୧୨ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର: କୋଲକାତା ସହ ୯ ଜଣଙ୍କ ଲିଙ୍କ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୧୨ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ଏମାନେ ହେଲେ ୯୧ରୁ ୧୦୨ ନମ୍ବର କରୋନା ଆକ୍ରାନ୍ତ । ଗତକାଲି ୬ ଜଣ ଯାଜପୁର ଓ ଆଜି ସକାଳୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୮ ଜଣ କରୋନା ଆକ୍ରାନ୍ତ ଏହି ତାଲିକାରେ ଅଛନ୍ତି । ଏହି ୧୨ ଜଣଙ୍କ ମଧ୍ୟରୁ ୯ ଜଣ କୋଲକାତାରୁ ଫେରିଥିଲେ ବୋଲି ଜଣାପଡ଼ିଛି । ରାଜ୍ୟର ୯୧ତମ କରୋନା ଆକ୍ରାନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମଠସାହିର ୪୦ ବର୍ଷିଅ ଯୁବକ । ସେ ଚଳିତ ମାସ ୧୮ ତାରିଖରେ କୋଲକାତାର ବେଲଗଛିରୁ ବାଇକରେ ଜଣେ ସାଙ୍ଗଙ୍କ ସହିତ ଭଦ୍ରକ ଆସିଥିଲେ । ସାଙ୍ଗଙ୍କ ଘରେ ସେଦିନ ଓ ପରଦିନ ରହିଥିଲେ । ଏପ୍ରିଲ ୨୦ରେ ସାଇକେଲରେ ଘରକୁ ଯାଇଥିଲେ । ଏପ୍ରିଲ ୨୦ରେ ତିହିଡିସ୍ଥିତ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ସେ ଏପ୍ରିଲ ୨୪ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ସେଦିନ କଟକସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

 

ତିହିଡି ବ୍ଲକ ଅନ୍ତର୍ଗତ କାନପୁର ନିକଟ ପୀରହାଟ ଗାଁର ୪୧ ବର୍ଷିଅ ଯୁବକ ହେଉଛନ୍ତି ରାଜ୍ୟର ୯୨ ନମ୍ବର କରୋନା ଆକ୍ରାନ୍ତ । ସେ ଯାଜପୁର ଜିଲ୍ଲାର କୁଆଖିଆ ଅଂଚଳରେ ଏକ ଇଟାଭାଟିରେ କାମ କରୁଥିଲେ । ଏପ୍ରିଲ୍‌ ୧୨ରେ ସେ ୧୦ ଜଣ ସହଯାତ୍ରୀଙ୍କ ସହ ଏକ ଅଟୋରେ ଯାଜପୁର ଟାଉନକୁ ଯାଇଥିଲେ । ଏହା ପରେ ଚାଲି ଚାଲି ଘରକୁ ଯାଇଥିଲେ । ଏପ୍ରିଲ ୧୩ରୁ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କୋଲକାତା ଫେରନ୍ତା ୨୯ ବର୍ଷିଅ ଯୁବକ ହେଉଛନ୍ତି ରାଜ୍ୟର ୯୩ ନମ୍ବର କରୋନା ଆକ୍ରାନ୍ତ । ସେ ଭଦ୍ରକ ଜିଲ୍ଲାର ଧାମନଗର ଅଂଚଳର ଏବଂ ମାର୍ଚ୍ଚ ୨୭ରେ ଘରକୁ ଫେରିଥିଲେ । କୋଲକାତାରୁ ଏକ ଭଡା ଗାଡ଼ିରେ ବାପା ଓ ୬ ଜଣ ସାଙ୍ଗଙ୍କ ସହ ଆସିଥିଲେ । ମାର୍ଚ୍ଚ ୨୮ରେ ପିତାଙ୍କ ସହ ବାଇକରେ ଘରକୁ ଆସିଥିଲେ । ସେ ଏପ୍ରିଲ ୨୪ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଧାମନଗର କଲ୍ୟାଣୀ ଅଂଚଳର ୨୪ ବର୍ଷିଅ ଯୁବକ କୋଲକାତାରୁ ଫେରିଥିଲେ । ରାଜ୍ୟର ୯୪ ନମ୍ବର କରୋନା ଆକ୍ରାନ୍ତ ଏପ୍ରିଲ ୧୬ରୁ ବାହାରି ଏପ୍ରିଲ ୨୦ରେ ଘରକୁ ପହଞ୍ଚିଥିଲେ । ସେ ଏପ୍ରିଲ ୨୧ରେ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ରାଜ୍ୟର ୯୫ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ କୋଲକତାରୁ ଫେରିଥିଲେ । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ଗାଁର ୨୩ ବର୍ଷିଅ ଯୁବକ ମାର୍ଚ୍ଚ ୨୯ରେ ଘରକୁ ପହଞ୍ଚିଥିଲେ । ସେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୨ ଯାଏ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କୁ ପୁଣି ଏପ୍ରିଲ ୧୩ରୁ ୨୫ ଯାଏ ଘରେ ରଖାଯାଇଥିଲା । ଏପ୍ରିଲ ୨୩ ରେ ପଜିଟିଭ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାର କଳିଙ୍ଗନଗରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ରାଜ୍ୟର ୯୬,୯୭, ୯୮ ଓ ୯୯ ନମ୍ବର କରୋନା ଆକ୍ରାନ୍ତ କୋଲକାତାର ବଡବଜାରରୁ ଫେରିଥିଲେ । ଦଶରଥପୁର ବ୍ଲକର କଟିକଟା ଅଞ୍ଚଳର ୫୭, ୪୯, ୫୨ ଓ ମହାନ୍ତିପାଟଣାର ୫୯ ବର୍ଷିଅ ପୁରୁଷ ଏକ ବୋଲେରୋ ଗାଡ଼ି ଭଡା କରି ଆସିଥିଲେ । ସାଥୀରେ ଆହୁରି ୩ ଜଣ ଲୋକ ଥିଲେ । ଏମାନେ ସମସ୍ତେ ମାର୍ଚ୍ଚ ୨୯ରେ ନିଜ ଘରକୁ ପହଞ୍ଚିଥିଲେ । ମାର୍ଚ୍ଚ ୩୦ରୁ ଏପ୍ରିଲ ୧୨ ଯାଏ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୩ରୁ ୨୫ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୫ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ରାଜ୍ୟର ୧୦୦ତମ କରୋନା ଆକ୍ରାନ୍ତ ମଧ୍ୟ କୋଲକାତାରୁ ଫେରିଥିଲେ । ଦଶରଥପୁର ବ୍ଲକ ଅନ୍ତର୍ଗତ ବିରଜାପୁର ଗାଁର ୫୦ ବର୍ଷିଅ ପୁରୁଷ ବଡ଼ବଜାରରେ କାମ କରୁଥିଲେ । ସେ ଏକ ଟ୍ରକରେ ୨୦ ଜଣ ସହଯାତ୍ରୀଙ୍କ ସହ ମାର୍ଚ୍ଚ ୨୯ରେ ଘରକୁ ଫେରିଥିଲେ । ଯାଜପୁର ଜିଲ୍ଲାରେ ନିଜର ନାମ ପଂଜୀକରଣ କରିଥିଲେ । ଏହା ପରେ ଏପ୍ରିଲ ୧୧ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ଘରେ ଥିବା ସମୟରେ ଏପ୍ରିଲ ୧୧ରୁ ଏପ୍ରିଲ ୨୫ ମଧ୍ୟରେ ସାଙ୍ଗମାନଙ୍କୁ ଭେଟିଥିଲେ । ଏପ୍ରିଲ ୨୫ରେ ପଜିଟିଭ ଚିହ୍ନଟ ହେବା ପରେ କଳିଙ୍ଗନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।

 

ସେହିପିର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରୁ ଚିହ୍ନଟ ହୋଇଥିବା ୫୭ ବର୍ଷୀୟ ମହିଳା (୧୦୧ତମ କରୋନା ଆକ୍ରାନ୍ତ) ରାଜ୍ୟର ୬୯ ନମ୍ବର ସଂସ୍ପର୍ଶରେ ଆସିଥିଲେ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୪ ଯାଏଁ ଘରେ ଥିଲେ । କିନ୍ତୁ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଚିହ୍ନଟ ହେବା ପରେ ତାଙ୍କୁ ଏପ୍ରିଲ ୨୫ରେ ରାଉରକେଲାସ୍ଥିତ ହାଇଟେକ କୋଭିଡ ହସ୍ପିଟାଲକୁ ପଠାଯାଇଛି । ରାଜ୍ୟର ୧୦୨ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୨୩ ବର୍ଷିଅ ଯୁବକ । ବିଶ୍ରା ଅନ୍ତର୍ଗତ ଗୁଡଗୁଣ୍ଡିଯୋରର ବ୍ୟକ୍ତି ୬୯ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମଧ୍ୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏ ସେ ଘରେ ଥିଲେ । ଏପ୍ରିଲ ୨୫ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁୁ ହାଇଟେକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର