କେବଳ ସେପ୍ଟେମ୍ବରରେ ୬ କୋଟି ଟଙ୍କାର ଜରିମାନା ଆଦାୟ, ନୂଆ ଆଇନ ଲାଗୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ହିସାବ ଦେଲା ପରିବହନ ବିଭାଗ

୧୨୬ କୋଟି ଟଙ୍କାର ମୋଟର ଯାନ ଟିକସ ସଂଗ୍ରହ
ଆପ ଦ୍ବାରା ଡାଉନଲୋଡ଼ ହୋଇଥିବା ଗାଡ଼ି କାଗଜ ପତ୍ର ଗ୍ରହଣୀୟ ହେବ
ପରିବହନ କମିସନର ଏସପି ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଲେ

ଭୁବନେଶ୍ବର : ନୂଆ ମୋଟର ଯାନ ଆଇନ ରାଜ୍ୟରେ ସେପ୍ଟେମ୍ବର ମାସରୁ ଲାଗୁ ହେଲା। ଆଇନ ଲାଗୁ ହେବା ପରେ ଗତମାସରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ବାବଦରେ ୬ କୋଟି ୬୪ ଲକ୍ଷ ଟଙ୍କା ଆଦାୟ ହୋଇଛି। ସେହିପରି ମୋଟର ଯାନ ଟିକସ ବାବଦରେ ୧୨୬ କୋଟି ଟଙ୍କା ସଂଗ୍ରହ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ହିସାବ ଦେଇଛି ପରିବହନ ବିଭାଗ। କେବଳ ସେତିକି ନୁହେଁ, ଗାଡ଼ି କାଗଜ ପତ୍ର ଯାଞ୍ଚ ପାଇଁ ଏଣିକି ମୋବାଇଲ ଆପ ଦ୍ବାରା ଏମ-ପରିବହନ କିମ୍ବା ଡିଜିଲକର ଦ୍ବାରା ଡାଉନଲୋଡ଼ ହୋଇଥିବା ପ୍ରମାଣ ପତ୍ର ବି ଗ୍ରହଣୀୟ ହେବ। ଏ ନେଇ ଆଜି ପରିବହନ କମିସନର ସବୁ ଜିଲ୍ଲାର ଏସପି ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ପରିବହନ ବିଭାଗ ଦେଇଥିବା ହିସାବ ମୁତାବକ, ସେପ୍ଟେମ୍ବର ମାସରେ ଟ୍ରାଫିକ୍ ଆଇନ ଓ ମୋଟର ଯାନ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୨ ହଜାର ୬୫୩ ଜଣ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଗାଡ଼ି ମାଲିକ ଓ ଚାଳକଙ୍କୁ କାଗଜପତ୍ର ଠିକ୍ କରିବାକୁ ୩ ମାସ ସମୟ କୋହଳ କରାଯାଇଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୁଟିଦିନରେ ସବୁ ଆରଟିଓ ଅଫିସ ଖୋଲାରହିବା ସହ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ଅଧିକ କାଉଣ୍ଟର ମଧ୍ୟ ଖୋଲାଯାଇଛି। ଏଥିପାଇଁ ଭୁବନେଶ୍ବର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କାଉଣ୍ଟର ଉପଲବ୍ଧ କରାଯାଇଛି। ସବୁ ଜିଲ୍ଲାର ବ୍ଲକ ମୁଖ୍ୟାଳୟରେ ମଧ୍ୟ କାଉଣ୍ଟର ଉପଲବ୍ଧ କରାଯାଇଛି। ଏହି କାରଣରୁ ଗତମାସରେ ୧ ଲକ୍ଷ ୩୭ ହଜାର ୭୦୩ଟି ଲର୍ଣ୍ଣିଂ ଲାଇସେନ୍ସ ଓ ୨୯ ହଜାର ୯୫ଟି ନିୟମିତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ପରିବହନ ବିଭାଗ ଜଣାଇଛି। ସେହିପରି ୨୯ ହଜାର ୯୭୮ଟି ଡ୍ରାଇଭିଂ ଲାଇସେନ୍ସର ନବୀନକରଣ କରାଯାଇପାରିଛି।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଗାଡ଼ିଗୁଡ଼ିକର ପ୍ରଦୂଷଣ ଯାଞ୍ଚକୁ କଡ଼ାକଡ଼ି ଲାଗୁ କରାଯାଇଛି। ଗାଡ଼ିଗୁଡ଼ିକର ପ୍ରଦୂଷଣ ପ୍ରମାଣ ପତ୍ର ପ୍ରଦାନ ପାଇଁ ପଞ୍ଜୀକୃତ ହୋଇଥିବା ୧୯୫ଟି ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରୁ ୧୪୬ଟିକୁ ଅନଲାଇନ ଯୋଗେ ସଂଯୋଗ କରାଯାଇଛି। ଏହିସମୟ ଭିତରେ ୨ ଲକ୍ଷ ୨୩ ହଜାର ୬୪୭ଟି ପ୍ରଦୂଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଇ-ଚାଲାଣରେ ସ୍ବଚ୍ଛତା ପାଇଁ ଯାଞ୍ଚ ଅଧିକାରୀ ଓ ପୁଲିସକୁ ପରିବହନ ବିଭାଗ ପକ୍ଷରୁ ୫୦୦ ଇ-ଚାଲାଣ ମେସିନ ଯୋଗାଇ ଦିଆଯାଇଛି। ଏଥିପାଇଁ ୮ଟି ପୁଲିସ ରେଞ୍ଜ ମୁଖ୍ୟାଳୟର ପୁଲିସ ଅଧିକାରୀ, ଆଞ୍ଚିଳିକ ପରିବହନ ଅଧିକାରୀଙ୍କୁ ଇ-ଚାଲାଣ ମେସିନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି ପରିବହନ ବିଭାଗ ଜଣାଇଛି। ଏହାସହିତ ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ଚାଳନା ପାଇଁ ସ୍ବତନ୍ତ୍ର ଭାବେ ଇ-ଗାଡ଼ି ନୀତି ବିକାଶ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି।

ମୋଟର ଯାନ ଆଇନ ଲାଗୁ ହେବା ପରଠୁ ପ୍ରତ୍ୟେକ ଗାଡ଼ି ମାଲିକ ଓ ଡ୍ରାଇଭର ଗାଡ଼ିର ପଞ୍ଜୀକରଣ ପ୍ରମାଣ ପତ୍ର, ବୀମା, ଡ୍ରାଇଭିଂ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହି ପ୍ରମାଣ ପତ୍ର ବଦଳରେ ଏଣିକି ସୁବିଧାରେ ମୋବାଇଲ ଦ୍ବାରା ଡାଉନଲୋ଼ଡ ହୋଇଥିବା ଡିଜିଟାଲ ପ୍ରମାଣ ପତ୍ର ଗ୍ରହଣୀୟ ହେବ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗତବର୍ଷ ଡିସେମ୍ବର ମାସରେ ଏକ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସେଜିଅର ଜାରି କରିଥିଲା। ଗୁରୁବାର ପରିବହନ କମିସନର ଏ ନେଇ ସବୁ ଜିଲ୍ଲାର ପୁଲିସ ଏସପି ଓ ଆରଟିଓଙ୍କୁ ଚିଠି ଲେଖିଛନ୍ତି। କୌଣସି ଗାଡ଼ି ଚାଳକ କିମ୍ବା ଗାଡ଼ି ମାଲିକ ସେମାନଙ୍କର ଗାଡ଼ିର କାଗଜ ପ୍ରମାଣ ପତ୍ର ସାଙ୍ଗରେ ନ ନେଇ ପାରିଲେ ମୋବାଇଲ ଆପ୍ ଦ୍ବାରା ଏମ-ପରିବହନ କିମ୍ବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ପ୍ରମାଣିତ ଡିଜିଲକର ଆପରୁ ଡାଉନଲୋଡ଼ କରି ଗାଡ଼ିର ପଞ୍ଜୀକରଣ ପ୍ରମାଣ ପତ୍ର, ଡ୍ରାଇଭିଂ ଲାଇସନ୍ସ, ବୀମା ପ୍ରମାଣ ପତ୍ର, ପ୍ରଦୂଷଣ ପ୍ରମାଣ ପତ୍ର ଓ ଫିଟନେସ୍ ପ୍ରମାଣ ପତ୍ର ଯାଞ୍ଚ ଅଧିକାରୀଙ୍କୁ ଦେଖାଇଲେ ଗ୍ରହଣୀୟ ହେବ। ଏଥିପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର