ଖୋର୍ଦ୍ଧା, ପୁରୀ ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଠାରୁ ରିଲିଫ୍ ବଣ୍ଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଦୁଇଟି ଜିଲ୍ଲାରେ ବିଦ୍ୟୁତ ଓ ଜଳଯୋଗାଣ ପରିସ୍ଥିତି ଏବଂ ରିଲିଫ୍ ଯୋଗାଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଓ ସହାୟତା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଆସନ୍ତାକାଲି ଠାରୁ ରିଲିଫ୍ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରାୟତଃ ସ୍ବାଭାବିକ ହୋଇଛି। ପୁରୀ ଜିଲ୍ଲାର ୯୦ ପ୍ରତିଶତ ଗାଁକୁ ପଞ୍ଚାୟତରୁ ସଡ଼କ ଯୋଗାଯୋଗର ବ୍ୟବସ୍ଥା ହୋଇଯାଇଛି। ‌ବିଜୁଳି ଓ ଟେଲି ଯୋଗାଯୋଗ ପରି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟେଲି ଯୋଗାଯୋଗରେ ବ୍ୟାପକ ଅସୁବିଧା ହେଉଥିବାରୁ ପୁରୀ ସହରରେ ମୋବାଇଲ୍‌ ଟାୱାର୍ ଅନ୍‌ ହ୍ବିଲ୍‌ ଜରିଆରେ ଟେଲି ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ଉପରୋକ୍ତ ଦୁଇଟି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର