ପୁଲିସ ବିଭାଗରେ ‘ଭ୍ରାମ୍ୟମାଣ ଶୌଚାଳୟ’ ଯୋଜନା

୪୩ ଲକ୍ଷ ବ୍ୟୟ; ଏପ୍ରିଲ ପହିଲାରୁ ଆରମ୍ଭ

କମିସନରେଟ୍‌ ପୁଲିସ୍‌ ଅଞ୍ଚଳ ପାଇଁ ୧୪ଟି ଭ୍ରାମ୍ୟମାଣ ଶୌଚାଳୟ

କଟକ : ବିଭିନ୍ନ ସ୍ଥାନରେ ଡ୍ୟୁଟି କରୁଥିବା ପୁଲିସ୍‌ କର୍ମଚାରୀଙ୍କ ସମସ୍ୟା ଦୂର କରିବାକୁ ରାଜ୍ୟ ପୁଲିସ ବିଭାଗ ଆରମ୍ଭ କରିବାକୁ ଯାଉଛି ଭ୍ରାମ୍ୟମାଣ ଶୌଚାଳୟ ଯୋଜନା। ମେଳା ମହୋତ୍ସବ, ଆଇନ ଶୃଙ୍ଖଳା ପରିସ୍ଥିତି ସମୟରେ ନିୟୋଜିତ ହେଉଥିବା ପୁଲିସ ଫୋର୍ସ ଏହି ଶୌଚାଳୟକୁ ବ୍ୟବହାର କରିପାରିବେ । ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମଚାରୀଙ୍କ ପାଇଁ ଏଥିରେ ପୃଥକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୪୩ ଲକ୍ଷ ୨୦ ହଜାର ଟଙ୍କାର ଅର୍ଥ ବରାଦ ହୋଇଛି । ଆଗାମୀ ଦିନରେ ଟ୍ରାଫିକ ପୋଷ୍ଟରେ ମଧ୍ୟ ଏଭଳି ବ୍ୟବସ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି ‘ଭ୍ରାମ୍ୟମାଣ ଶୌଚାଳୟ’ ସେବାରେ ଗୋଟିଏ ସେଟ୍‌ରେ ୬ଟି ଶୌଚାଳୟ ଉଭୟ ପୁରୁଷ ଓ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ରହିଛି । ପ୍ରତି ସେଟ୍‌ ପିଛା ୨ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ କରାଯାଇଛି। ପୁଲିସ ବିଭାଗ ପକ୍ଷରୁ ମୋଟ ୪୩ ଲକ୍ଷ ୨୦ ହଜାର ଟଙ୍କା ଅର୍ଥ ବ୍ୟୟରେ ୧୬ଟି ‘ଭ୍ରାମ୍ୟମାଣ ଶୌଚାଳୟ’ କିଣାଯାଇଛି। ଏସବୁ ଶୌଚାଳୟଗୁଡ଼ିକୁ ବିଭିନ୍ନ ପୁଲିସ୍‌ ରେଞ୍ଜରେ ରଖାଯିବ। ପୁରୀ ରଥଯାତ୍ରା, ଭଦ୍ରକ କାଳୀପୂଜା, କଟକ ବାଲିଯାତ୍ରା ଏବଂ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସମୟରେ ନିଯୁକ୍ତ ପୁଲିସ କର୍ମଚାରୀଙ୍କ ପାଇଁ ଏଗୁଡିକୁ ବ୍ୟବହାର କରାଯିବ। ଏହା ବ୍ୟତୀତ ପୁଲିସ ଡ୍ୟୁଟି ମିଟ୍‌, ଆଥ୍‌ଲେଟିକ୍‌ ଡ୍ୟୁଟି ମିଟ୍‌ରେ ମଧ୍ୟ ଏହା ବ୍ୟବହାର କରାଯିବ। ଏହି ଶୌଚାଳୟରେ ୫ ହଜାର ଲିଟର୍‌ ପାଣି ଟାଙ୍କିର ବ୍ୟବସ୍ଥା ହୋଇଥିବା ବେଳେ ଅସ୍ଥାୟୀ ଭାବେ ଆବର୍ଜନା ରଖିବା ପାଇଁ ଷ୍ଟୋରେଜ୍‌ ଟ୍ୟାଙ୍କର ବ୍ୟବସ୍ଥା ରହିଛି । ପ୍ରତି ‘ଭ୍ରାମ୍ୟମାଣ ଶୌଚାଳୟ’ରେ ଜଣେ ଲେଖାଏ ସୁଇପରଙ୍କୁ ନିଯୁକ୍ତ କରାଯିବ । ପାଣି ଭର୍ତ୍ତି ସହିତ ଆବର୍ଜନା ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିବା ଦାୟିତ୍ୱରେ ତାଙ୍କୁ ରଖାଯିବ । ପ୍ରାଥମିକ ଭାବେ ୧୬ଟି ‘ଭ୍ରାମ୍ୟମାଣ ଶୌଚାଳୟ’କୁ ଆସନ୍ତା ୧ ତାରିଖରେ ପୁଲିସ ମୁଖ୍ୟାଳୟରେ ଉଦ୍‌ଘାଟନ କରିବାର ଯୋଜନା ରହିଛି। ଏହା ସହିତ କଟକ-ଭୁବନେଶ୍ୱର କମିସନରେଟ୍‌ ପୁଲିସରେ ଟ୍ରାଫିକ ପୋଷ୍ଟରେ ଡ୍ୟୁଟିରେ ରହୁଥିବା ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ଗୋଟିକିଆ ‘ଭ୍ରାମ୍ୟମାଣ ଶୌଚାଳୟ’ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଖୁବ ଶୀଘ୍ର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇବ । କମିସନରେଟ୍‌ ପୁଲିସ ପାଇଁ ପ୍ରାଥମିକ ଭାବେ ୧୪ଟି ‘ଭ୍ରାମ୍ୟମାଣ ଶୌଚାଳୟ’ ଆସିବ ବୋଲି ପୁଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର