ସୁରକ୍ଷା କର୍ମୀଙ୍କୁ ଜୀବନରେ ମାରିଦେବାକୁ ଧମକ୍‌: ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଆମ୍ବୁଲାନ୍‌ସ

ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନା ପରିସରରେ ଅସାମାଜିକଙ୍କ ଦୌରାତ୍ମ୍ୟ ଦିନକୁଦିନ ବଢ଼ିଚାଲିଛି। କେତେବେଳେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଧରି ଗୋଡ଼ାଇଲେଣି ତ ଆଉ କେତେବେଳେ ହାତାହାତି ପରିସ୍ଥିତି ଦେଖିବାକୁ ମିଳୁଛି। ଅସାମାଜିକ ତଥା ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଡାକ୍ତରଖାନା ପରିସର। ଅଧିକାଂଶ ଦିନରେ ଡାକ୍ତରଖାନାରେ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି। କିଛିମାସ ତଳେ ଅସାମାଜିକ ବ୍ୟକ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାରଣାସ୍ତ୍ର ଧରି ଗୋଡ଼ାଇବା ସମୟରେ ଡାକ୍ତରଖାନାର ଫାର୍ମାସିଷ୍ଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣରେ ସ୍ବୀକାର ହୋଇଥିଲେ। ଏହି ଘଟଣାକୁ କିଛିମାସ ବିତିଥିବା ବେଳେ ନିକଟରେ ଉକ୍ତ ଘଟଣାରେ ସଂପୃକ୍ତ ଥିବା ଫାର୍ମାସିଷ୍ଟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ତିନିଦିନ ତଳେ ଜଣେ ସୁରକ୍ଷା କର୍ମୀଙ୍କୁ ପଥର ମାଡ଼ କରିବା ସହିତ ଦିନଦ୍ବିପ୍ରହରେ ଖୁଲମ୍‌ଖୋଲା ଜୀବନରୁ ମାରିବାକୁ ଧମକ ଦେଇଥିଲା ଅପରାଧୀ। ଯାହାକୁ ନେଇ ସୁରକ୍ଷାକର୍ମୀ ଡାକ୍ତରଖାନାରେ ଡ୍ୟୁଟି କରିବାକୁ ଭୟ କରୁଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଆଜି ଏନେଇ ମେଡିକାଲ କଲେଜ ଏଣ୍ଡ୍‌ ହସ୍‌ପିଟାଲ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ମେଡିକାଲ କଲେଜ ଏଣ୍ଡ୍‌ ହସ୍‌ପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ, ସିଡିଏମ୍‌ଓ ଡାକ୍ତର ଦୁଲାଲସେନ୍‌ ଜଗଦ୍ଦେବ, ଜିଲ୍ଲା ପରିବହନ ଅଧିକାରୀ ରଶ୍ମିରଂଜିତ ଦଳବେହେରାଙ୍କ ସମେତ ଅନ୍ୟ ଅଧିକାରୀ, ସୁରକ୍ଷା କର୍ମୀ ଓ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଡାକ୍ତରଖାନା ପରିସରରେ ଘରୋଇ ଆମ୍ବୁଲାନ୍ସ ରହିବାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବାରୁ ଖୁବ୍‌ଶୀଘ୍ର ଡାକ୍ତରଖାନା ପରିସରରୁ ଆମ୍ବୁଲାନ୍ସକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ସୁଦ୍ଧା ଡାକ୍ତରଖାନା ପରିସରରୁ ଘରୋଇ ଆମ୍ବୁଲାନ୍ସ ହଟାଇବାକୁ ସମୟ ଦିଆଯାଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଡାକ୍ତରଖାନା ପରିସରରେ ପାର୍କିଂ ସମସ୍ୟା ଏବେ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଡାକ୍ତରଖାନାକୁ ପ୍ରତିଦିନ ୪ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଗାଡ଼ି ପାର୍କିଂ ସୁବିଧା ନଥିବାରୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗୋଟିଏ ପଟେ ପାର୍କିଂ ସମସ୍ୟା ରହିଥିବା ବେଳେ ଡାକ୍ତରଖାନା ପରିସରରେ ଘରୋଇ ଆମ୍ବୁଲାନ୍ସ ରହିବାର କୌଣସି ନିୟମ ନଥାଇ ସୁଦ୍ଧା ଆମ୍ବୁଲାନ୍ସ ସବୁ ଧାଡ଼ିଧରି ଛିଡ଼ାହୋଇ ରହୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହାକୁ ନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ତେଣୁ ଏହି ଆମ୍ବୁଲାନ୍ସକୁ ହଟେଇବାକୁ ଆମ୍ବୁଲାନ୍ସ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ବୈଠକରେ କୁହାଯାଇଥିଲା। ଡାକ୍ତରଖାନାରେ ଆମ୍ବୁଲାନ୍ସ ରହିବାକୁ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଥିଲା। ପାର୍କିଂ ପାଇଁ ଘରୋଇ ଆମ୍ବୁଲାନ୍ସ ସଂସ୍ଥା ପାଖରୁ ଟଙ୍କା ନିଆଯାଉଥିବା ବୈଠକରେ ଜଣାପଡ଼ିଥିଲା। ଏମିତିକି ପ୍ରତି ମାସ ଆମ୍ବୁଲାନ୍ସ ପିଛା ଚାନ୍ଦା ନିଆଯାଉଥିବାର ଅଭିଯୋଗ ହୋଇଥିଲା। ତେବେ ଏହି ଟଙ୍କା ଡାକ୍ତରଖାନାର କିଏ ନେଉଛନ୍ତି ତାହା କୁହାଯାଇ ନଥିବାବେଳେ ଡାକ୍ତରଖାନାରେ କର୍ମଚାରୀ ଏଥିରେ ସଂପୃକ୍ତ ରହିଥିବା ସ୍ପଷ୍ଟ ବୁଝାପଡ଼ିଛି।

ସମ୍ବନ୍ଧିତ ଖବର