ମୁଖିଆ ବିହୀନ ବୁର୍ଲା ଥାନା, ଅପରାଧିକ ମାମଲା ବଢ଼ୁଛି 

ବୁର୍ଲା : ଶିକ୍ଷା ନଗରୀ ବୁର୍ଲା ଏବେ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ଭରସାରେ ଚାଲିଛି। ଗତ ୪ ତାରିଖରେ ବୁର୍ଲା ଥାନାର ପୂର୍ବତନ ଅଧିକାରୀ କମଳ ପଣ୍ଡା ପଦୋନ୍ନତି ପାଇ ଅନ୍ୟତ୍ର ଯୋଗ ଦେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ବୁର୍ଲା ଥାନା ଅଂଚଳରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ଆଇଆଇଏମ୍,  ଭିମ୍‌ସାର୍, ଭିସୁଟ୍, ଓୟୁଏଟି ଭଳି ୫ଟି ଉଚ୍ଚଶିକ୍ଷାନୁଷ୍ଠାନ ଏହି ଥାନା ଅଂଚଳରେ ରହିଛି। ଏହି ଥାନା ଅଧୀନରେ ମେଡ଼ିକାଲ ଫାଣ୍ଡି, ଜ୍ୟୋତି ବିହାର ଫାଣ୍ଡି, ଗୋଶାଳା ଫାଣ୍ଡି, ଚିପିଲିମା ଫାଣ୍ଡି ଭଳି ୪ଟି ସମ୍ବେଦଶୀଳ ଫାଣ୍ଡି ରହିଛି।

ଜ୍ୟୋତି ବିହାର ଫାଣ୍ଡିର ଫାଣ୍ଡି ଅଧିକାରୀ ଶମ୍ଭୁ ଭୂଷଣ ଦେହୁରୀଙ୍କ ବଦଳି ହୋଇଯାଇଥିବାରୁ ସେ ସ୍ଥାନରେ ମଧ୍ୟ ବୁର୍ଲା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ହାଡୁ ବେହେରା କାର୍ଯ୍ୟ ନିର୍ବାହ କରୁଛନ୍ତି। କିନ୍ତୁ, ଶ୍ରୀ ବେହେରାଙ୍କୁ ବରିଷ୍ଠତା ଦୃଷ୍ଟିରୁ ଥାନାର ଅଧିକାରୀ ଦାୟିତ୍ବ ଦିଆଯାଇଥିବା ବେ‌ଳେ ଜ୍ୟୋତି ବିହାର ଫାଣ୍ଡି ସହିତ ଥାନା କାର୍ଯ୍ୟ ନିର୍ବାହ କରିବାରେ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏପରିକି କାର୍ଯ୍ୟଚାପ ଯୋଗୁ ଅନେକ ସମୟରେ ସେ ଫୋନ୍ ବି ଉଠାଉନଥିବା ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଗତ ୪ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ମଧ୍ୟରେ ବୁର୍ଲା ସହରରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସହରରେ ଅବାଧ ନିଶା କାରବାର ଚାଲିଛି। ଫଳରେ ଅପରାଧିକ ଗତିବିଧି ବୃଦ୍ଧି ପାଉଥିବ‌ା କହାଯାଉଛି। ବୁର୍ଲା ଥାନା ଏବେ ମୁଖିଆ ବିହୀନ ଥାନା ହୋଇଯାଇଥିବାରୁ ଅସାମାଜିକ ତଥା ଅସାଧୁ ଶ୍ରେଣୀର ବ୍ୟକ୍ତିମାନେ ଖୋଲାଖୋଲି ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି। ସହରର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଯଥା ଶୀଘ୍ର ବୁର୍ଲା ଥାନାରେ ଥାନା ଅଧିକାରୀ ନିଯୁକ୍ତି ପାଇଁ ସଚେତନ ନାଗରିକ ବର୍ଗ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର