ଓଡ଼ିଶାରେ ବଢ଼ୁନି ବାଘ ସଂଖ୍ୟା , ୭ ବର୍ଷରେ ୭ ମରିଛନ୍ତି, ମଧ୍ୟପ୍ରଦେଶ ଆଗରେ, ଦ୍ବାଦଶ ସ୍ଥାନରେ ଓଡ଼ିଶା

୨୦୧୨-୧୮ ମଧ୍ୟରେ ‌‌ଦେଶରେ ମରିଛନ୍ତି ୬୫୭ ବାଘ

ଭୁବନେଶ୍ବର: ଭାରତରେ ବାଘଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୦୬ ମସିହା‌ରେ ଦେଶରେ ୧୪୧୧ଟି ବାଘ ଥିବା ବେଳେ ୧୨ ବର୍ଷ ପରେ ଅର୍ଥାତ୍‌ ୨୦୧୮ ବେଳକୁ ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଛି। ଏହା ବାଘପ୍ରେମୀ ଓ ପରିବେଶବିତ୍‌ମାନଙ୍କ ପାଇଁ ଏକ ଖୁସି ଖବର। ମାତ୍ର ଗତ ୭ ବର୍ଷ ମଧ୍ୟରେ ଦେଶରେ ଯେତିକି ବାଘଙ୍କ ମୃତ୍ୟୁ ଘଟିଛି, ତାହା ଚିନ୍ତାର କାରଣ ପାଲଟିଛି। ଏହି ସମୟ ମଧ୍ୟରେ ସାରା ଭାରତରେ ୬୫୭ଟି ବାଘଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗତ ୩ ବର୍ଷ ହେଲା ଲଗାତାର ଭାବେ ପ୍ରତିବର୍ଷ ଶତାଧିକ ବାଘଙ୍କ ମୃତ୍ୟୁ ଘଟୁଛି। ଏନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାଘ ମୃତ୍ୟୁ ତାଲିକାରୁ ବି ବାଦ୍‌ ପଡ଼ିନି ଓଡ଼ିଶା। ଏଠାରେ ବି ୭ ବର୍ଷ ମଧ୍ୟରେ ୭ଟି ବାଘଙ୍କର ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ ୨୦୧୨ରୁ ୨୦୧୮ ମଧ୍ୟରେ ଦେଶରେ ୬୫୭ଟି ବାଘଙ୍କର ମୃତ୍ୟୁ ହୋଇଛି। ୨୦୧୨ରେ ୮୮ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ୨୦୧୩ରେ ଏହି ସଂଖ୍ୟା ୬୮କୁ ଖସିଥିଲେ ମଧ୍ୟ ଏହାପରେ ଆଉ କମି ନାହିଁ। ୨୦୧୪ରେ ୭୮, ୨୦୧୫‌ରେ ୮୨, ୨୦୧୬ରେ ୧୨୧, ୨୦୧୭ରେ ୧୧୭ ଓ ୨୦୧୮ରେ ୧୦୩ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ଏପରିକି ଗତ ୬ ମାସ ମଧ୍ୟରେ ଦେଶରେ ୫୦ରୁ ଅଧିକ ବାଘଙ୍କର ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ବାଘମୃତ୍ୟୁରେ ସବୁଠାରୁ ଆଗରେ ରହିଛି ମଧ୍ୟପ୍ରଦେଶ। ୭ ବର୍ଷରେ ମଧ୍ୟପ୍ରଦେଶ‌ରେ ସର୍ବାଧିକ ୧୪୧ଟି ବାଘଙ୍କର ମୃତ୍ୟୁ ହୋଇଛି। ଏହା ତଳକୁ ମହାରାଷ୍ଟ୍ରରେ ୧୦୮, କର୍ଣ୍ଣାଟକରେ ୯୯, ଉତ୍ତରାଖଣ୍ଡରେ ୮୨, ତାମିଲନାଡ଼ୁ ଓ ଆସାମରେ ୪୯ଟି ଲେଖାଏଁ, କେରଳରେ ୩୪, ଉତ୍ତରପ୍ରଦେଶରେ ୩୧, ରାଜସ୍ଥାନରେ ୧୪, ବିହାରରେ ୧୦, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ୯ଟି ଲେଖାଏଁ ବାଘ ମରିଛନ୍ତି। ବାଘ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୨ ନମ୍ବରରେ ରହିଛି। ଏଠାରେ ୭ ବର୍ଷରେ ୭ଟି ବାଘଙ୍କର ମୃତ୍ୟୁ ହୋଇଛି। ସ୍ବାଭାବିକ ତଥା ପ୍ରାକୃତିକ ଭାବେ ଗୋଟିଏ ବାଘର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ବାଘଙ୍କର ମୃତଦେହ ସନ୍ଦେହଜନକ ଭାବେ ଜବତ କରାଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଦୁଇଟି ବାଘକୁ ଶିକାର କରାଯାଇଛି। ଆଉ ଦୁଇଟି ବାଘଙ୍କର ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ସାରା ଦେଶରେ ପ୍ରାକୃତିକ ଭାବେ ୩୧୩ଟି ବାଘଙ୍କର ମୃତ୍ୟୁ ହୋଇଛି। ୧୩୮ଟି ଶିକାରୀଙ୍କ ହାତରେ ପ୍ରାଣ ହରାଇଛନ୍ତି। ୮୭ଟି ବାଘଙ୍କର ମୃତ୍ୟୁର କରଣ ଏପର୍ଯ୍ୟନ୍ତ ଜଣାପଡ଼ିନି। ୮୪ଟି ବାଘଙ୍କ ମୃତଦେହ ଜବତ କରାଯାଇଛି। ୩୫ଟି ବାଘ ଅପ୍ରାକୃତିକ ଭାବେ ମରିଥିବା ଏନ୍‌ଟିସିଏ କହିଛି।
ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ବାସସ୍ଥଳୀ ହରାଇବା, ମଣିଷ-ବନ୍ୟପ୍ରାଣୀ ଲଢ଼େଇ ଯୋଗୁଁ ବାଘ ମୃତ୍ୟୁ ବଢ଼ୁଛି। ଏହ‌ା ସତ୍ତ୍ବେ ଏଥର ବାଘ ସଂଖ୍ୟା ୭୦୦ରୁ ଅଧିକ ବଢ଼ିବା ଖୁସିର ବିଷୟ। ତେବେ ଓଡ଼ିଶାର ସ୍ଥିତିକୁ ନେଇ ଏବେ ବି ଦ୍ବନ୍ଦ୍ବ ରହିଛି। ୪ବର୍ଷ ମଧ୍ୟରେ ବାଘ ବଢ଼ିବା ବଦଳରେ ସ୍ଥିର ରହିବା ଗଣନାର ସଠିକତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। ୨୦୧୪ ଗଣନାରେ ଓଡ଼ିଶାରେ ୨୪ଟିରୁ ୩୨ଟି ବାଘ ଥିବା କୁହାଯାଇଥିବା ବେଳେ ୨୦୧୮ରେ ୨୬ରୁ ୩୦ ମଧ୍ୟରେ ବାଘ ଥିବା ସ୍ପଷ୍ଟ କରାଯାଇଛି। ଏହାର ଅନୁପାତ ବାହାର କରାଯାଇ ରାଜ୍ୟରେ ବାଘ ସଂଖ୍ୟା ୨୮ ବୋଲି କୁହାଯାଉଛି। ଅର୍ଥାତ୍‌ ପରୋକ୍ଷରେ କୁହାଯାଇଛି ଯେ ଓଡ଼ିଶାରେ ବାଘ କମିଛନ୍ତି। ୭ବର୍ଷ ମଧ୍ୟରେ ୭ ବାଘ ମୃତ୍ୟୁର ପ୍ରଭାବ ବି ରିପୋର୍ଟରେ ପରିଲକ୍ଷିତ ହୋଇଛି। ବାଘଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଇପାରୁନି। ଯେଉଁଥି ପାଇଁ ଦେଶରେ ବହୁ ପ୍ରତୀକ୍ଷିତ ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଇତିମଧ୍ୟରେ ଶକ୍ତ ଧକ୍କା ଲାଗିଛି। ପ୍ରକଳ୍ପ ଆଗେଇବ କି ନାହିଁ ତାହା ବି ଏବେ ସନ୍ଦେହରେ। ଏଭଳି ସମୟରେ ରାଜ୍ୟ ସରକାରଙ୍କ ପରବର୍ତୀ ନିଷ୍ପତ୍ତି ଉପରେ ନଜର ରହିବ।

ସମ୍ବନ୍ଧିତ ଖବର