ବିଶ୍ବ ପର୍ଯ୍ୟଟନ ଦିବସ ଆଜି: ୯ କୋଟିର ଇକୋ ରିଟ୍ରିଟ୍‌ ହବ୍‌, ଉଦ୍‌ଘାଟନ ପୂର୍ବରୁ ଭୂତକୋଠି

ବ୍ରହ୍ମପୁର : ଆଜି ବିଶ୍ବ ପର୍ଯ୍ୟଟନ ଦିବସ। ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟ ସରକାର କିଭଳି ତତ୍‌ପରତା ପ୍ରକାଶ କରୁଛନ୍ତି, ଗୋପାଳପୁରଠାରେ ନିର୍ମିତ ଇକୋ ରିଟ୍ରିଟ୍‌ ହବ୍‌ ଘଟଣାରୁ ବେଶ୍‌ ଜଣାପଡ଼ୁଛି। ୯ କୋଟି ଟଙ୍କାର ଏହି ପ୍ରକଳ୍ପ କାମ ଶେଷ ହୋଇଛି। ମାତ୍ର, ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ। ଏମିତକି, ଉଦ୍‌ଘାଟନ ହେବାପୂର୍ବରୁ ଏହା ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ତେବେ, ଯେଉଁଥିପାଇଁ ଉଦ୍‌ଘାଟନ ଅଟକିଛି ତାହା ଅତ୍ୟନ୍ତ କୌତୁହଳର ବିଷୟ। ଇକୋ ରିଟ୍ରିଟ୍‌ ହବ୍‌ର ପରିଚାଳନା ପାଇଁ ପରିଚାଳକ ମିଳୁ ନାହାନ୍ତି। ଫଳରେ, ସରକାର ଏହାର ଉଦ୍‌ଘାଟନ କରିପାରୁ ନଥିବା କୁହାଯାଉଛି। ଏହାର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ଦେବା ପାଇଁ ସରକାର ବିଚାର କରୁଛନ୍ତି। ଟେଣ୍ଡର୍‌ ଆହ୍ବାନ କରି ତାହା ଚୂଡ଼ାନ୍ତ କରାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ସୂତ୍ରରୁ ପ୍ରକାଶ।

ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ​ ଗୋପାଳପୁରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ପର୍ଯ୍ୟଟକଙ୍କ ରହିବା ପ‌ାଇଁ ଆଇପିଏସ୍ ଗେଷ୍ଟ୍ ହାଉସ୍ ନିକଟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଇକୋ ରିଟ୍ରିଟ୍ ହବ୍‌(କଟେଜ୍) ନିର୍ମାଣ କରାଯାଇଛି। ଇକୋ ରିଟ୍ରିଟ୍‌ ହବ୍‌ର କାର୍ଯ୍ୟ ପ୍ରାୟ ଦେଢ଼ବର୍ଷ ହେଲା ଶେଷ ହୋଇଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା ଉଦ୍‌ଘାଟନ ହୋଇପାରି ନାହିଁ। ଫଳରେ, ଏହା ବ୍ୟବହାର ନହୋଇ ପଡ଼ିରହିଛି। ୨୦୧୬ରେ ଗୋପାଳପୁରର ଆଇପିଏସ୍ ଗେଷ୍ଟ ହାଉସ୍ ନିକଟ ବାଲୁକା ତଟରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୪୫ ଏକର ଜମିରେ ଇକୋ ରିଟ୍ରିଟ୍ ହବ୍‌ କାମ ଆରମ୍ଭ କରାଯାଇଥିଲା। ବିଡିଏ ଅଧୀନରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପର୍ଯ୍ୟଟକ ରହିବା ପାଇଁ ଏଠାରେ ୧୪ଟି କଟେଜ୍ ରହିଥିବା ବେଳେ ଶିଶୁ ଉଦ୍ୟାନ, ଘାସ ବଗିଚା, ଗାଡ଼ି ପାର୍କିଂ, ସୁଇମିଙ୍ଗ୍ ପୁଲ୍ ରହିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି କଟେଜ୍ ଠାରୁ ବେଳାଭୂମିକୁ ଯିବାକୁ ରହିଥିବା କାଠ ପୋଲ। କାଠ ପୋଲ ଉଦ୍‌ଘାଟନ ହୋଇସାରିଥିବା ବେଳେ ପର୍ଯ୍ୟଟକ ଏହାର ମଜା ଉଠାଉଛନ୍ତି। କିନ୍ତୁ, ଇକୋ ରିଟ୍ରିଟ୍ ହବ୍‌ ଉଦ୍‌ଘାଟନ ହୋଇନଥିବାରୁ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ୁଛି।

ଗୋପାଳପୁରକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। କିନ୍ତୁ, ଉନ୍ନୟନମୂଳକ କାର୍ଯ୍ୟ ସରିବା ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ କରାଯାଉ ନାହିଁ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ରହଣି ପାଇଁ ଇକୋ ରିଟ୍ରିଟ୍‌ ହବ୍‌ ବେଶ୍‌ ଉପଯୋଗୀ ହେବ ବୋଲି କୁହାଯାଉଥିଲା। ବର୍ତ୍ତମାନ ସୁଦ୍ଧା ତାହା ଆରମ୍ଭ କରାଯାଇ ନାହିଁ। ପାତି ସୁନାପୁର ବେଳାଭୂମିକୁ ‘ବ୍ଲୁ-ଫ୍ଲାଗ୍‌’ ମାନ୍ୟତା ଦେବା ପାଇଁ କାମ ଆରମ୍ଭ ହୋଇଛି। ତେବେ, କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଇକୋ ରିଟ୍ରିଟ୍‌ ହବ୍‌ କାର୍ଯ୍ୟକ୍ଷମ ବିଳମ୍ବିତ ହେବାକୁ ସାଧାରଣରେ ଅ‌ାଲୋଚନା ଦାନା ବାନ୍ଧିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହାର ଉଦ୍‌ଘାଟନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର