ଜୀବିକା ହରାଉଛନ୍ତି ପାରମ୍ପରିକ ମତ୍ସ୍ୟଜୀବୀ: ଛତିଶଗଡ଼କୁ ବଳିଯାଉଛି ସରକାରୀ ଉଦାସୀନତା

ଝାରସୁଗୁଡ଼ା: ଛତିଶଗଡ଼ ଷଡ଼୍‌ଯନ୍ତ୍ରଠୁ ବଳିଯାଉଛି ଏଠାକାର ସରକାରୀ ଉଦାସୀନତା। ଗୋଟିଏପଟେ ଛତିଶଗଡ଼ ସରକାର ଅଣମୌସୁମୀ ଋତୁରେ ମହାନଦୀର ଜଳପ୍ରବାହକୁ ରୋକି ଦେଉଥିବାରୁ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଛି। କେବଳ ସେତିକି ନୁହେଁ, ଜଳପ୍ରବାହ ବନ୍ଦ ରହିବା ଯୋଗୁ ନଦୀରେ ଭାସି ଆସୁଥିବା ମାଛ, କଙ୍କଡ଼ାଙ୍କ ସଂଖ୍ୟା ବି କମିବାରେ ଲାଗିଲାଣି। ଅନ୍ୟପଟରେ କେଜ୍‌ ଫିସିଂ ଓ ଘେରି ଚାଷକୁ ସରକାରଙ୍କ ପ୍ରୋତ୍ସାହନ ତଥା ଅବୈଧ ଢୁଲୁଙ୍ଗି ଜାଲ ବ୍ୟବହାର ଉପରେ କଟକଣା ରହୁ ନଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀ ଏବେ ଜୀବିକା ହରାଇବାକୁ ବସିଲେଣି। ଶୁଖାସୋଢ଼ାର ଜଣେ ଚାଷୀଙ୍କ କହିବାନୁସାରେ, ଛତିଶଗଡ଼ କଲମା ବ୍ୟାରେଜ୍‌ରେ ପାଣି ଅଟକାଇବା ପୂର୍ବରୁ ଏଠାରେ ପ୍ରାୟ ୩୦ ଫୁଟ୍‌ ଗଭୀର ଜଳସ୍ରୋତ ବର୍ଷତମାମ ରହୁଥିଲା। ମାତ୍ର, ଏବେ ମହାନଦୀର ଜଳପ୍ରବାହ ସମ୍ପୂର୍ଣ୍ଣ ଅଟକି ଯାଇଛି। ଉପରୁ ପାଣି ଆସୁନଥିବା ବେଳେ ହୀରାକୁଦ ବି ଗେଟ୍‌ ବନ୍ଦ ରଖୁଥିବାରୁ ଛତିଶଗଡ଼ ପଟରୁ ଆସୁଥିବା ଅଳ୍ପ ବାଲି ମିଶା ପାଣି ଜମା ହୋଇ ରହୁଛି। ଉକ୍ତ ବାଲି ଓ ପଟୁ ଜମା ହୋଇ ଏବେ ନଦୀର ଗଭୀରତା ୧୫ ଫୁଟ୍‌କୁ ଖସି ଆସିଲାଣି। କେନାଲ୍‌ରେ ପାଣି ଛଡ଼ାଗଲେ ଏହି ପାଣି ବି ଆଉ ଦେଖିବାକୁ ମିଳୁନି। ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ମତ୍ସ୍ୟଜୀବୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି।

ସରକାରୀ ରେକର୍ଡ ଅନୁସାରେ, ଜିଲ୍ଲାରେ ଥିବା ୪୦୦୦ରୁ ୪୫୦୦ ମତ୍ସ୍ୟଜୀବୀ ଗତବର୍ଷ ୧୩,୧୫୭‌ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ କରିଛନ୍ତି। ଏଥିରୁ ଲଖନପୁର ବ୍ଲକରେ ସର୍ବାଧିକ ୫୫୧୧.୪୫ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ରେକର୍ଡ କେବଳ ପଞ୍ଜୀକୃତ ମତ୍ସ୍ୟଜୀବୀ ସୋ‌ସାଇଟିର। ପ୍ରକୃତ ଚିତ୍ର ଏହାଠାରୁ ଭିନ୍ନ। ବନ ବିଭାଗ ଓ ମତ୍ସ୍ୟ ବିଭାଗର ଅବହେଳା କାରଣରୁ ଜଳଭଣ୍ଡାରରେ ବାହାର ବ୍ୟବସାୟୀ ଆସି ବେଧଡ଼କ ଢୁଲୁଙ୍ଗି ଜାଲ ବ୍ୟବହାର କରି ଛୋଟ, ବଡ଼ ସବୁ ମାଛ ପୋଛି ନେଉଛନ୍ତି। ଜଳଭଣ୍ଡାରରେ ଯାହା କିଛି ମାଛ ରହୁଛି ସେଥିରେ ଆସି କେଜ୍‌ ଫିସିଂ ଓ ଘେରି ଚାଷ କରାଯାଉଛି। ଯଦ୍ବାରା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଆଉ କଣ୍ଟିଆ (ଛୋଟ ମାଛ)ଟିଏ ବି ପଡ଼ିବା କଷ୍ଟକର ହୋଇପଡୁଛି। ସରକାରୀ ରେକର୍ଡରେ ଝାରସୁଗୁଡ଼ା ଜିଲ୍ଲାରେ କେଜ୍‌ ଫିସିଂ କରାଯାଉନଥିବା ବେଳେ ଜଳଭଣ୍ଡାରର ବରଙ୍ଗାମାଲ, ବଲଣ୍ଡା ଭଳି ଅଞ୍ଚଳରେ ମାଳ ମାଳ କେଜ୍‌ ଫିସିଂ କରାଯାଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରୁଛନ୍ତି। ଏ ନେଇ ଲଖନପୁର ବ୍ଲକ୍‌ ତେଲେନପାଲି ପଞ୍ଚାୟତ ଛଡ଼ାରମାର କିଛି ମତ୍ସ୍ୟଜୀବୀ ଏକ ଭିଡିଓ କରି ରାଜ୍ୟ ସରକାରଙ୍କୁ ଏହି କେଜ୍‌ ଫିସିଂ ଓ ଘେରି ଚାଷକୁ ଅନୁମତି ନ ଦେବାକୁ ଅନୁରୋଧ କରିଛନ୍ତି। ବିସ୍ଥାପିତ ମତ୍ସ୍ୟଜୀବୀ ସଂଘର ସଭାପତି ଗୋପୀନାଥ ମାଝୀଙ୍କ କହିବାନୁସାରେ, ଜୁନ୍‌ ୧୫ରୁ ଅଗଷ୍ଟ ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ଜଳଭଣ୍ଡାରରେ ମାଛ ମାରିବାକୁ ଅନୁମତି ମିଳୁନି। ବାକି ୧୦ ମାସରୁ ୫ ମାସ ଜଳଭଣ୍ଡାରରେ ପାଣି ମିଳୁନି। ଅନ୍ୟସମୟରେ ଏହି ଢୁଲୁଙ୍ଗି, କେଜ୍‌ ଓ ଘେରି ଚାଷ କରୁଥିବା ବ୍ୟବସାୟୀ ସବୁ ମାଛ ନେଇ ଯାଉଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ କେମିତି ବଞ୍ଚିବେ ବୋଲି କହିଛନ୍ତି। ଏ ସଂପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିବେକ ସୋରେନଙ୍କୁ ପଚାରିବାରେ ସରକାରୀ ଭାବେ କୌଣସି କେଜ୍‌ କି ଘେରି ପାଇଁ ଅନୁମତି ଦିଆଯାଇନାହିଁ। ଯଦି କିଏ ବିନା ଅନୁମତିରେ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର