ପଟୁଆରୀ ଦେବଦାସୀଙ୍କ ପରେ ବି ବଞ୍ଚିଛି ପରମ୍ପରା, ଏଥର ବି ପହଣ୍ଡି ବେଳେ ପରିବେଷଣ ହେବ ନୃତ୍ୟ

ପୁରୀ : ଦିନେ ପଟୁଆରୀ ଦେବଦାସୀମାନେ ମହାପ୍ରଭୁଙ୍କ ପଟୁଆରରେ ନୃତ୍ୟ ପରିବେଷଣ କରି ପ୍ରଭୁଙ୍କ ଚିତ୍ତ ବିନୋଦନ କରୁଥିଲେ। ରଥ ସମ୍ମୁଖରେ ପଟୁଆରୀ ଦେବଦାସୀଙ୍କ ନୃତ୍ୟରେ ଲକ୍ଷଲକ୍ଷ ଭକ୍ତ ବିଭୋର ହେଉଥିଲେ। ଅପୂର୍ବ ଭାବ, ଲାଳିତ୍ୟପୂର୍ଣ୍ଣ ନୃତ୍ୟ ନୈବେଦ୍ୟପଟୁଆରୀ ଦେବଦାସୀମାନେ। କାଳକ୍ରମେ ପଟୁଆରୀ ଦେବଦାସୀମାନଙ୍କ ନିଧନ ପରେ ଏଇ ସେବା ବନ୍ଦ ହୋଇଯାଇଥିଲା। ତେବେ ୧୫ ବର୍ଷ ହେଲା, କିଛି ଓଡ଼ିଶୀ ଶିଳ୍ପୀ ଏହି ପରମ୍ପରାକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଚାଲିଛନ୍ତି। ସେମାନେ ସିନା ପଟୁଆରୀ ଦେବଦାସୀ ନୁହଁନ୍ତି, କିନ୍ତୁ ନୃତ୍ୟ ବେଳେ ସେମାନଙ୍କ ପଦଚାଳନା, ଅଣ୍ଟାର କମନୀୟ ଗତି, ଠାଣିରେ ଅପୂର୍ବ ଭାବ ଏବେ ବି ଲକ୍ଷଲକ୍ଷ ଭକ୍ତଙ୍କୁ ଚମତ୍କୃତ କରେ।

ନା‌ରାୟଣ ପାଣ୍ଡେଙ୍କଠାରୁ ନେଇ ଶ୍ରୀନିବାସ ଘଟୁଆରୀ(ମିଲନ), ରୋଜାଲିନ ମହାନ୍ତି ଓ ଆଦିତ୍ୟ ମହାନ୍ତିଙ୍କ ଭଳି ନୃତ୍ୟଶିଳ୍ପୀମାନେ ମହାପ୍ରଭୁଙ୍କୁ ନୃତ୍ୟରେ ପାଛୋଟି ଆଣିବାର ଦୃଶ୍ୟ ଯିଏ ବି ଦେଖିଛି ତଲ୍ଲୀନ ହୋଇଛି। ମିଲନଙ୍କ କହିବା ମୁତାବକ, ପ୍ରତ୍ୟେକ କଳାକାର ଜଣେଜଣେ ଅଭିଶପ୍ତ ଗନ୍ଧର୍ବ। କାଳେ ଦେବ ସଭାରେ କଳା ପରିବେଷଣରେ କିଛି ଉଣା ହେବାରୁ ସେମାନେ ଦଣ୍ଡ ପାଇଁ ମର୍ତ୍ତ୍ୟକୁ ଆସନ୍ତି। କିନ୍ତୁ ଏଇ ମର୍ତ୍ତ୍ୟରେ ବି ଦେବତାଙ୍କ ସମ୍ମୁଖରେ ନୃତ୍ୟ କରିବାର ସୁଯୋଗ ଆମେ ପାଇପାରୁଛୁ। ମଞ୍ଚରେ ନାଚିବାଠାରୁ ମହାପ୍ରଭୁଙ୍କ ସହିତ ବଡ଼ଦାଣ୍ଡରେ ନାଚିବା କୋଟିଗୁଣରେ ଆନନ୍ଦଦାୟକ। ମର୍ତ୍ତ୍ୟରେ ଥାଇ ବି ଯଦି ଦେବ କର୍ମର ଅଂଶୀଦାର ହୋଇପାରୁଛୁ ତାହେଲେ ଏହାଠୁ ପୁଣ୍ୟ ଆଉ କ’ଣ ହୋଇପାରେ। ଚଳିତ ବର୍ଷ କଟକଣା ଯୋଗୁ ଅନ୍ୟମାନେ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇପାରିବେ ନାହିଁ। ତେବେ ମିଲନ ସେବାୟତ ପରିବାରର ସଦସ୍ୟ ଭାବେ ଏହି‌ ସୁଯୋଗ ଲାଭ କରିବେ।

ସଂପ୍ରତି ଅନ୍ୟ ସେବାୟତଙ୍କ ଭଳି ସେ ଗୋଟିଏ ଓଳା ଖାଦ୍ୟ ଗ୍ରହଣ କରୁଥିବା ବେଳେ ଅଭ୍ୟାସ ଜାରି ରଖିଛନ୍ତି। ତାଙ୍କ କହିବା ମୁତାବକ, ମଞ୍ଚରେ ଜଣେ ୧୫ମିନିଟ୍‌ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କ‌ରେ। ତେବେ‌ ରଥଯାତ୍ରାରେ ପହଣ୍ଡି ସମୟରେ ୩ରୁ ସାଢ଼େ ୩ ଘଣ୍ଟା ନୃତ୍ୟ ପରିବେଷଣର ସୁଯୋଗ ଥାଏ। ମଞ୍ଚରେ ସଙ୍ଗୀତ ବାଦ୍ୟ ସହ ନୃତ୍ୟ କରିବା ଭିନ୍ନ କଥା। କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କ ସମ୍ମୁଖରେ ଘଣ୍ଟ ଓ ମର୍ଦଳର ଉନ୍ମାଦନା ମଧ୍ୟରେ ମହାପ୍ରଭୁଙ୍କ ସହ ସମଭାବାପନ୍ନ ହୋଇ ନୃତ୍ୟ କରୁ। କରୋନା ଯୋଗୁ ମୁହଁରେ ମାସ୍କ ଲଗାଇ ନାଚିବାକୁ ପଡ଼ିବ। ଯଦିଓ ଜଣେ ନୃତ୍ୟଶିଳ୍ପୀଟିଏ ନାଚିବା ବେଳେ ତା’ ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ମାର୍ଗଦର୍ଶିକା ମାନି କିଭଳି ନୃତ୍ୟ କରାଯାଇପାରିବ ସେନେଇ ଚେଷ୍ଟା ଚଳାଇଛି। ପଟୁଆରୀ ଦେବଦାସୀମାନେ ମଙ୍ଗଳଗାନ କରି ଯେମିତି ଭାବରେ ତଲ୍ଲୀନ ହୋଇ ନୃତ୍ୟ କରନ୍ତି, ଆମେ ବି ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ବେଳେ ସେଇ ଦେବଦାସୀର ଭାବ ଆପେଆପେ ଉଚ୍ଛୁଳି ଆସେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର