ହାଇକୋର୍ଟଙ୍କ ଚର୍ଚ୍ଚିତ ରାୟ : ଅଭିଯୁକ୍ତ ଲଗାଇବ ଶହେ ଚାରା

କଟକ : ଜାମିନ ମିଳିବ କିନ୍ତୁ ଜାମିନ ମିଳିବା ପରେ ଅଭିଯୁକ୍ତ ଶହେଟି ଚାରାରୋପଣ କରିବ। ଘରେ ପଶି ଆକ୍ରମଣ, ଅସଦାଚରଣ ଓ ଲୁଟ୍ ଭଳି ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ଏକ ଚର୍ଚ୍ଚିତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହିତ ଜାମିନ ପାଇବା ପରେ ଗାଁରେ ଶହେଟି ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ ପାଇବାର ତିନି ମାସ ଭିତରେ ଅଭିଯୁକ୍ତ ନିଜ ଗାଁରେ ଏହି ଶହେଟି ବୃକ୍ଷରୋପଣ କରିବ। ଏ ସଂପର୍କିତ ତଥ୍ୟ ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବ। ତଦନ୍ତକାରୀ ଅଧିକାରୀ ଏ ସଂପର୍କିତ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂକ୍ରାନ୍ତରେ ନିମ୍ନ ଅଦାଲତ (ଟ୍ରାଏଲ କୋର୍ଟ)ଙ୍କୁ ଅବଗତ କରିବେ। ବୌଦ୍ଧ ଏସଡିଜେଏମ୍ ଅଦାଲତ ଅନ୍ୟ ଆବଶ୍ୟକ ସର୍ତ୍ତ ରଖି ଅଭିଯୁକ୍ତକୁ ଜାମିନରେ ଛାଡିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଶୁଭ୍ରାଂଶୁ ପ୍ରଧାନ ଓରଫ୍ ଷଣ୍ଢେର ଜାମିନ ଆବେଦନ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀ ଏପରି ଏକ ଚର୍ଚ୍ଚିତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ବୌଦ୍ଧ ଥାନା ଅନ୍ତର୍ଗତ ମଧୁପୁରର ଅକ୍ଷୟ କୁମାର ଗାଇଗୌରିଆ ଅଭିଯୋଗ କରିଥିଲେ ଯେ ୨୦୨୦, ଜାନୁଆରି ୩୧ ରାତିରେ ଶୁଭ୍ରାଂଶୁ ସହିତ ଚାରି ଜଣ ଲୋକ ତାଙ୍କ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଶ୍ରୀ ଗାଇଗୌରିଆଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ, ଆକ୍ରମଣ କରିଥିଲେ। ତାଙ୍କ ଝିଅକୁ ଅସଦାଚରଣ କରିଥିଲେ। ପତ୍ନୀଙ୍କର ଏକ ସୁନା ଚେନ୍ ନେଇ ଯାଇଥିଲେ। ତାଙ୍କ ସାନଭାଇ ଓ ପୁତୁରା ପହଞ୍ଚିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇଥିଲେ। ପୂର୍ବରୁ ତାଙ୍କ ଝିଅ ସହିତ ବାଉଁଶୁଣି ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ଶୁଭ୍ରାଂଶୁର ବିବାହ ପ୍ରସ୍ତାବ ପଡିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ସେମାନେ ଗ୍ରହଣ ନ କରିବାରୁ ଶୁଭ୍ରାଂଶୁ ବାରମ୍ବାର ଧମକ ଦେଇ ଆସୁଥିଲେ ବୋଲି ପୁଲିସ ନିକଟରେ ଶ୍ରୀ ଗାଇଗୌରିଆ ଅଭିଯୋଗ କରିଥିଲେ। ଏପରି ଅଭିଯୋଗକୁ ଆଧାର କରି ଫେବ୍ରୁଆରି ୨ରେ ବୌଦ୍ଧ ଥାନାରେ ଆଇପିସିର ଦଫା ୪୫୨, ୩୫୪(ଖ), ୨୯୪, ୩୦୭, ୫୦୬, ୩୭୯, ୩୪ରେ ମାମଲା ରୁଜୁ କରି ପୁଲିସ ଶୁଭ୍ରାଂଶୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶୁଭ୍ରାଂଶୁ ପକ୍ଷରୁ ଆଇନଜୀବୀ ଅମୂଲ୍ୟରତ୍ନ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର