ତିତଲି ରିଲିଫ୍ ସହାୟତା ରାଶି ବଢ଼ାଇଲେ ସରକାର; ପ୍ରଭାବିତ ଜିଲ୍ଲା ପାଇବେ ୩୭୫ କୋଟିର ସହାୟତା

ଭୁବନେଶ୍ବର : ସୋମବାର ସଚିବାଳୟରେ ତିତଲି କ୍ଷୟକ୍ଷତିର ସମୀକ୍ଷା ହୋଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ଯେ ତିତଲି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ରିଲିଫ୍ ସହାୟତା ରାଶି ବୃଦ୍ଧି ହୋଇଛି । ରାଜ୍ୟର ତିତଲି ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୩୭୫ କୋଟି ଟଙ୍କା ରିଲିଫ୍ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଛି ବୋଲି କହିଛନ୍ତି ଏସ୍ଆରସି । ପୁନଃ  ମରାମତି ପାଇଁ ସବୁ ବିଭାଗୱାରୀ ଆବଣ୍ଟନ ହୋଇଛି । ଶକ୍ତି ପାଇଁ ୨୭କୋଟି , ଖାଦ୍ୟ ଓ ଯୋଗାଣ ପାଇଁ ୨୦କୋଟି , ଜଳସଂପଦ ପାଇଁ ୭କୋଟି , ପୂର୍ତ ବିଭାଗ ପାଇଁ ୫୦କୋଟି, ଗ୍ରାମପୁର୍ନଗଠନ ପାଇଁ ୫୫କୋଟି, ରାସ୍ତା ନିର୍ମାଣ ଲାଗି ପଂଚାୟତିରାଜ ବିଭାଗ ପାଇଁ ୬୨୪ କୋଟି  ଓ ପଶୁସଂପଦ ବିଭାଗ ଲାଗି ୨ କୋଟି ଟଙ୍କାର  ବ୍ୟୟବରାଦ କରାଯାଇଛି ।

ସେହିଭଳି ଗତ ୧୬ ତାରିଖରେ ତିତଲି କ୍ଷୟକ୍ଷତିକୁ ନେଇ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ରିଲିଫ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୧୦୨ କୋଟିର ସହାୟତା ରାଶି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଭଳି ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲା ପାଇଁ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ ।

ତେବେ ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ।
ସମ୍ବନ୍ଧିତ ଖବର