ଏଟିଏମ ହ୍ୟାକ୍‌ କରି ଲୁଟ୍‌, ୩ ଅନ୍ତଃରାଜ୍ୟ ଲୁଟେରା ଗିରଫ

କାର୍‌, ଏଟିଏମ୍‌ ଓ ନଗଦ ଟଙ୍କା ଜବତ

ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ଏଟିଏମ୍‌ରୁ ଲୁଟ କରିଥିବା ୩ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ମହୁଲପାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଏପ୍ରିଲ ୧ ତାରିଖ ଦିନ କେଶାଇବାହାଲ ମୁଖ୍ୟ ବଜାରରେ ଥିବା ଏସ୍‌ବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ହ୍ୟାକ୍‌ କରାଯାଉଥିବା ନେଇ ବ୍ୟାଙ୍କିଂ ସଂସ୍ଥା ମାଧ୍ୟମରେ ପୁଲିସକୁ ସୂଚନା ଦିଆଯାଇଥିଲା। ପରଦିନ ଏ ନେଇ ମହୁଲପାଲି ପୁଲିସ ତତ୍ପରତା ଦେଖାଇ ସିସିଟିଭି ଫୁଟେଜ୍‌ ଦେଖିବା ପରେ ଘଟଣାରେ ବ୍ୟବହୃତ ଚାରି ଚକିଆ ଗାଡ଼ି ସମେତ ସମ୍ପୃକ୍ତ ଅଭିଯୁକ୍ତମାନେ ବାମରା ଅଞ୍ଚଳକୁ ଯାଇଥିବା ଜାଣିବାକୁ ପାଇଥିଲେ। କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ରଙ୍କ ତତ୍ତ୍ୱାବଧାନରେ ମହୁଲପାଲି ଥାନା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ବେହେରା ଲଗାତାର ୨ ଦିନ ଧରି ବାମରା, ବଡ଼ଗାଁ ତଥା ଅନ୍ୟାନ୍ୟ ସ୍ଥାନକୁ ଯାଇ ତନାଘନା ଜାରି ରଖିଥିଲେ। ସିସିଟିଭି ଫୁଟେଜ, ଫୋନ ଟ୍ରାକିଂ ଓ ଅନ୍ୟ ବ୍ୟବସ୍ଥା ଜରିଆରେ ସୁରାକ ପାଇଥିଲେ ମଧ୍ୟ ଅପରାଧୀମାନଙ୍କୁ ଗିରଫ କରିବାରେ ସଫଳ ହୋଇ ନ ଥିଲେ। ଶେଷରେ ଦ୍ଵିତୀୟ ଥର କେଶାଇବାହାଲ ଅଞ୍ଚଳକୁ ଆସିଥିବା ଜାଣି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ଘଟଣା ଅନୁସାରେ, ଉତ୍ତରପ୍ରଦେଶ ରାଜ୍ୟ କାନପୁର ସଂଜୀବ ନଗରର ଅନିଲ କୁମାରଙ୍କ ପୁଅ ପ୍ରିନ୍ସ(୨୩), କାନପୁର ପଟେଲନଗରର ରଣ ବିଜୟ ସିଂଙ୍କ ପୁଅ ଆଦିତ୍ୟ(୨୨) ଓ ଜାଲୌନ ଜିଲ୍ଲା କଳ୍ପି ଥାନାର ଲାଲ ସିଂହଙ୍କ ପୁଅ ବବଲୁ(୨୬) ତିନି ଜଣ ମିଶି ଏକ ହୁଣ୍ଡାଇ କ୍ରେଟା କାର (ୟୁପି-୭୮ଜିଏ-୯୫୯୬)ରେ ଏପ୍ରିଲ ୧ ତାରିଖ ଦିନ କେଶାଇବାହାଲ ମୁଖ୍ୟ ବଜାରରେ ଥିବା ଏଟିଏମରେ ପଶିଥିଲେ। ଏଟିଏମ ମେସିନକୁ ହ୍ୟାକ କରି ସେହିଦିନ ମୋଟ ୧୮ ଥରରେ ୧ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ଉଠାଇ ଫେରାର ହୋଇଯାଇଥିଲେ। ବିଭିନ୍ନ ବ୍ୟକ୍ତିଙ୍କ ଅକାଉଣ୍ଟ ହ୍ୟାକ କରି ଟଙ୍କା ଉଠାଣ ପରେ ଚତୁରତାର ସହ କଷ୍ଟମର କେୟାରକୁ କହି ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରସ୍ତ ମଧ୍ୟ କରିଦେଉଥିଲେ। ଏ ବିଷୟରେ ବ୍ୟାଙ୍କିଂ ସଂସ୍ଥା ଜାଣିପାରି ପୁଲିସକୁ ସୂଚନା ଦେଇଥିଲେ। ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇ ତନାଘନା ଜାରି ରହିଥିଲା। ଅପରାଧୀମାନେ ପୁନର୍ବାର ଏପ୍ରିଲ ୬ ତାରିଖ ଦିନ କେଶାଇବାହାଲକୁ ଆସିଥିବା ମହୁଲପାଲି ପୁଲିସ ଜାଣିପାରିଥିଲା। ସେ ଦିନ ସେମାନେ ପୁଣି ବିଭିନ୍ନ ଏଟିଏମ୍‌ ବ୍ୟବହାର କରି ୧୬ ଥରରେ ୧, ୫୫ ହଜାର ୫ ଶହ ଟଙ୍କା ଉଠାଇ ନେଇଥିଲେ। ତେବେ ପୁଲିସ ତାଙ୍କୁ କାବୁ କରିଥିଲା। ଏ ନେଇ ଅଭିଯୁକ୍ତ ୩ ଜଣଙ୍କ ବିରୋଧରେ କେସ ନମ୍ବର ୪୧/୨୧ ଦଫା ୪୧୯/୪୨୦/୪୬୮/୪୬୭/୪୭୧/୬୬(ଡି) ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ରଙ୍କଠାରୁ ପ୍ରକାଶ।

ଘଟଣାରେ ବ୍ୟବହୃତ କ୍ରେଟା କାର, ନଗଦ ଟଙ୍କା, ୪ ଟି ମୋବାଇଲ ଫୋନ ଏବଂ ବିଭିନ୍ନ ବ୍ୟାଙ୍କର ୧୨ଟି ଏଟିଏମ କାର୍ଡ ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଛି। ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ମହୁଲପାଲି ପୁଲିସ ଗିରଫ କରି କୁଚିଣ୍ଡା କୋର୍ଟ ଚାଲାଣ କରିଛି। ଏ ନେଇ ଶୁକ୍ରବାର ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଏହିଭଳି ସାଇବର ଠକେଇ ଓଡ଼ିଶାର ବିଭିନ୍ନ ଥାନା ଅଞ୍ଚଳରେ ପ୍ରାୟ ସାଢ଼େ ୪ କୋଟି ଟଙ୍କାର ଗଡ଼ବଡ଼ି ହୋଇଥିବା ନେଇ ଏସବିଆଇ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି ବୋଲି ଏସ୍ ଡି ପି ଓ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର