟଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ।

ରାତି ପ୍ରାୟ ୧୧ଟାରେ ସୂର୍ଯ୍ୟ ଘରକୁ ଆସିବା ପରେ ସମସ୍ତେ ମିଶି ତାଙ୍କୁ ଘରଠୁ ୧୫୦ ମିଟର ଦୂର ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ଦୁଇପୁଅ ସୂର୍ଯ୍ୟଙ୍କୁ ଧରିଥିବା ବେଳେ ସୁଜ୍ଞାନୀ ଏକ କାତିରେ ତାଙ୍କ ବେକ ସମେତ ଶରୀରର ବିଭିନ୍ନ ଭାଗକୁ ଅତି ଅମାନୁଷିକ ଭାବେ ଚୋଟ ପକାଇ ଚାଲିଥି‌ଲେ। ନିମିଷକରେ ସୂର୍ଯ୍ୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ସ‌ମସ୍ତେ ମିଶି ସୂର୍ଯ୍ୟଙ୍କ ଶବକୁ ଘଟଣାସ୍ଥଳଠୁ ୧୦୦ ମିଟର ଦୂର ଶ୍ମଶାନକୁ ନେଇ ଦାହ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ପୁଲିସ ରାତାରାତି ପହଞ୍ଚି ଶବକୁ ସେଠାରୁ ଜବତ କରିଥିଲା। ସୁଜ୍ଞାନୀ ଏବଂ ଦୁଇପୁଅ ରତ୍ନାକର ଓ ବିଷ୍ଣୁଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ।

ଘଟଣାସ୍ଥଳରେ ଛତ୍ରପୁର ଏସଡିପିଓ ଗୌତମ କିଷାନ୍, ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛନ୍ତି। କେସ୍ ନମ୍ବର ୬୭୬ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ସୁଜ୍ଞାନୀ ଓ ତାଙ୍କର ଦୁଇପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଏହାସହ ହତ୍ୟାରେ ବ୍ୟବହୃତ କାତି ସେମାନଙ୍କଠୁ ଜବତ ହୋଇଛି।

ସମ୍ବନ୍ଧିତ ଖବର