କରୋନା ଖୋଲୁଛି ସ୍ୱଚ୍ଛ ଭାରତ ଗୁମର : ପାଇଖାନାରେ ୪୦୦ କୋଟିର ଦୁର୍ନୀତି!

ବଲାଙ୍ଗୀର/ କଣ୍ଟାବାଞ୍ଜି : କରୋନା ଖୋଲୁଛି ଗୁମର। ବଲାଙ୍ଗୀର ଜିଲ୍ଲାରେ ପଦାରେ ପଡ଼ିଛି ‘ସ୍ୱଚ୍ଛ ଭାରତ ଯୋଜନା’ର ଅସ୍ବଚ୍ଛ ଚିତ୍ର। ଦେଶରୁ ‘ଗନ୍ଦ୍‌ଗି’ ସଫା କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ସ୍ବଚ୍ଛ ଭାରତ ଯୋଜନା ଘୋଷଣା କଲାବେଳେ କହିଥିଲେ ‘ନା ଗନ୍ଦଗି କରୁଙ୍ଗା, ନା ଗନ୍ଦଗି କରନେ ଦୁଙ୍ଗା’ । ଏଥିସହ ଦୁର୍ନୀତିଖୋରଙ୍କୁ ଚେତାବନୀ ଦେଇ କହିଥିଲେ ‘ନା ଖାଉଙ୍ଗା, ନା ଖାନେ ଦୁଙ୍ଗା’। ମାତ୍ର ବଲାଙ୍ଗୀର ଜିଲ୍ଲାରେ ଏ ଦୁଇଟି ଯାକ ବାକ୍ୟକୁ ଯେମିତି ଖୋଲା ତାଚ୍ଛଲ୍ୟ କରିଛନ୍ତି ଦୁର୍ନୀତିଗ୍ରସ୍ତମାନେ। ସ୍ବଚ୍ଛ ଭାରତ ଯୋଜନାର ଲକ୍ଷ୍ୟ ତ ପୂରଣ ହୋଇନି ତା ସହ ଏହି ଯୋଜନାରେ ଆସିଥିବା ଶହ ଶହ କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଗିଳି ଦେଇଛନ୍ତି ହଜାର ହଜାର ସଂଖ୍ୟାରେ ପାଇଖାନା।

ଜିଲ୍ଲାରେ ମୋଟ ୩୪୩୯୮୪ ପାଇଖାନା ନିର୍ମାଣ ହୋଇଥିବା କାଗଜପତ୍ର କହୁଛି। ଏଥିପାଇଁ ପ୍ରାୟ ୪୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ଦିଆଯାଇଛି। ମାତ୍ର ବାସ୍ତବରେ ଅଧିକାଂଶ ସ୍ଥାନରେ ଆଦୌ ପାଇଖାନା ନିର୍ମାଣ ହୋଇନି, ଆଉ କେତେକ ସ୍ଥାନରେ ନିର୍ଧାରିତ ଖର୍ଚ୍ଚଠାରୁ ଅତି କମ୍‌ ଖର୍ଚ୍ଚ କରାଯାଇ ନିମ୍ନମାନର ପାଇଖାନା କରାଯାଇଛି ଯାହା ଦିନ କେଇଟାରେ ଭୁଶୁଡ଼ି ପଡ଼ିଛି ବା ଅଚଳ ହୋଇଯାଇଛି। କିଛି ଲୋକଙ୍କ ଘରେ ପୂର୍ବରୁ ଥିବା ପାଇଖାନା କାନ୍ଥରେ କେବଳ ‘ସ୍ବଚ୍ଛ ଭାରତ ଯୋଜନା’ରେ ନିର୍ମିତ ବୋଲି ଲେଖି ବିଲ୍‌ କରାଯାଇଛି। ଏଥିରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଜଳଜଳ ଦେଖାଯାଉଛି। ବାସ୍ତବ କଥା ହେଉଛି, ଲୋକେ ପୂର୍ବରୁ ଯେମିତି ବାହାରକୁ ଖୋଲାରେ ଶୌଚ ପାଇଁ ଯାଉଥିଲେ ସେମିତି ହିଁ ଯାଉଛନ୍ତି। କରୋନା ପାଇଁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯିବା ବେଳେ ପାଇଖାନାର ଅଭାବ ହିଁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ସେଇଥିରୁ ହିଁ ପାଇଖାନା ଦୁର୍ନୀତିର ଗୁମର ପଦାରେ ପଡ଼ିଛି। ଦୁର୍ଭାଗ୍ୟର ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ନିଜେ ଖାଇବେନି କି କାହାକୁ ଖାଇବାକୁ ଦେବେନି କହି ଯେଉଁ ଯୋଜନା ଆରମ୍ଭ କରିଥିଲେ ସେ ଯୋଜନାର ଅର୍ଥକୁ ସରକାରୀ ଅଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ନେତା, ଠିକାଦାର, କୁଜି ନେତା ସଭିଏଁ ଭାଗବଣ୍ଟା କରି ଖାଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍‌ରେ ୨୦, ୦୬୬, ବଲାଙ୍ଗୀର ସଦର ବ୍ଲକ୍‌ରେ ୨୩, ୫୫୭, ବଙ୍ଗୋମୁଣ୍ଡା ବ୍ଲକ୍‌ରେ ୨୭, ୬୦୧, ବେଲପଡ଼ା ବ୍ଲକ୍‌ରେ ୩୦, ୪୩୧, ଦେଓଗାଁ ବ୍ଲକ୍‌ରେ ୧୯, ୯୭୧, ଗୁଡ଼ଭେଲା ବ୍ଲକ୍‌ରେ ୧୨, ୭୦୨, ଖପ୍ରାଖୋଲ ବ୍ଲକ୍‌ରେ ୨୪, ୪୮୨, ଲୋଇସିଂହା ବ୍ଲକ୍‌ରେ ୨୨, ୩୯୯, ମୁରିବାହାଲ ବ୍ଲକ୍‌ରେ ୨୮, ୦୬୮, ପାଟଣାଗଡ଼ ବ୍ଲକ୍‌ରେ ୩୦, ୯୨୭, ପୁଇନ୍ତଲା ବ୍ଲକ୍‌ରେ ୨୬, ୯୨୩ , ସଇନ୍ତଲା ବ୍ଲକ୍‌ରେ ୨୪, ୭୩୦, ଟିଟିଲାଗଡ଼ ବ୍ଲକ୍‌ରେ ୨୯, ୨୧୨, ତୁରେକେଲା ବ୍ଲକ୍‌ରେ ୨୨, ୯୧୫ ପାଇଖାନା ନିର୍ମାଣ ହୋଇଛି। ସମୁଦାୟ ୩ ଲକ୍ଷ ୪୩ ହଜାର ୯୮୪ ପାଇଖାନା ନିର୍ମାଣ ହୋଇଛି। ହିତାଧିକାରୀ ଯେଉଁଠି ନିଜେ ତିଆରି କରିଛନ୍ତି ବହୁ ସ୍ଥାନରେ ଟଙ୍କା ପାଇବାରୁ ବଂଚିତ ଅଛନ୍ତି। ଯେଉଁଠି ଠିକାଦାର ନିର୍ମାଣ କରିଛନ୍ତି ସେଠି ଯେଣତେଣ ପ୍ରକାରେ ପାଇଖାନା ନିର୍ମାଣ କରାଯାଇଛି। ବହୁ ସ୍ଥାନରେ ପ୍ରକୃତ ହିତାଧିକାରୀ ବାଦ ପଡ଼ିଛନ୍ତି। ଆବେଦନ କରିଥିଲେ ବି ସେମାନେ ପାଇଖାନାଟିଏ ସରକାରୀ ଯୋଜନାରୁ ପାଇନାହାନ୍ତି। ଯେଉଁମାନେ ଠିକାଦାର, ଯନ୍ତ୍ରୀଙ୍କ କଥାରେ ହଁ ଭରିଛନ୍ତି ପାଇଖାନା ପାଇଛନ୍ତି, କିନ୍ତୁ ତାହା କାମକୁ ନୁହଁ। ଠିକାଦାର ପାଇଖାନା କରିଦେଇ ହାତରେ ବାଲଟି ଧରାଇ ସମସ୍ତଙ୍କୁ ଭୁଆଁ ବୁଲାଇ ଦେଇଥିବା ଅଭିଯୋଗ ଏବେ ବଲାଙ୍ଗୀର ଜିଲ୍ଲାର ଗାଁଗାଁରେ ଉଠିଲାଣି।

ସ୍ୱଚ୍ଛ ଭାରତ ଯୋଜନାର ପ୍ରକୃତ ଚିତ୍ର ଦେଖିବାକୁ ଆମେ ଗ୍ରାଉଣ୍ଡ ଜିରୋରେ ଅନୁସନ୍ଧାନ କରିଥିଲୁ। ଏଥିରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସବୁ ପଦାକୁ ଆସିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଧାମନଡ଼ଙ୍ଗା ପଂଚାୟତର ବହୁ ଗାଁରେ କାଗଜକଲମରେ ପାଇଖାନା ନିର୍ମାଣ ହୋଇଛି। ଧାମନଡଙ୍ଗା ଗାଁକୁ ବାହ୍ୟମଳମୁକ୍ତ ଗାଁ ଘୋଷଣା କରାଯାଇଛି। ହେଲେ ଏବେବି ସେହି ଗାଁର ନେହେରୁ ପଡା ଯେଉଁଠି ୬୦ରୁ ଅଧିକ ଦଳିତ ପରିବାର ରୁହନ୍ତି, ସେମାନଙ୍କ ଘରେ ପାଇଖାନା ନିର୍ମାଣ ହୋଇ ନାହିଁ। ସେମାନଙ୍କ ଅଭିଯୋଗ ହେଲା, ୨୦୧୮-୧୯ ଆର୍ଥିକ ବର୍ଷରେ ସେମାନଙ୍କ ନାଁ ସବୁ ତାଲିକାରେ ଆସିଥିଲା। କିନ୍ତୁ ତାହା ନିର୍ମାଣ ହୋଇ ନଥିଲା। ଏପରିକି ତାଲିକାରେ ଥାଇ ବି ନିର୍ମାଣ କାହିଁକି ହେଉନି ବୋଲି ପଚାରିଲେ କେହିବି ଉତ୍ତର ଦେଉ ନାହାନ୍ତି। ତେବେ ତାଙ୍କ ନାଁରେ ସବୁ ପାଇଖାନା କାଗଜପତ୍ରରେ କରାଯାଇ ଟଙ୍କା ହଡ଼ପ କରାଯାଇଛି ବୋଲି ଗାଁର ରମେଶ ବାଗ, ତୁଲାରାମ ତାଣ୍ଡି, ସର୍ବେଶ୍ୱର ବାଗ, ପୀତାମ୍ବର ବାଗ, ଭକଲା ବାଗ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଗାଁର ବେହେରାପଡ଼‌ାରେ କେତେ ଜଣଙ୍କ ଘରେ ସ୍ୱଚ୍ଛ ଭାରତ ମିସନରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ତାହ ବ୍ୟବହାର ଉପ ଯୋଗୀ ନୁହଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଶୌଚାଳୟର କାନ୍ଥ ତିଆରି, ସିଟ ବସାଇ ଦେଇ ଟଙ୍କା ହଡ଼ପ କରାଯାଇଛି। ପାଣିର ବ୍ୟବସ୍ଥା କରାଯାଇନି।

ଗାଁର ମହିଳା ସରିତା ବେହେରା, ସୁଶିଲା ବେହେରାଙ୍କ କହିବାନୁସାରେ, ଶୌଚାଳୟ କାମ ସରିବା ପରେ ତାଙ୍କୁ ଏକ ବାଲଟି ଧରାଇ ଫଟୋ କରାଯାଇଥିଲା। ହେଲେ ପାଇଖାନା ବ୍ୟବହାରରେ ତାଙ୍କର ଜ୍ଞାନ ନଥିବା ସେମାନେ ଅଭିଯୋଗ କରିଛନ୍ତି। ସବୁଠୁ ଉଦ୍‌ବେଗର ବିଷୟ ଯେ, କେତେ ଜଣ ହିତାଧିକାରୀଙ୍କୁ ନିଜ ଟଙ୍କାରେ ପାଇଖାନା କରିବାକୁ ବ୍ଲକ୍‌ ପକ୍ଷରୁ କୁହାଯାଇଥିଲା। ସେମାନେ ବି ପାଇଖାନା କରିବା ପରେ ତାଙ୍କ ଟଙ୍କା ପାଇ ନାହାନ୍ତି। ସେମାନଙ୍କ ଭିତରୁ ୨ ଜଣ ହେଉଛନ୍ତି କାଦୋ ବାଗ ଓ ମୋତିଲାଲ ବାଗ। ଉଭୟେ ବ୍ଲକ୍‌ ଅଫିସ୍‌କୁ ଯେତେ ଦୌଡିଲେ ମଧ୍ୟ ତାଙ୍କ ଟଙ୍କା ପାଇ ନଥିଲେ। ପରେ ସେମାନଙ୍କ ଟଙ୍କା ଅନ୍ୟମାନେ ହଡ଼ପ କରିଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ କରିବା ପରେ ବି ତାହାର ତଦନ୍ତ ହୋଇନଥିଲା। ସେହିପରି ଧାମନଡଙ୍ଗା-ବଙ୍ଗୋମୁଣ୍ଡା ରାସ୍ତାରେ ଏକ ପାଇଖାନା ନିର୍ମାଣ ହୋଇଛି। ତାହା କାହାର ପାଇଖାନା କାହାକୁ ବି ଜଣା ନାହିଁ। ସେହି ପାଇଖାନାର ହିତାଧିକାରୀ କିଏ କାହାକୁ ଜଣା ନାହିଁ। ସେହିପରି ବେଲପଡ଼ା ବ୍ଲକ୍‌ ଅଂଚଳରେ ପାଇଖାନା ଦୁର୍ନୀତି ଚରମ ସୀମାକୁ ପହଞ୍ଚିଛି। ବେଲପଡା ବ୍ଲକ୍‌ ବାଗଦୋର, ପର୍ଲିମାଲ, ସରମୁହାଣ ଆଦି ପଂଚାୟତରେ ଏକ ଏସ୍‌ଏଚ୍‌ଜି ଗ୍ରୁପ ପାଇଖାନା ସବୁ ନିର୍ମାଣ କରିଥିଲା। ଏଠାରେ ବହୁ ଦାଦନ ଶ୍ରମିକ ଯେଉଁମାନେ ବାହାର ରାଜ୍ୟରେ ଅଛନ୍ତି ସେମାନଙ୍କ ନାଁରେ ପାଇଖାନା ନିର୍ମାଣ ନକରି ମଧ୍ୟ ବିଲ କରାଯାଇ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍‌ରେ ତଥ୍ୟ ପଚାରିଲେ ବି ଅଧିକାରୀମାନେ କାହା କାହା ନାଁରେ ପାଇଖାନା ହୋଇଛି ତାହା ଦେଉ ନାହାନ୍ତି। ଟଙ୍କା ନେଣଦେଣ କାରବାର ବି ବହୁଳ ପରିମାଣରେ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ତୁରେକେଲା ବ୍ଲକ ବେଲପଡ଼ା ପଞ୍ଚାୟତ, ପାଟଣାଗଡ଼ ବ୍ଲକ୍‌ ଅଂଚଳର ପାଇଖାନା ଦୁର୍ନୀତିର ଖୋଲତାଡ଼ରେ ଅନେକ ଦୁର୍ନୀତି ସାମ୍ନାକୁ ଆସିଥିଲା। ଆହୁରି ମଧ୍ୟ ଖପ୍ରାଖୋଲ ବ୍ଲକ ଅଂଚଳରେ ଜଣେ ନେତା ପାଇଖାନା ସବୁ ନିଜ ତତ୍ତ୍ବାବଧାନରେ କରାଇ ବ୍ୟାପକ ଦୁର୍ନୀତି କରିଥିବା ଜଣାଯାଏ। ସଇନ୍ତଲା ବ୍ଲକ୍‌ ଅଂଚଳର ପାଇଖାନା ଟଙ୍କା ହଡ଼ପ ମାମଲାର ତଦନ୍ତ ଭିଜିଲାନ୍ସ ବି ଚଳାଇଛି। ମୋଟାମୋଟି ଜିଲ୍ଲାର ସବୁ ପଞ୍ଚାୟତ ଅଞ୍ଚଳରେ ସ୍ୱଚ୍ଛ ଭାରତ ଯୋଜନାରେ କୋଟିକୋଟି ଟଙ୍କାର ଦୁର୍ନୀତି ଗତ ୫ ବର୍ଷ ଭିତରେ ହୋଇଛି।

ଏ ନେଇ ବେଲପଡା ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ପଚରାଯିବାରୁ ଦୁର୍ନୀତି ଯଦି ହୋଇଛି ତଦନ୍ତ ହେବ। ଏଭଳି କିଛି ଆମ ନଜରକୁ ଆସି ନାହିଁ। ଯଦି ବିଲ କରାଯାଇ ଟଙ୍କା ହଡପ ହୋଇଥିବ ତା ହେଲେ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି। ସେହିପରି ତୁରେକେଲା ବିଡିଓଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଇ ନଥିଲେ। ଏ ନେଇ ଆର୍‌ଡବ୍ଲୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ ସରୋଜ ଶତପଥୀଙ୍କୁ ପଚରାଯିବାରୁ ବ୍ଲକ୍‌ ସ୍ତରରେ କାର୍ଯ୍ୟାଦେଶ ଦିଆଯାଉଛି। ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି। ଯିଏ ନିଜେ ନକରୁଛି ତାର କାମ ଅନ୍ୟ ଠିକାଦାର କରୁଛନ୍ତି। ଯଦି କିଛି ଦୁର୍ନୀତି ହେଉଛି ତାହେଲେ ତାହା ବ୍ଲକ୍‌ସ୍ତରରେ ହିଁ ସବୁ ହେଉଛି ବୋଲି କହିଛନ୍ତି। ସେପଟେ ଦୁର୍ନୀତି କଥା ଜାଣିବା ପରେ ଏବେ ଲୋକେ ବି ତାତିଲେଣି। ପାଇଖାନାସବୁ ପୁନଃନିର୍ମାଣ ନଚେତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ସ୍ଥାନରୁ ଦାବି ଉଠିଲାଣି। ମାତ୍ର ଏଥିଲାଗି ସରକାରୀ ତହବିଲରୁ ନୁହେଁ, ଯେଉଁମାନେ ଟଙ୍କା ଖାଇଛନ୍ତି ସେମା‌ନଙ୍କ ଠାରୁ ହିଁ ଅର୍ଥ ଆଦାୟ କରାଯାଉ ବୋଲି ଦାବି ହେଲାଣି।

ସମ୍ବନ୍ଧିତ ଖବର