ଚେତୁନି ବନ ବିଭାଗ, ଗଛ ଲଗାଇବାରେ ନିୟୋଜିତ ‌ହେଉଛନ୍ତି ହାତୀ ସ୍କ୍ବାଡ୍‌

କେନ୍ଦୁଝର : ହାତୀ ଜଗିବାକୁ ନିୟୋଜିତ ହାତୀ ସ୍କ୍ବାଡ୍‌ କର୍ମଚାରୀ କିନ୍ତୁ ଗଛ ଲଗାଇବା କାମରେ ବ୍ୟସ୍ତ। ଯଦିଓ କେନ୍ଦୁଝର ରେଞ୍ଜର ବାଉରିପଦାରେ ଗଛ ଲଗାଇବା ଦୃଶ୍ୟ ଏହାର ଏକ ଉଦାହରଣ, ମାତ୍ର କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଏଭଳି ନିୟମିତ ଭାବେ ଚାଲିଛି। ଯଦି ହାତୀ ସ୍କ୍ବାଡ୍‌ କର୍ମଚାରୀ ଗଛ ଲଗାଇବା କାମରେ ନିୟୋଜିତ ହେବେ ହାତୀ ସୁରକ୍ଷା କିଭଳି ‌ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦୁଝର ବନଖଣ୍ଡରେ ଅଛି ୭ଟି ରେଞ୍ଜ୍‌। କେନ୍ଦୁଝର ସଦର, ଘଟଗାଁ, ତେଲକୋଇ, ପାଟଣା, ବିଜେପି, ଚମ୍ପୁଆ ଓ ବଡ଼ବିଲ ରେଞ୍ଜ। ପ୍ରତ୍ୟେକ ରେଞ୍ଜରେ ରହିଛି ଗୋଟିଏ ଲେଖାଏ ହାତୀ ସ୍କ୍ବାଡ୍‌ ଟିମ୍‌। ପ୍ରତି ଟିମ୍‌ରେ ୨୦ ଜଣଲେଖାଏଁ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରେ ରାଜ୍ୟ ଯୋଜାନରେ ୧୦ ଜଣ ଓ କାମ୍ପା ଯୋଜନାରେ ୧୦ଜଣ ଅନ୍ତର୍ଭୁକ୍ତ। ଜଣେ ରହିଛନ୍ତି ଏଲିଫ୍ୟାଣ୍ଟ ଟ୍ରାକର (ହାତୀଙ୍କ ଗତିବିଧି ନିରୀକ୍ଷଣକାରୀ)। ହାତୀଙ୍କ ଗତିବିଧି ଜାଣିବା ପାଇଁ ରହିଛି ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ। ଏହି କକ୍ଷରେ ୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଏସବୁ ସତ୍ତ୍ବେ କେନ୍ଦୁଝର ବନଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି।

ସବୁଠୁ ବଡ଼ କଥା ହେଉଛି, ବାରମ୍ବାର ହାତୀ ମୃତ୍ୟୁ ଘଟୁଥିଲେ ହେଁ ହାତୀଙ୍କ ଗତିବିଧି ଜଗିବା ଓ ସୁରକ୍ଷା ଦିଗରେ କାମ କରିବାକୁ ନିୟୋଜିତ ସ୍କ୍ବାଡ୍‌ ବନ ବିଭାଗର ଗଛ ଲଗାଇବା କାମରେ ଲାଗିଛି। କିଛିଦିନ ତଳେ ସଦର ରେଞ୍ଜ ଅନ୍ତର୍ଗତ ବାଉରିପଦାଠାରୁ ଷେଣ୍ଢକାପ୍‌ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ ନିର୍ମିତ ତିନି କିଲୋମିଟର ରାସ୍ତା କଡ଼େକଡ଼େ ବନୀକରଣ (ଆଭେନ୍ୟୁ ପ୍ଲାଣ୍ଟେସନ) କାର୍ଯ୍ୟ ଚାଲିଥିଲା। ଏଥିରେ ସ୍କ୍ବାଡ୍‌ର କର୍ମଚାରୀ ଗଛ ଲଗାଇବା, ବାଡ଼ ‌ବୁଜିବା ଆଦି କାମ କରୁଥିବା ଦେଖିବାକୁ ମିଳିଥିଲା। ଯଦି ସ୍କ୍ବାଡ୍‌ ଗଛ ଲଗାଇବେ ତେବେ ହାତୀ ସୁରକ୍ଷା କାମ କରିବ କିଏ ବୋଲି ପରିବେଶବିତ୍‌ ପ୍ରଶ୍ନ କରିଛନ୍ତି।

ଏ ସଂପର୍କରେ ଆମେ ସଦର ରେଞ୍ଜର ଅରବିନ୍ଦ ନାୟକଙ୍କୁ ପଚାରିଥିଲୁ। ସେ କହିଥିଲେ, ହାତୀ ସ୍କ୍ବାଡ୍‌ ବନୀକରଣ କାର୍ଯ୍ୟରେ ନିୟୋଜିତ ହେବା କଥା ନୁହେଁ। ବାଉରିପଦାରେ ବନୀକରଣ କାର୍ଯ୍ୟରେ ସେମାନେ କିଭଳି ଲାଗିଲେ ତାହା ଜାଣି ନ ଥିବା କହିଥିଲେ।

ସମ୍ବନ୍ଧିତ ଖବର