ଭିମ୍‌ସାରରେ ପୁଣି ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼ ମାରିଲେ ମୃତକଙ୍କ ମାଆ

ଥାନାରେ ମାମଲା, ଆଇସିୟୁରେ ଝିଅର ଶବ ଅଟକ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୃତକଙ୍କ ମା’ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହେବା ପରେ ପୁଲିସ୍‌ ଆସି ମହିଳାଙ୍କୁ ଥାନାକୁ ନେଇ ଯାଇଥିଲା। ମହିଳାଙ୍କୁ ଗିରଫ ନକରିବା ଯାଏଁ ଶବ ଛଡ଼ାଯିବନି ବୋଲି ଡାକ୍ତରମାନେ ଜିଦ୍‌ ଧରି ବସିବା ପରେ ଆଇସିୟୁ ଭିତରେ ମୃତ ନାବାଳିକାଙ୍କ ଝିଅ ୧୨ ଘଣ୍ଟା ଧରି ବନ୍ଧା ପଡ଼ିଥିଲା। ସନ୍ଧ୍ୟା ୬ଟାରେ ଉଭୟ ପକ୍ଷରୁ ଥାନାରେ ମାମଲା ଆପୋଷ ସମାଧାନ ହେବା ପରେ ମୃତ ନାବାଳିକାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ମୃତକଙ୍କ ପରିବାର ପକ୍ଷରୁ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଦିଆଯାଇଥିବା ଅଭିଯୋଗକୁ ଗ୍ରହଣ କରାଯାଇନଥିବା କୁହାଯାଇଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରାର ଫରିନ୍‌ ଖାତୁନ୍‌(୧୫) ରୁମାଟିକ୍‌ ହୃଦରୋଗରେ ଆକ୍ରନ୍ତ ହୋଇ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ରାଉରକେଲାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୨୯ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୋମବାର ରାତିରେ ହଠାତ୍‌ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକଙ୍କୁ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା। ମଙ୍ଗଳବାର ଭୋର ୫ଟାରେ ଫରିନ୍‌ଙ୍କ ମା’ ପରବିନ୍‌ ଖାତୁନ୍‌ ଯାଇ ତାଙ୍କ ଝିଅକୁ ଦେଖିବାକୁ ଅନୁମତି ମାଗିବାରୁ ଝିଅ କଥା କିଛି କହିହେବନି ବୋଲି ଡାକ୍ତର କହିଥିଲେ। ମାତ୍ର ପରବିନ୍‌ଙ୍କୁ ତାଙ୍କ ଝିଅ ପାଖକୁ ଛଡ଼ା ଯାଇନଥିଲା। ଏହି ସମୟରେ ଫରିନ୍‌ଙ୍କ ହୃଦ୍‌ ସ୍ପନ୍ଦନ ବନ୍ଦ ହୋଇଯାଇଥିବାରୁ ଡାକ୍ତରମାନେ କିଛି ଇଞ୍ଜେକ୍ସନ ଦେବା ସହ ଛାତିକୁ ପମ୍ପିଂ କରୁଥିବାର ଦେଖିବାକୁ ପାଇଥିଲା।

ଏହାର କିଛି ସମୟ ପରେ ଡାକ୍ତର ଆସି ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଯାଇଥିବା କହିଥିଲେ। ଝିଅର ମୃତ୍ୟୁ ଖବର ପାଇ ପରବିନ୍‌ ମାନସିକ ଭାରସାମ୍ୟ ହରାଇ ଚିକିତ୍ସା ଅବହେଳାରୁ ହିଁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା କହିବା ସହ ଏଥିପାଇଁ କାର୍ଯ୍ୟରତ ଡାକ୍ତରଙ୍କୁ ଦାୟୀ କରିଥିଲେ। ଉତ୍ତ୍ୟକ୍ତ ଅବସ୍ଥାରେ ପରବିନ୍‌ କାର୍ଯ୍ୟରତ ଆନାସ୍ଥେସିଆ ଡାକ୍ତର କେ.ପାତ୍ରଙ୍କୁ ଠେଲାପେଲା କରିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ। ଏହି ଘଟଣା ପରେ ଡାକ୍ତରମାନେ ରାଗି ଯାଇ ଝିଅର ଶବ ପ୍ରଦାନ କରାଯିବ ନାହିଁ ବୋଲି ଅଡ଼ି ବସିବା ସହ ଏସମ୍ପର୍କରେ ବୁର୍ଲା ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର