ମହଙ୍ଗା ପଡ଼ିଲା ଅନୁକମ୍ପା ଓ କର୍ତ୍ତବ୍ୟରେ ଅ‌ବହେଳା: ଏଏସ୍‌ଆଇ ସମେତ ୩ ପୁଲିସ କର୍ମଚାରୀ ନିଲମ୍ବିତ

ନକଲି ଡାକ୍ତରଙ୍କୁ ଅନୁକମ୍ପା ମହଙ୍ଗା ପଡ଼ିଲା, ମହୁଲଡ଼ିହା ଥାନା ଏଏସ୍‌ଆଇ ନିଲମ୍ବିତ

ବାରିପଦା/ଠାକୁରମୁଣ୍ଡା: ମଣିଷକୁ ପଶୁ ଇଞ୍ଜେକସନ୍ ଦେଇଥିବା ନକଲି ଡାକ୍ତରଙ୍କୁ ଅନୁକମ୍ପା ଦେଖାଇ ଚାକିରିରୁ ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତ। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ।

ସୂଚନାଯୋଗ୍ୟ; ବିଶ୍ବନାଥ ବେହେରା ନାମକ ଜଣେ ବ୍ୟକ୍ତି ନିଜକୁ ଡାକ୍ତର କହି ମହୁଲଡିହା ଅଞ୍ଚଳରେ ବୁଲି ଲୋକଙ୍କୁ ଔଷଧ ଓ ଇଞ୍ଜେକସନ୍ ଦେଇ ଆସୁଥିଲେ। ତେବେ ଶ୍ରୀକାନ୍ତ ମହାନ୍ତ ନାମକ ଜଣେ ବୃଦ୍ଧଙ୍କ ଚିକିତ୍ସା କରି ତାଙ୍କୁ ପଶୁ ଇଞ୍ଜେକସନ୍ ଦେଇଥିଲେ ବିଶ୍ବନାଥ। ଇଞ୍ଜେକସନ୍ ନେବା ପରେ ଶ୍ରୀକାନ୍ତ ଅସୁସ୍ଥ ହୋଇପଡ଼ିବାରୁ ଘଟଣା ପ୍ରଘଟ ହୋଇଥିଲା ଓ ସ୍ଥାନୀୟ ଲୋକେ ଗତ ୧୭ ତାରିଖରେ ନକଲି ଡାକ୍ତର ବିଶ୍ବନାଥଙ୍କୁ ଧରି ମହୁଲଡ଼ିହା ଥାନାରେ ଜିମା ଦେଇଥିଲେ। ‌ସେ ସମୟରେ ଦାୟିତ୍ବରେ ଥିବା ଏଏସ୍‌ଆଇ ଶ୍ରୀ ରାଉତ ଘଟଣାକୁ ଅତି ହାଲକା ଭାବେ ନେବା ସହ ଅନୁକମ୍ପା ଦେଖାଇ ବିଶ୍ବନାଥଙ୍କୁ ଛାଡ଼ି ଦେଇଥିଲେ।

ତେବେ ପଶୁ ଇଞ୍ଜେକସନ୍ ‌ନେଇଥିବା ଶ୍ରୀକାନ୍ତ ଏନେଇ ମହୁଲଡ଼ିହା ଥାନାରେ ଅଭିଯୋଗ କରିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ବିଶ୍ବନାଥଙ୍କ ନାମରେ ସଙ୍ଗିନ ଦଫା ଲଗାଇ ମାମଲା ରୁଜୁ କରିଥିଲା। ତେବେ ମାମଲା ରୁଜୁ ପୂର୍ବରୁ ବିଶ୍ବନାଥ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଏସ୍‌ପି ଘଟଣାକୁ ଗୁରୁତ୍ବର ସହ ନେଇ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସ୍‌ଆଇ ଶ୍ରୀ ରାଉତଙ୍କୁ ନିଲମ୍ବନ କରିଛନ୍ତି। ଫେରାର ନକଲି ଡାକ୍ତରଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଅତିରିକ୍ତ ଏସ୍‌ପି ସୁରେଶ କୁମାର ପାତ୍ର କହିଛନ୍ତି।

କର୍ତ୍ତବ୍ୟରେ ଅବହେଳା ପାଇଁ ୨ କନେଷ୍ଟବଳ ନିଲମ୍ବିତ

ବାରିପଦା: କର୍ତ୍ତବ୍ୟରେ ଅବହେଳା ମୟୂରଭଞ୍ଜ ଜିଲ୍ଲା ପୁଲିସର ୨ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ କନେଷ୍ଟବଳ ହେଲେ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନିଲ କୁମାର ଗିରି ଓ ବଡ଼ସାହି ଥାନାର କନେଷ୍ଟବଳ ସୁନିଲ କୁମାର ନାୟକ। ଅନିଲଙ୍କର ନିକଟରେ ବାରିପଦାରେ ଶେଷ ହୋଇଥିବା ଚୈତ୍ରପର୍ବ ଓ ପଲ୍ଲୀଶ୍ରୀ ମେଳାରେ ଡ୍ୟୁଟି ପଡ଼ିଥିଲା। ତେବେ କୌଣସି କାରଣ ନ’ଦର୍ଶାଇ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ। ସେହିଭଳି ସୁନିଲଙ୍କୁ ଦିଆ ଯାଇଥିବା କାର୍ଯ୍ୟ ଠିକଣା ଢଙ୍ଗରେ କରିନଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ଆଜି ଦୁଇ ଜଣଙ୍କୁ ନିଲମ୍ବନ କରିଥିବା ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର