ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର : ୧୫ ଦିନ ଭିତରେ ଚାଲିବ ପାସେଞ୍ଜର ଟ୍ରେନ୍!
ଟାଉନ ଷ୍ଟେସନରୁ ମହୀପୁର ଯାଏ ହେଲା ସ୍ପିଡ୍ ଟ୍ରାଏଲ ରନ୍, ରେଳ ସୁରକ୍ଷା ଆୟୁକ୍ତ କଲେ ରେଳ ଲାଇନର ନିରୀକ୍ଷଣ
ନୟାଗଡ଼/ନୂଆଗାଁ : ନୟାଗଡ଼ବାସୀଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ଏଥିପାଇଁ ଆଶାର ସଞ୍ଚାର ହୋଇଛି। ଆଜି ନୟାଗଡ଼ ଟାଉନ ଷ୍ଟେସନଠାରୁ ମହୀପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିମି ବ୍ୟାପ ସ୍ପିଡ୍ ଟ୍ରାଏଲ୍ ରନ୍ ସଫଳ ହୋଇଛି। କେବଳ ସେତିକି ନୁହେଁ, ୧୫ ଦିନ ଭିତରେ ଏହି ଦୁଇ ଷ୍ଟେସନ ମଧ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟ୍ରାକ୍ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ କି ନୁହେଁ, ତା’ର ପରୀକ୍ଷା ସ୍ବରୂପ ଆଜି ଏକ ଟ୍ରେନ୍ ସ୍ପିଡ୍ ଟ୍ରାଏଲ୍ ଚଳାଚଳ କରିଥିଲା। ନୟାଗଡ଼ ଟାଉନ ଷ୍ଟେସନରୁ ଏହି ଟ୍ରେନ୍ଟି ୧୧ଟା ୫ ମିନିଟ୍ରେ ବାହାରି ନବନିର୍ମିତ ମହୀପୁର ଷ୍ଟେସନରେ ୧୧ଟା ୨୦ ମିନିଟରେ ପହଞ୍ଚିଥିଲା। ବିପୁଳ ଉତ୍ସାହ ଉଦ୍ଦୀପନାର ସହିତ ଏହି ସ୍ପିଡ୍ ଟ୍ରାଏଲ୍ ଟ୍ରେନ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ ସୁରକ୍ଷା ଆୟୁକ୍ତ ଏକେ ରାୟ ଓ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ନରୋତ୍ତମ ସିଂହ ରେଳ ଧାରଣା ନିରୀକ୍ଷଣ କରିଥିଲେ। ରେଳ ଚଳାଚଳ କ୍ଷେତ୍ରରେ ସୁରକ୍ଷା ଦୃଷ୍ଟିରୁ ରେଳ ଧାରଣା ସହିତ ସୁରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ରେଳ ସୁରକ୍ଷା ଆୟୁକ୍ତଙ୍କ ଯାଞ୍ଚ ପରେ ମହିପୁର ଷ୍ଟେସନ୍ରୁ ଉକ୍ତ ପରୀକ୍ଷାମୂଳକ ସ୍ପିଡ୍ ଟ୍ରାଏଲ ଟ୍ରେନ୍ଟି ୩ଟା ୪୫ରେ ଛାଡ଼ି ନୟାଗଡ଼ ଟାଉନ ଷ୍ଟେସନ୍ରେ ୪ଟା ୧୫ରେ ପହଞ୍ଚିଥିଲା।
ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରେଳ ସୁରକ୍ଷା ଆୟୁକ୍ତ, ଆଜିର ଏହି ସ୍ପିଡ୍ ଟ୍ରାଏଲ୍ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ବୋର୍ଡକୁ ରେଳ ଚଳାଚଳ ପ୍ରମାଣପତ୍ର ପ୍ରଦାନ କରିବା ପରେ ୧୫ ଦିନ ମଧ୍ୟରେ ନୟାଗଡ଼ ଟାଉନ ଷ୍ଟେସନ୍ରୁ ମହୀପୁର ମଧ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଏ ପର୍ଯ୍ୟନ୍ତ ୮୦ କିମି ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଖୋର୍ଦ୍ଧାଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କିମି ଓ ବଲାଙ୍ଗୀରରୁ ବିଛୁପଲ୍ଲୀ ପର୍ଯ୍ୟନ୍ତ ୧୫ କିମି ରେଳ ଲାଇନ କାର୍ଯ୍ୟ ସରିଛି।