ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ

ଭୁବନେଶ୍ୱର: ଆସନ୍ତାକାଲି  ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚାଇଛନ୍ତି କି ଭାରତ ବନ୍ଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ଅତ୍ୟାବଶ୍ୟକୀୟ ସେବା ଯେପରି ବ୍ୟାହତ ନ ହୁଏ ସେ ଦିଗରେ ସେମାନେ ପଦକ୍ଷେପ ଗ୍ରହଣ କରିବେ | ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ ବୋଲି ଚିଠିରେ କୁହାଯାଇଛି।

ଏଠାରେ ସୂଚନା ଥାଉ କି ଭାରତ ବନ୍ଦ ପାଇଁ ବୁଧବାର ଲୋକସେବା ଭବନକୁ ସ୍ୱତନ୍ତ୍ର ସୁରକ୍ଷା ବଳୟରେ ରଖାଯିବ। ଲୋକସେବା ଭବନରେ ବ୍ୟାପକ ପୁଲିସ ମୁତୟନ କରାଯିବ। ସେହିପରି ସକାଳ ୧୦ଟା ୧୫ରେ ଲୋକସେବା ଭବନର ମୁଖ୍ୟ ଗେଟ୍‌ ବନ୍ଦ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଆଇଟିୟୁସି ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର କହିଛନ୍ତି, ୮ ତାରିଖ ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର