ବନବିଭାଗ ବାଘୁଣୀ ସୁନ୍ଦରୀର ଫଟୋ ଜାରି କରିବା ପରେ ବିଶେଷଜ୍ଞ କହିଲେ ଜଙ୍ଗଲୀ ସ୍ବଭାବ ହରାଇଛି, ଚଞ୍ଚଳତା ହ୍ରାସ ପାଇଛି

ଭୁବନେଶ୍ବର: ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଚିଠି ଲେଖିବା ପରେ ବନବିଭାଗ ବାଘୁଣୀର ଦୁଇଟି ଫଟୋ ଜାରି କରିଛି। ଏଥିରେ ବାଘୁଣୀ ସୁନ୍ଦରୀ ସୁସ୍ଥ ସବଳ ଥିବା ଦର୍ଶାଇବାକୁ ଚାହିଁଛି ବନବିଭାଗ। ତେବେ ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ସୁନ୍ଦରୀ ବହୁତ ମୋଟୀ ଦେଖାଯାଉଥିବା ବେଳେ ଏନକ୍ଲୋଜର ଭିତରେ ରହି ସେ ଶିକାର ଭୁଲିଯାଇଥିବା କୁହାଯାଉଛି।

ସୁସ୍ଥ ସବଳ ଦେଖାଯାଉଥିବା ‘ସୁନ୍ଦରୀ’ ଭିତରେ ପୂର୍ବଭଳି ଚଞ୍ଚଳତା ଅଛି ତ? ଛୋଟିଆ ଏନକ୍ଲୋଜରରେ ରହି ସେ ଜଙ୍ଗଲୀ ସ୍ବଭାବ ଭୁଲିଯାଇନି ତ? ଏବେ ଏଭଳି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କାରଣ ଦୀର୍ଘ ଦିନ ଧରି ଶିକାର କରି ନାହିଁ ବାଘୁଣୀ। ବନ ବିଭାଗ ଅନ୍ୟ ପଶୁକୁ ଟ୍ରାଙ୍କୁଲାଇଜ କରି ତାକୁ ଖାଇବାକୁ ଦେଉଛି। ଯାହା ଫଳରେ ତା’ର ଶରୀର ସୁସ୍ଥ ଦେଖାଯାଉଛି। କିନ୍ତୁ ତା’ ଭିତରେ ଥିବା ଜଙ୍ଗଲୀ ବାଘର ଫୂର୍ତ୍ତି ହଜିଯାଇଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ ସୁନ୍ଦରୀକୁ ଫେରାଇ ନିଆଯାଇ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନିଆଯିବ। ସେଠାରେ ତା’ର ପୂର୍ବ ଶିକାରୀ ପ୍ରବୃତ୍ତିକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯିବ। ତେବେ ଆଉ ଥରେ ସୁନ୍ଦରୀ, ଓଡ଼ିଶା ଫେରିବା ସମ୍ଭାବନା କମ୍‌ ବୋଲି କହିଛନ୍ତି ବ୍ୟାଘ୍ର ବିଶେଷଜ୍ଞ। ତେବେ ସୁନ୍ଦରୀ ଆସିବା ଓ ସୁନ୍ଦରୀକୁ ଫେରାଇ ନିଆଯିବା ନିଷ୍ପତ୍ତି ଭିତରେ ପଦାରେ ପଡ଼ିଛି ଓଡ଼ିଶା ବନ ବିଭାଗର ଅପରାଗତା।

ସମ୍ବନ୍ଧିତ ଖବର