ଭତ୍ତା ଦୁର୍ନୀତି: ବଦଳିଲେ ତିର୍ତ୍ତୋଲ ବିଡିଓ

ଜଗତସିଂହପୁର ଟାଉନ୍‌ : ତିର୍ତୋଲ ବ୍ଲକ୍‌ ଦୁର୍ନୀତି ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ବିଡ଼ିଓ ରଂଜନ କୁମାର ପରିଡ଼ାଙ୍କୁ ଶେଷରେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ବଦଳି କରାଯାଇଛି। ଏ ସମ୍ପର୍କରେ ଆଜି ପଞ୍ଚାୟତିରାଜ ବିଭାଗର ୯୧୪୫(୩/୬/୨୦) ନିର୍ଦ୍ଦେଶନାମା ଜାରି କରାଯାଇଛି।

ତିର୍ତୋଲ ବ୍ଲକ୍‌ରେ ବିଡ଼ିଓ ଶ୍ରୀ ପରିଡ଼ା ୩ ବର୍ଷରୁ ଅଧିକ ସମୟ ଏଠାରେ ରହିବା ସହ ବିଭିନ୍ନ ଦୁର୍ନୀତି ଘଟଣାରେ ବିବାଦୀୟ ହୋଇ ପଡ଼ିଥିଲେ। ନିକଟରେ ଏହି ବ୍ଲକ୍‌ର ଗୋପାଳପୁର ପଞ୍ଚାୟତରେ ଭତ୍ତା ଦୁର୍ନୀତି ଓ ବିଭିନ୍ନ ଆବାସ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଲଗାତାର ଭାବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇ ଆସିଥିଲା। ସମସ୍ତ ଅଭିଯୋଗକୁ ବାଏଁବାଏଁ ଉଡ଼ାଇ ଆସିଥିବା ବ୍ଲକ୍‌ ପ୍ରଶାସନ କିନ୍ତୁ ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ଦୁର୍ନୀତି ସଂପର୍କିତ ତଥ୍ୟକୁ ଟାଳି ପାରିନଥିଲା। ଏହି ବ୍ଲକ୍‌ରେ ଏପର୍ଯ୍ୟନ୍ତ ଭତ୍ତା ଦୁର୍ନୀତିର କାର୍ପଟଦାର ସାଜିଥିବା ବ୍ଲକ୍ ପଞ୍ଚାୟତ ଅଫିସର୍‌ ହିମାଂଶୁ ଭୂଷଣ ନାୟକଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିବାରେ କାର୍ଯ୍ୟାନୁ‌ଷ୍ଠାନ ସୀମିତ ଥିଲା। ଅନ୍ୟପକ୍ଷରେ, କରୋନା ମୁକାବିଲା ପାଇଁ ବ୍ଲକ୍‌ସ୍ତରରେ ଚାଲିଥିବା ପ୍ରସ୍ତୁତି ବେଳେ ତିର୍ତୋଲ ବ୍ଲକ୍‌ ଅନ୍ୟ ସବୁ ବ୍ଲକ୍‌ ଖର୍ଚ୍ଚକୁ ଟପି ଯାଇଥିଲା। ଜିଲ୍ଲାର ୭ଟି ବ୍ଲକରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ବାବଦରେ ୧୦ରୁ ୩୦ ହଜାର ଟଙ୍କାର ହିସାବ ଥିବା ବେଳେ ତିର୍ତୋଲ ବିଡ଼ିଓ ୧୬ ଲକ୍ଷ ଟଙ୍କାର ହିସାବ ଦେଇ ଅଡ଼ୁଆରେ ପଡ଼ିଥିଲେ। ଜିଲ୍ଲାପାଳ ଏପରି ଲମ୍ବା ଚଉଡ଼ା ଖର୍ଚ୍ଚ ବାବଦରେ ଗୋଟି ଗୋଟି କରି ପ୍ରମାଣ ମାଗିବାରୁ ଅସଲ ଦୁର୍ନୀତି ସାମ୍ନାକୁ ଆସିଥିଲା। ବିଡ଼ିଓ ଦେଇଥିବା ଖର୍ଚ୍ଚ ହିସାବ ୧୬ ଲକ୍ଷ ଟଙ୍କାରୁ ଖସି ଖସି ୫୧ ହଜାରରେ ପହଞ୍ଚିଥିଲା। ନିର୍ଦ୍ଦିଷ୍ଟ ଖର୍ଚ୍ଚରେ ବିଡ଼ିଓ ୧୫ ଲକ୍ଷ ୫୦ ହଜାର ଟଙ୍କା ଅଧିକ ଦର୍ଶାଇବାରୁ ସେଥିରେ ଦୁର୍ନୀତିର ବଡ଼ ପ୍ରମାଣ ମିଳିଥିଲା। ଭତ୍ତା ବଣ୍ଟନଠାରୁ ଆରମ୍ଭ କରି ପକ୍କାଘର, ରାସନକାର୍ଡ ଦୁର୍ନୀତିର ରୋଲ୍‌ମଡେଲ ସାଜିଥିବା ଏହି ବ୍ଲକ୍‌ର ଦୁର୍ନୀତିକୁ ଚପାଇଦେବା କ୍ଷେତ୍ରରେ ରାଜନୈତିକ ଦଳର ନେତାଙ୍କ ଆଶୀର୍ବାଦ ହିଁ କାମ କରୁଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ମା’ ଶାରଳାଙ୍କ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର, ଭାରପ୍ରାପ୍ତ ତହସିଲଦାର ଦାୟିତ୍ବରେ ଥିବା ବେଳେ ଏକାଧିକ ଦୁର୍ନୀତି ଅଭିଯୋଗରେ ବିଡ଼ିଓ ଶ୍ରୀ ପରିଡ଼ା ଛନ୍ଦି ହୋଇଥିଲେ। କିନ୍ତୁ ସବୁ ଅଭିଯୋଗ ପ୍ରମାଣକୁ ଚାପି ଦିଆଯିବା ଓ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା।

ଗୋପାଳପୁର ପଞ୍ଚାୟତ ଭତ୍ତା ଦୁର୍ନୀତିର ପ୍ରମାଣ ମିଳିଥିଲେ ହେଁ ନିଜେ ଦୁର୍ନୀତିର ତଦନ୍ତ ଦାୟିତ୍ବରେ ରହି କେବଳ ପଞ୍ଚାୟତ ଅଫିସରଙ୍କୁ ଦୋଷୀ କରିଥିଲେ। ପରୋକ୍ଷରେ ସେ ହିଁ ନିଜ ରିପୋର୍ଟରେ ଛନ୍ଦି ହୋଇ ଶେଷକୁ ବଦଳି ହେଲେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ ଗୋପାଳପୁର ପଞ୍ଚାୟତରେ ୨୫୦ରୁ ଅଧିକ ଅଯୋଗ୍ୟ ଭେଣ୍ତିଆଙ୍କୁ ଭତ୍ତା ଦିଆଯାଉଥିବା ବେଳେ ମୃତକଙ୍କ ନାମରେ ବି ଭତ୍ତା ଉଠାଯାଇଥିବାର ତଥ୍ୟ ପ୍ରମାଣ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର