ଏଥର ‌ହେବନି ସ୍ବତନ୍ତ୍ର ଓଜେଇଇ, ବି.ଟେକ୍‌ ପାଇଁ ଓଜେଇଇ ସହ ହେବ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା

ଆବେଦନ ଆରମ୍ଭ, ମେ’ ୩୧ ଶେଷ ତା‌ରିଖ

ଭୁବନେଶ୍ବର: ଇଞ୍ଜିନିୟରିଂ ସମେତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ତଥା ଦ୍ବିତୀୟ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷ‌ା) ଏଥର ହେବ ନାହିଁ। କରୋନା-୧୯କୁ ଦୃଷ୍ଟିରେ ରଖି ଦ୍ବିତୀୟ ଓଜେଇଇକୁ ବାତିଲ୍‌ ସହ ନାମଲେଖା ପ୍ରକ୍ରିୟାରେ କିଛିଟା ପରିବର୍ତନ କରାଯାଇଛି।

ଓଜେଇଇ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଜେଇଇ ମେନ୍‌-୨୦୨୦ରେ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଓଜେଇଇ ପକ୍ଷରୁ ଗୋଟିଏ ପର୍ଯ୍ୟାୟ କାଉନସେଲିଂ କରାଯିବ। ଯଦି କୌଣସି କାରଣ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଜେଇଇ ମେନ୍‌ରେ ଅଂଶଗ୍ରହଣ କରିନଥିଲେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ହେବ। ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ବି.ଟେକ୍‌ ପ୍ରଥମ ବର୍ଷରେ ଏହି ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ବି.ଟେକ୍‌ ପ୍ରଥମ ବର୍ଷରେ ନାମଲେଖା ପାଇଁ ଯେଉଁ ଛାତ୍ରଛାତ୍ରୀ ଜେଇଇ ମେନ୍‌-୨୦୨୦ରେ ଅଂଶଗ୍ରହଣ କରିଛନ୍ତି କିମ୍ବା ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ କରିବେ ସେମାନେ ଓଜେଇଇ ପକ୍ଷରୁ ବି.ଟେକ୍‌ ପାଇଁ ହେବାକୁ ଥିବା ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାର ଆବଶ୍ୟକତା ନାହିଁ।
ଏହି ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଲାଗି ଆଜିଠାରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି। ମେ’ ୩୧ ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଜୁନ୍‌ ୫ ସୁଦ୍ଧା ଫି’ ଦାଖଲ କରାଯିବ। ବି.ଟେକ୍‌ ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିବିଟି(କମ୍ପ୍ୟୁଟର ବେସଡ୍‌ ଟେଷ୍ଟ) ମାଧ୍ୟମରେ ହେବ। ମେ’ ୧୭ରେ ଲକ୍‌ଡାଉନ୍‌ ଉଠିବା ପରେ ସ୍ଥିତିକୁ ଅନୁଧ୍ୟାନ କରାଯାଇ ପରୀକ୍ଷା ତାରିଖ, ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ର ତାରିଖ ଆଦି ପ୍ରକାଶ କରାଯିବ। ଏ ସମ୍ପର୍କିତ ସବିଶେଷ ତଥ୍ୟ ‘www.ojee.nic.in’ ‌ରେ ଉପଲବ୍ଧ ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ଓଜେଇଇ ଅଧ୍ୟକ୍ଷ ସୁନ୍ଦୀପ୍‌ କୁମାର ଚାନ୍ଦ କହିଛନ୍ତି ଯେ ସାଧାରଣତଃ ମେ’ ମାସରେ ଓଜେଇଇ ପରୀକ୍ଷା କରାଯାଇଥାଏ। ଗତ କିଛି ବର୍ଷ ହେଲା ଜୁଲାଇ ମାସ ତୃତୀୟ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ ହେଉଥିଲା। ‌ଯେହେତୁ ଏ ବର୍ଷ କରୋନା ପାଇଁ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ଜୁଲାଇ ମାସ ତୃତୀୟ ସପ୍ତାହରେ ହେଉଛି, ତେଣୁ ଦ୍ବିତୀୟ ତଥା ସ୍ବତନ୍ତ୍ର ‌ଓଜେଇଇ କରିବା ସମ୍ଭବପର ନୁହେଁ। ଓଜେଇଇରେ ବିଟେକ୍‌ ବ୍ୟତୀତ ଅନ୍ୟ ସମସ୍ତ ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ହୋଇଥାଏ। ତେବେ ଏ ବର୍ଷର ସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପରୀକ୍ଷା ସହ ବି.ଟେକ୍‌ ପାଇଁ ମଧ୍ୟ ସ୍ବତନ୍ତ୍ର ପରୀକ୍ଷା କରାଯିବ। କାଉନସେଲିଂ ବେଳେ ଜେଇଇ ‌ମେନ୍‌ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ତା’ପରେ ଓ‌ଜେଇଇ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର