ବନ୍ଦ ହେବ ନାହିଁ ଟୋକନ୍ ବ୍ୟବସ୍ଥା; ତ୍ରୁଟି ଥିଲେ ଚାଷୀ ପରାମର୍ଶ ଦିଅନ୍ତୁ : ମନ୍ତ୍ରୀ

ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବାବେଳେ ଏହା କୌଣସିମତେ ପ୍ରତ୍ୟାହାର ହେବନି ବୋଲି ଆଜି ପୁଣି କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଏହି ବ୍ୟବସ୍ଥା ଥିଲା, ଅଛି ଓ ରହିବ। ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବେ ଓ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ । ତେଣୁ ଏହି ନୂଆ ପଦ୍ଧତିକୁ ଆପଣେଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଯଦି ବ୍ୟବସ୍ଥାରେ କୌଣସି ତ୍ରୁଟି ଅଛି ଏହାର ସମାଧାନ ପାଇଁ କେହି ପରାମର୍ଶ ଦେଲେ ତାକୁ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ଭଲ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି |

ଟୋକେନ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ। ସମସ୍ତେ ଉଚିତ ମୂଲ୍ୟ ଓ ଅଧିକାର ପାଇବେ | ଏଠାରେ ସୂଚନା ଥାଉ କି ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା ।

ଆଜି ବରଗଡ ଜିଲ୍ଲାର ଅତାବିରାରେ ବନ୍ଦ୍ ଡାକରା ଦେଇଛନ୍ତି ଚାଷୀ । ସେପଟେ ସମ୍ବଲପୁରରେ ମଧ୍ୟ ତୀବ୍ର ହୋଇଛି ଚାଷୀ ଅସନ୍ତୋଷ । ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବିଧାୟକମାନଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିବା ପରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛନ୍ତି ଚାଷୀ । ସରକାର ଯଦି ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ନକରନ୍ତି, ତେବେ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର