ଏସ୍‌ଓଜି ପକ୍ଷରୁ କେରଳର ୩୩ କମାଣ୍ଡୋଙ୍କୁ ତାଲିମ

କଟକ : ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ (ଏସ୍‌ଓଜି) ପକ୍ଷରୁ ଓଡ଼ିଶା ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ରାଜ୍ୟର ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଏବେ କେରଳର ୩୩ ଜଣ କମାଣ୍ଡୋ (ଥଣ୍ଡରବୋଲ୍ଟ)ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କେରଳରେ ଉଗ୍ରବାଦ ବିରୋଧରେ ମୁକାବିଲା ପାଇଁ ଏହି ସ୍ବତନ୍ତ୍ର ଫୋର୍ସକୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ବ୍ୟାଚ ୮ ସପ୍ତାହ ଧରି ପ୍ରଶିକ୍ଷଣ ନେବେ। ପ୍ରତିକୂଳ ପରିସ୍ଥିତି, ଘଞ୍ଚ ଜଂଗଲ ମଧ୍ୟରେ ଶତ୍ରୁର ସଫଳ ମୁକାବିଲା ଏବଂ ଶାରୀରିକ ସୁସ୍ଥତା ବଜ‌ାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର‌ ପ୍ରଶିକ୍ଷଣ ଦିଆଯିବ।

ମ୍ୟାପ ରିଡିଂ, ଅସ୍ତ୍ରଶସ୍ତ୍ର ପରିଚାଳନା, ଫାୟାରିଂ ଓ ଫିଲଡ କ୍ରାଫ୍ଟ ଟ୍ରେନିଂ ଦିଆଯାଉଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ପାଇଁ ବିଭିନ୍ନ ରଣକୌଶଳ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଉଛି। ପ୍ରଶିକ୍ଷଣ ସମାପ୍ତ ହେବା ପରେ କମାଣ୍ଡୋମାନେ ଅନ୍ଧାର ରାତିରେ ଏକ ଅଜ୍ଞାତ ସ୍ଥାନରୁ ଅନ୍ୟ ଅଜ୍ଞାତ ସ୍ଥାନକୁ ଯାଇପାରିବେ। ‌ପ୍ରଶିକ୍ଷିତ ଯବାନ ଗୁଳିଚାଳନା, ବି‌ସ୍ଫୋରକ ସାମଗ୍ରୀ ପରିଚାଳନା, ଘଞ୍ଚ ଜଂଗଲରେ ବିନା କାହା ସହଯୋଗରେ ୫ ଦିନ ପର୍ଯ୍ୟନ୍ତ ରହିପାରିବେ। ଏହା ସହିତ ନିଜର ଶକ୍ତି ଓ ସାମର୍ଥ୍ୟ ସହାୟତାରେ ନିଜସ୍ବ ଜିନିଷପତ୍ର ସହ ୧୦୦ କିମି ପର୍ଯ୍ୟନ୍ତ କଷ୍ଟଦାୟକ ଯାତ୍ରା କରିପାରିବେ। ମାଓବାଦୀଙ୍କୁ ଗରିଲା ଯୁଦ୍ଧରେ ପରାସ୍ତ କରିବା ପାଇଁ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗର ୨୦୨, ଝାଡ଼ଖଣ୍ଡର (ୟୁବିଜିଏଲ)ର ୪୦ ଜଣ, କେରଳର ୫୦ ଜଣ ( ପ୍ରଥମ ବ୍ୟାଚ), ମହାରାଷ୍ଟ୍ରର ୩୨ ଜଣ ଓ ସିଆର୍‌ପିଏଫ୍‌ର ୬ ଶହ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର