କାଳିଆପାଣିରୁ ଚୋରି ଟ୍ରକ୍‌ ଭୁବନରୁ ଉଦ୍ଧାର, ଲୁଟେରା ଗିରଫ

କାଳିଆପାଣି : ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଥାନାଠୁ ମାତ୍ର ୫ଶହ ମିଟର ଇମ୍ଫା କ୍ରୋମାଇଟ୍‌ ଖଣି ସମ୍ମୁଖ ଲୋଡିଂ ସିରିଆଲ୍‌ରୁ ଏକ ଛ’ ଚକିଆ ଟ୍ରକ୍‌(ଓଆର୍-୦୯ଏଫ୍‌-୧୬୧୩) ଲୁଟ୍‌ ହେବାର ମାତ୍ର ୮ ଘଣ୍ଟା ମଧ୍ୟରେ ଅନ୍ୟ ଜିଲ୍ଲାରୁ ଉଦ୍ଧାର ହୋଇଛି। ପୁଲିସ ତତ୍ପରତା ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁ ପାଖ ପାଟପୁର ଜଙ୍ଗଲ ପାଖରୁ ଟ୍ରକ୍‌ ଉଦ୍ଧାର କରାଯିବା ସହ ସଂପୃକ୍ତ ଲୁଟେରାକୁ ଗିରଫ କରାଯାଇଛି। ଜିପିଏସ୍‌(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ସୂଚନା ପୁଲିସ ତଦନ୍ତରେ ସହାୟକ ହୋଇଥିବା କୁହାଯାଉଛି।

ପ୍ରକାଶ ଯେ, ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗାଁର ଡ୍ରାଇଭର ପଙ୍କଜ ପ୍ରଧାନ ଖଣି ପାଖ ଧାଡ଼ିରେ ଟ୍ରକ୍‌ ରଖି ଖାଇବାକୁ ଯାଇଥିଲେ। ଖାଉଥିବା ସମୟରେ ୨ଟା ୪୫ ରେ ଜନୈକ ସାଥୀଠୁ ଟ୍ରକ୍‌ ଲୁଟ୍‌ ଖବର ପାଇଥିଲେ। କିଛି ସମୟ ଖୋଜି ନିରାଶ ହେବା ପରେ ସଂଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ସଂଗେ ସଂଗେ ପୁଲିସ ପକ୍ଷରୁ ଖୋଳତାଡ଼ କରାଯିବାରେ ଏକ ଖାଲି ଟ୍ରକ୍‌ ମେନ୍‌ ରୋଡ଼ ଛାଡ଼ି କଲରଙ୍ଗି ପରେ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ବଡ଼କାଠିଆ-ଗୋଡ଼ା ଛକ ବାଟେ ଅତିକ୍ରମ କରିଥିବା ସୂଚନା ମିଳିଥିଲା। ଗୋଡ଼ା ଛକଠୁ ୫ କିଲୋମିଟର ଦୂର ସୁରପ୍ରତାପପୁର ପାଖାପାଖି ଉକ୍ତ ଟ୍ରକ୍‌ର ଜିପିଏସ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଅଚଳ କରାଯାଇଥିଲା। ସେଠୁ ୨୫ କିଲୋମିଟର କାମାକ୍ଷାନଗର ରାସ୍ତାରେ ନୋ’ ଏଣ୍ଟ୍ରି କଟକଣା ରହିଥିଲା। ଏହି ସୂଚନାକୁ ଭିତ୍ତି କରି କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଭୁବନ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ସାହୁ ସଦଳବଳ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଟପୁର ଜଙ୍ଗଲରେ ଟ୍ରକ୍‌ ଠାବ କରିଥିଲେ। ପୁଲିସ ଉପସ୍ଥିତି ଜାଣି ଡ୍ରାଇଭର ଟ୍ରକ୍‌ରୁ ଡେଇଁ ଖସି ପଳାଇବା ଉଦ୍ୟମ କରିଥିଲା। ପୁଲିସ ତାକୁ ଗୋଡ଼ାଇ ଧରିଥିଲା। ଅଭିଯୁକ୍ତ ଜଣକ ଭୁବନ ଥାନା ଅନ୍ତର୍ଗତ ଦୟଣାବିଲି ଗାଁର ରମେଶ ପାତ୍ରଙ୍କ ପୁଅ ସରୋଜ। ଆଜି ସରୋଜକୁ କେସ୍‌ ନଂ ୫/୨୧ ଓ ୩୭୯ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠା ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର