ଦୁଇଦିନ ଭିତରେ ପୁରୀର ସମସ୍ତ ହୋଟେଲ୍‌ ଛାଡ଼ିବେ ପର୍ଯ୍ୟଟକ

ପୁରୀ: ପୁରୀରେ କରୋନା ସତର୍କତା ନେଇ  ମଙ୍ଗଳବାର ହୋଟେଲ୍‌ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କରୋନାଭାଇରସ୍‌ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ପୁରୀରେ ଥିବା ପର୍ଯ୍ୟଟକମାନଙ୍କୁ ଦୁଇଦିନ ସମୟ ଦିଆଯାଇଛି। ଏହି ଦୁଇଦିନ ମଧ୍ୟରେ ପର୍ଯ୍ୟଟକମାନେ ପୁରୀର ସମସ୍ତ ହୋଟେଲ ଛାଡ଼ିବାକୁ କୁହାଯାଇଛି। ଏଥିସହିତ ଯେଉଁମାନେ ପୂର୍ବରୁ ହୋଟେଲ୍‌ ବୁକିଂ କରି ଦେଇଛନ୍ତି ସେମାନଙ୍କ ଟଙ୍କା ଫେରାଇ ଦେବାକୁ ସମସ୍ତ ହୋଟେଲ ପରିଚାଳକଙ୍କୁ କୁହାଯାଇଛି। କେବଳ ଏତିକି ନୁହେଁ, ଏପ୍ରିଲ ୧୫ଯାଏଁ ହୋଟେଲରେ ଆଉ କୌଣସି ବୁକିଂ ନ ରଖିବାକୁ ଆସୋସିଏସନ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

TripAdvisor

ଏପଟେ ପୁରୀ ଜିଲ୍ଲା ପ୍ରଶାସନ ବେଳାଭୂମିରେ ୧୪୪ ଧାରା ଜାରି କରିଛି। ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲିରେ କଟକଣା ଲଗାଯାଇଛି। ପୁରୀ ବେଳାଭୂମି ସଦାସର୍ବଦା ଗହଳଚହଳ ରହୁଥିବାରୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଆଖିରେ ରଖି ଏଠାରେ ୧୪୪ ଜାରି କରାଯାଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ଏହା ସହ ବେଳାଭୂମି କୂଳରେ ଥିବା ଗାନ୍ଧୀ ପାର୍କରେ ବି ୧୪୪ ଧାରା ଜାରି କରାଯିବା ସହ ଏଠାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। କରୋନାଭାଇରସ୍‌ ମୁକାବିଲା ପାଇଁ ପୁରୀର ସବୁ ପ୍ରବେଶ ପଥରେ ସ୍କ୍ରିନିଂର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର