ଆଜି ଭାରତ ବନ୍ଦ: ପ୍ରଭାବିତ ହେବ ବ୍ୟାଙ୍କ ସେବା

ଭୁବନେଶ୍ବର,: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ କଂଗ୍ରେସ ଆଦି ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି। ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଡାକରା ଦେଇଛନ୍ତି ସଂଗଠନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା କେତେକ ବ୍ୟାଙ୍କ ବନ୍ଦ ରହିବ। ‌ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଭାରତ ବନ୍ଦ ଦ୍ବାରା ଗାଡ଼ି ଓ ଟ୍ରେନ୍‌ ଚଳାଚଳ, ବାଣିଜ୍ୟ ପ୍ରତିଷ୍ଠାନ ପ୍ରଭାବିତ ହେବ। ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ବି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ସକାଳ ୯ଟା ୩୦ ସୁଦ୍ଧା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିବାକୁ ହେବ। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଆଦି ପ୍ରମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବେ। ସମ୍ମୁଖ ଫାଟକ ୧୦ଟା ୧୫ ମିନିଟ୍‌ରେ ବନ୍ଦ ହେବ। କର୍ମଚାରୀମାନେ ପଛପଟ ଫାଟକ ଦେଇ ଯା’ ଆସ କରିବେ। ଏଠାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବରରେ ୧୫ ପ୍ଲାଟୁନ୍‌ ଫୋର୍ସ ସହ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଅଧିକାରୀମାନେ ସୁରକ୍ଷିତ କାର୍ଯ୍ୟାଳୟ ଆସିବା ଓ ସରକାରୀ ସମ୍ପତ୍ତିର ସୁରକ୍ଷା ଦିଗରେ ପୁଲିସ ପ୍ରସ୍ତୁତ ରହିଥିବା ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ରାଜ୍ୟର ସମ୍ବେଦନଶୀଳ ସ୍ଥାନ ସହ ସମସ୍ତ ଥାନାକୁ ଆବଶ୍ୟକୀୟ ଫୋର୍ସ ପଠା‌ଯାଇଛି।

ଭୁବନେଶ୍ବର ଓ କଟକରେ ଗଡ଼ିବ ‘ମୋ ବସ୍‌’
ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ
ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦେଶ

ସାଧାରଣ ଜନଜୀବନ ଯେପରି ପ୍ରଭାବିତ ନ ହେବ ତାହା ଉପରେ କଡ଼ା ନଜର ରଖିବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ଦରକାର ପଡ଼ିଲେ ଉଚିତ୍‌ ସମୟରେ ଅଧିକ ଫୋର୍ସ ପଠାଇବା ପାଇଁ ଷ୍ଟ୍ରାଇକିଂ ଫୋ‌ର୍ସକୁ ପ୍ରସ୍ତୁତ ରଖାଯାଇଛି। ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ବ୍ୟାଙ୍କଗୁଡ଼ିକର ୫ଟି ସଂଘ ଧର୍ମଘଟକୁ ଓହ୍ଲାଇଥିବାବେଳେ ଏଆଇବିଓସି ଏହାକୁ ନୈତିକ ସମର୍ଥନ ଜଣାଇଛି। ତେଣୁ ଧର୍ମଘଟର ପ୍ରଭାବ ବ୍ୟାଙ୍କ ଶାଖା ଓ ଏଟିଏମ୍ ଉପରେ ପଡ଼ିପାରେ। ବ୍ୟାଙ୍କ ମିଶ୍ରଣକୁ ବିରୋଧ କରାଯାଇ ଏହି ଧର୍ମଘଟରେ ବ୍ୟାଙ୍କ ସଂଘଗୁଡ଼ିକ ସାମିଲ ହୋଇଛନ୍ତି ବୋଲି ଏଆଇବିଓସିର ଓଡ଼ିଶା ସଭାପତି ଦାମୋଦର ନନ୍ଦ କହିଛନ୍ତି। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ସେବା ଅପେକ୍ଷାକୃତ ଭାବେ କମ୍ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି। ବସ୍‌ ଓ ଅଟୋ ଚଳାଚଳ ବନ୍ଦ ହେବାକୁ ଥିବାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଯିବା ପାଇଁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତାହାକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ହେବାକୁ ଥିବା କିଛି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ(ଆଇସିଏଆର) ଦ୍ବାରା ୮ ତାରିଖରେ ହେବାକୁ ଥିବା ଆଇସିଏଆର ନେଟ୍‌ ୨୦୨୦ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ୮ ତାରିଖରେ ହେବାକୁ ଥିବା ନେଟ୍‌ ପରୀକ୍ଷାକୁ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ୮ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ପାଇଁ ପୁନଃ ସମୟ ନିର୍ଦ୍ଧାରଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତ ୬ ତାରିଖଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌-୧’ ପରୀକ୍ଷାରେ କୌଣସି ପରିବର୍ତନ କରାଯାଇ ନାହିଁ। ଦେଶରେ ପାଖାପାଖି ଦୁଇ ଲକ୍ଷ ଛାତ୍ରଛାତ୍ରୀ ବୁଧବାର ପରୀକ୍ଷା ଦେବେ। ଓଡ଼ିଶାରେ ବି ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ୮ ତାରିଖରେ ଜେଇଇ ମେନ୍‌ ପରୀକ୍ଷା ଦେବେ। ତେଣୁ ସେମାନେ ଅସୁବିଧାର ସମ୍ମୁଖୀନ ହେବା ଏକପ୍ରକାର ଥୟ। ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ୍ଦର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହେବା ନେଇ କୌଣସି ଘୋଷଣା କରାଯାଇ ନାହିଁ। ଢେଙ୍କାନାଳ ଜିଲ୍ଲାପାଳଙ୍କ ନି‌ର୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଆସନ୍ତାକାଲିକୁ ଜିଲ୍ଲାରେ ଥିବା ସମସ୍ତ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲକୁ ଛୁଟି ଘୋଷଣା କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦୁଝର, ଗଞ୍ଜାମ ଜିଲ୍ଲାରେ ବି ଛୁଟି ଘୋଷଣା କରାଯାଇଛି। ଅଧିକାଂଶ ଘରୋଇ ବିଦ୍ୟାଳୟ ନିଜ ଆଡ଼ୁ ସ୍କୁଲକୁ ‌ଛୁଟି ଘୋଷଣା କରିଛନ୍ତି। ବିଦ୍ୟାଳୟକୁ ନ ଆସିବା ଲାଗି ପିଲାମାନଙ୍କୁ କହିଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ଅକ୍ଷୟ ପାତ୍ର ଫାଉ‌ଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଧର୍ମଘଟକୁ ସମର୍ଥନ ଜଣାଇ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ବସ୍‌ ଚାଳଚଳ ବନ୍ଦ ରଖିବ। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ବସ୍‌ ଗଡ଼ିବ ନାହିଁ। ତେବେ ସନ୍ଧ୍ୟା ୬ଟା ପରେ ବସ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ନିଖିଳ ଓଡ଼ିଶା ଅଟୋ ମହାସଂଘ ମଧ୍ୟ ବନ୍ଦକୁ ସମର୍ଥନ କରିଛି। ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଏହାର ସାଧାରଣ ସମ୍ପାଦକ ପଦ୍ମନ ସାମଲ ଏକ ପ୍ରେସ୍‌ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଭୁବନେଶ୍ବର ଓ କଟକରେ ଗଡ଼ୁଥିବା ‘ମୋ ବସ୍‌’ ସେବା ବନ୍ଦ ହେବ ନାହିଁ। କ୍ରୁଟ୍‌ ପକ୍ଷରୁ ଟ୍ବିଟ୍‌ ଜରିଆରେ ସ୍ପଷ୍ଟ କରାଯାଇଛି ଯେ ବସ୍‌ଗୁଡ଼ିକ ଯେମିତି ଚାଲିବା କଥା ସେମିତି ଚାଲିବ। ଭାରତ ବନ୍ଦକୁ ଗତକାଲି ପ୍ରଦେଶ କଂଗ୍ରେସ ସମର୍ଥନ କରିଥିବା ବେଳେ ଆଜି ରାଜ୍ୟ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି। ଏଥିସହ ଓଡ଼ିଶା ରାଜ୍ୟ କର୍ମଚାରୀ ସମନ୍ବୟ ସମିତି ମଧ୍ୟ ଏହି ବନ୍ଦକୁ ସମର୍ଥନ କରୁଛି ବୋଲି ଏହାର ସଭାପତି ଲିଙ୍ଗରାଜ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର