ବିଧାୟକ ପ୍ରଦୀପ ଓ ପୂର୍ଣ୍ଣଙ୍କ ବିରୋଧରେ ଆଦିବାସୀ ମେଳି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଅନୁସୂଚିତ ଜମି କାରବାରକୁ ନେଇ ବିଜେଡିରୁ ବହିଷ୍କୃତ ହୋଇ ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ଆହୁରି ବଢ଼ିଛି। ତାଙ୍କ ସହିତ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମିଶି ଚଞ୍ଚକତା କରି ବହୁ ଦଳିତ ଓ ଆଦିବାସୀଙ୍କ ଜମି ହଡ଼ପ୍‌ କରିଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗିନ୍‌ ଅଭିଯୋଗ ଆଣି ଆଜି ବ୍ରହ୍ମପୁରରେ ମେଳି ବାନ୍ଧିଛନ୍ତି ସୋରଡ଼ା ଅଞ୍ଚଳର ଶତାଧିକ ଆଦିବାସୀ। ଉଭୟ ବିଧାୟକଙ୍କ କଳା କାର୍‌ନାମାର ପର୍ଦ୍ଦାଫାସ୍‌ କରିବା ଓ ନିରପେକ୍ଷ ତଦନ୍ତ ଦାବିରେ ସେମାନେ ଭିଜିଲାନ୍ସ ଏସ୍‌.ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁସାରେ, ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀଙ୍କ ସହିତ ସୋରଡ଼ା ବିଧାୟକ ଶ୍ରୀ ସ୍ବାଇଁ ମିଶି ବିପୁଳ ଭୂ-ସମ୍ପତ୍ତି ନିଜ ଅକ୍ତିଆରକୁ ନେଇଛନ୍ତି। ସୋରଡ଼ା ତହସିଲ ଅଞ୍ଚଳରେ ଥିବା ଶହ ଶହ ଏକର ଜମିକୁ ହାତେଇବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ଫଳସ୍ବରୂପ ବହୁ ଗରିବ ଲୋକେ ଜମି ହରାଇବା ସହିତ ଜଙ୍ଗଲ ଜମି ଅଧିକାରରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ସୋରଡ଼ା ତହସିଲ ପାଲକାଟ ପଞ୍ଚାୟତ ବାଦୁଆପଲ୍ଲୀରେ ମାଛ ଚାଷ ପାଇଁ ପୋଖରୀ, ସିମେଣ୍ଟ୍‌ ଇଟା କାରଖାନା ପ୍ରତିଷ୍ଠା କରିବା ସହିତ ଆଦିବାସୀ ମାନେ ଚାଷ କରୁଥିବା ଜମିକୁ ମଧ୍ୟ ହଡ଼ପ୍‌ କରିଥିବା ଅଭିଯୋଗ ହୋଇଛି।

ସେହିପରି ସୋରଡ଼ା ତହସିଲ ଅମୃତୁଲୁ ରାଜସ୍ବ ସର୍କଲ୍‌ ଲବଣିସର ମୌଜାରେ ଥିବା ଏକ ଜମିରେ ଦୀର୍ଘ ବର୍ଷ ହେଲା ଚାଷୀ ଚାଷ କରି ଆସୁଥିଲେ। ସେହି ଜମିକୁ ମଧ୍ୟ ଚକ୍ରାନ୍ତ କରି ହଡ଼ପ୍‌ କରିବା ପାଇଁ ଉଭୟ ବିଧାୟକ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଏ ସବୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଆଜି ସୋରଡ଼ା ଅଞ୍ଚଳର ଶତାଧିକ ଆଦିବାସୀ ବ୍ରହ୍ମପୁରରେ ପହଞ୍ଚି ଭିଜିଲାନ୍ସ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ସୁରେନ୍ଦ୍ର ମଲ୍ଲିକ, ଭାଗୀରଥି ନାୟକ, ମୋହନ ନାୟକ, ଏଆଇକେଏମ୍‌ଏସ୍‌ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାମାଜିକ କର୍ମୀ ମଧୁସୂଦନ, ଶିବରାମ ସାହୁ, ଲକ୍ଷ୍ମୀନୃସିଂହ ରଥ, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ

ସମ୍ବନ୍ଧିତ ଖବର